ଭୁବନେଶ୍ୱର, ୧୫।୭ : ଆନ୍ତଃ ବିଭାଗୀୟ ସମନ୍ୱୟ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରି ବିଭିନ୍ନ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟାନ୍ବୟନକୁ ସଚିବସ୍ତରୀୟ ବୈଠକରେ ଗୁରୁତ୍ବ ଦିଆଯାଇଛି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତା କରିଥିଲେ।
ମୁଖ୍ୟ ଶାସନ ସଚିବ ଜୁଲାଇ ମାସର ୧୫ ଦିନ ମଧ୍ୟରେ ହୋଇଥିବା ଉଲ୍ଲେଖନୀୟ କାର୍ୟ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଶ୍ରୀଗୁଣ୍ଡିଚା ରଥ ଯାତ୍ରାଠାରୁ ଆରମ୍ଭ କରି ଆଗାମୀ ଜୁଲାଇ୨୭ ରେ ନିଳାଦ୍ରୀ ବିଜେ ପର୍ୟ୍ୟନ୍ତ ମହାପ୍ରଭୁଙ୍କ ପବିତ୍ର ଘୋଷ ଯାତ୍ରା ଅବସରରେ ସଂପୃକ୍ତ ସମସ୍ତ ସଚିବମାନଙ୍କୁ ରଥଯାତ୍ରାର ସୁ ପରିଚାଳନା ପାଇଁ ସର୍ବୋତ୍ତମ ସେବା ଯୋଗାଇଦେବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଥିଲେ ।
ଆଭାସୀ ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାପାଳ ହେମ କାନ୍ତ ସାଏ ଯୋଗଦେଇ ସମୃଦ୍ଧ ମୟୂରଭଞ୍ଜ-ବିକଶିତ ଓଡ଼ିଶାର ଲକ୍ଷ୍ୟ ରଖି ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ତଥା ଅଗ୍ରାଧିକାର କ୍ଷେତ୍ର ସଂପର୍କିତ ୨୫ ଟି ପ୍ରକଳ୍ପର କାର୍ୟ୍ୟକାରିତା ନେଇ ବିସ୍ତୃତ ରୋଡ୍ ମ୍ୟାପ୍ ଉପସ୍ଥାପନ କରିଥିଲେ । ଜିଲ୍ଲାର ପାରମ୍ପରିକ ଖାଦ୍ୟ, ଶିମିଳିପାଳ ମହୁ, ସ୍ଥାନୀୟ ଉଦ୍ୟୋଗ ସୃଷ୍ଟି, ପର୍ୟ୍ୟଟନ ପାଇଁ ପ୍ରୋତ୍ସାହନ ଆଦିକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଜନଜାତି ବହୁଳ ଜିଲ୍ଲାର ଆର୍ଥିକ ତଥା ସର୍ବାଙ୍ଗୀନ ବିକାଶ ପାଇଁ ଜୀବିକା ନିର୍ବାହ କାର୍ୟ୍ୟକ୍ରମକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେବା ସହ ଜିଲ୍ଲାର ସାଂସ୍କୃତିକ ଏୗତିହ୍ୟର ସୁରକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱ ଦେବାକୁ ମୁଖ୍ୟ ଶାସନ ସଚିବ ଆଲୋଚନା କରିଥିଲେ । ସମସ୍ତ ବିଭାଗୀୟ ସମନ୍ୱୟରେ ମୟୂରଭଞ୍ଜକୁ ‘ବିକଶିତ ଓଡ଼ିଶା’ର ଏକ ଆଦର୍ଶ ଜିଲ୍ଲା ଭାବେ ଗଢ଼ି ତୋଳିବା ଦିଗରେ କାର୍ୟ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ସେ ବିଭିନ୍ନ ପରାମର୍ଶ ଦେଇଥିଲେ ।
ବୈଠକରେ ଡିରେଗୁଲେସନ୍ ୨.୦ ଅଧୀନରେ ବ୍ୟବସାୟ କରିବାର ସୁବିଧା ବୃଦ୍ଧି ପାଇଁ ଚାଲିଥିବା ପ୍ରଶାସନିକ ଓ ଆଇନଗତ ସଂସ୍କାର ସଂପର୍କରେ ବିଭିନ୍ନ ବିଭାଗର ପଦକ୍ଷେପ ଓ ପ୍ରସ୍ତାବ ନେଇ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଉପସ୍ଥାପନ କରିଥିଲେ । ବିଭାଗଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ସଂସ୍କାରମୂଳକ ପଦକ୍ଷେପ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।
ଓଡ଼ିଶା ଭିଜନ ଲକ୍ଷ୍ୟ ହାସଲ ପାଇଁ ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ମାନସୀ ନିମ୍ଭାଲ ‘ସୁଭଦ୍ରା- ଲକ୍ଷପତି ଦିଦି’ ମାଧ୍ୟମରେ ଓଡ଼ିଶାରେ ମହିଳାମାନଙ୍କର ଅର୍ଥନୈତିକ ପ୍ରଗତି, ସମନ୍ୱିତ ପ୍ରୟାସରେ ମହିଳା ସଶକ୍ତିକରଣ ଆଦି ସଂପର୍କରେ ବିଭିନ୍ନ ସମ୍ଭାବନାର ଦିଗ ଉପସ୍ଥାପନ କରିଥିଲେ ।
ମୁଖ୍ୟ ଶାସନ ସଚିବ, ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ ଆନ୍ତଃ ର୍ବିଭାଗୀୟ ସୁସମନ୍ୱୟ, ପ୍ରଯୁକ୍ତିର ବ୍ୟବହାର, ନିୟମିତ ସମୀକ୍ଷା ସହ ପ୍ରକଳ୍ପଗୁଡ଼ିକର ସମୟବଦ୍ଧ କାର୍ୟ୍ୟାନ୍ୱୟନ ସୁନିଶ୍ଚିତ କରିବା ସହିତ ଲୋକମାନଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।
ଆହୁରି ପଢନ୍ତୁ : ରଥଯାତ୍ରା ପୂର୍ବରୁ ଡିଜିଟାଲ ହୁଣ୍ଡି ସମର୍ପଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ