ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆମେରିକାର ଏକଚାଟିଆ ନୀତିକୁ କରାଯିବନି ବରଦାସ୍ତ: ୟୁରୋପର ଦୀର୍ଘମିଆଦୀ ରଣନୀତି, ଅସ୍ତ୍ର ଭଣ୍ଡାର ୩୦% ବଢ଼ାଯିବ

Published By : Prameya | March 24, 2025 8:41 AM

ୱାଶିଂଟନ୍‌ ଡିସି, ୨୪/୦୩: ଆମେରିକାର ଏକଚାଟିଆ ନୀତିକୁ ଆଉ ବରଦାସ୍ତ କରିବ ନାହିଁ  ୟୁରୋପ । ନାଟୋରେ ଆମେରିକାର କ୍ଷମତାକୁ  ସଂକୁଚିତ କରାଯିବ । ଏହାର ସାମରିକ ପାଣ୍ଠି  ପ୍ରଦାନକୁ ବି କମାଇ ଦିଆଯିବ । ୟୁରୋପୀୟ  ଦେଶଗୁଡ଼ିକ ଏଥିପାଇଁ ୫-୧୦ ବର୍ଷର ଯୋଜନା  ବନାଉଥିବା ସୂତ୍ରରୁ ଜଣାପଡ଼ିଛି । 

ରିପୋର୍ଟ ମୁତାବକ, ସାମରିକ  ମେଣ୍ଟ ‘ନାଟୋ (ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି  ଅର୍ଗାନାଇଜେସନ)’ରେ ଆମେରିକାର  ଯେଉଁ ସ୍ଥାନ ରହିଛି, ତାହାକୁ ବଦଳାଯିବ ।  ଏହାଠାରୁ ଆଉ ସେତିକି ଅସ୍ତ୍ରଶସ୍ତ୍ର କିମ୍ବା  ପାଣ୍ଠି ନିଆଯିବ ନାହିଁ । ୟୁରୋପୀୟ ଦେଶ  ଓ କାନାଡା ସହାୟତାରେ ନାଟୋର ଅସ୍ତ୍ରଶସ୍ତ୍ର  ଭଣ୍ଡାରକୁ ୩୦% ପର୍ଯ୍ୟନ୍ତ ବୃଦ୍ଧି କରାଯିବ ।  ଫଳରେ ଆମେରିକା ଯଦି ନିଜ ଆଡୁ ନାଟୋରୁ  ଓହରିଯାଏ, ତେବେ କୌଣସି ଫରକ  ପଡ଼ିବ ନାହିଁ । ୟୁରୋପକୁ କୌଣସି ପ୍ରକାର  ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । 

ଚଳିତବର୍ଷ ଜାନୁଆରୀରେ ଆମେରିକାର  ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଡୋନାଲ୍ଡ  ଟ୍ରମ୍ପ୍‌ ନାଟୋରୁ ଓହରିଯିବାକୁ ବାରମ୍ବାର ଧମକ ଦେଉଛନ୍ତି । ନାଟୋରେ ଆମେରିକା ଅତ୍ୟଧିକ  ପାଣ୍ଠି ଯୋଗାଉଛି । ଏହାଦ୍ୱାରା ଦେଶର  ଅର୍ଥନୀତି ଉପରେ କୁପ୍ରଭାବ ପଡୁଥିବା  ସେ ଦର୍ଶାଉଛନ୍ତି । ଏହି କ୍ରମରେ ଆମେରିକା  ୟୁକ୍ରେନ୍‌କୁ ସାମରିକ ଓ ଗୁଇନ୍ଦା ସମର୍ଥନ  ବନ୍ଦ କରିସାରିଲାଣି । ଏବେ ନାଟୋ ସଦସ୍ୟତା ଛାଡ଼ିବାକୁ ଆମେରିକା ଚାହୁଁଛି । 

ରିପୋର୍ଟ ଅନୁସାରେ, ନାଟୋର  ‘ପରିଚାଳନା’ ସ୍ଥାନାନ୍ତର ପାଇଁ ଯୋଜନା  କରାଯାଉଛି । ବ୍ରିଟେନ୍‌, ଫ୍ରାନ୍ସ, ଜର୍ମାନୀ ଓ ନର୍ଡିକ  ରାଷ୍ଟ୍ର (ଡେନ୍‌ମାର୍କ, ଫିନଲାଣ୍ଡ, ଆଇସଲାଣ୍ଡ  ଓ ନରୱେ) ନାଟୋର ପରିଚାଳନା ସ୍ଥାନାନ୍ତର  ଲାଗି ଟ୍ରମ୍ପ୍‌ଙ୍କୁ ଏକ ପ୍ରସ୍ତାବ ଦେଇପାରନ୍ତି । ଏହି  ସ୍ଥାନାନ୍ତରଣ ଲାଗି ୫ରୁ ୧୦ ବର୍ଷ ପର୍ଯ୍ୟନ୍ତ  ସମୟ ଲାଗିପାରେ । ୟୁରୋପୀୟ ରାଷ୍ଟ୍ରଗୁଡ଼ିକ  ଚଳିତବର୍ଷ ଜୁନ୍‌ରେ ହେବାକୁ ଥିବା ନାଟୋର  ବାର୍ଷିକ ଶିଖର ସମ୍ମିଳନୀ ପୂର୍ବରୁ ଏହି ଯୋଜନାକୁ  ଆମେରିକା ସମ୍ମୁଖରେ ଉପସ୍ଥାପନ କରିପାରନ୍ତି । 

ଆମେରିକା ଉପରୁ ନିର୍ଭରଶୀଳତା  କମାଇବା ପାଇଁ ମଧ୍ୟ ବଡ଼ ଯୋଜନା ହାତକୁ  ନିଆଯିବ । ବ୍ଲୁମ୍‌ବର୍ଗ ରିପୋର୍ଟ ମୁତାବକ, ନାଟୋ  ନିଜ ଅସ୍ତ୍ରଶସ୍ତ୍ର ଭଣ୍ଡାରଣକୁ ୩୦% ପର୍ଯ୍ୟନ୍ତ ବୃଦ୍ଧି  କରିବ ଏବଂ ଏଥିରେ ଆମେରିକାର କୌଣସି  ଭୂମିକା ରହିବ ନାହିଁ । ବରଂ ୟୁରୋପୀୟ  ଦେଶ ଓ କାନାଡା ଏହାକୁ ପୂରଣ କରିବେ ।  ଜର୍ମାନୀ, ଫ୍ରାନ୍ସ ଓ ବ୍ରିଟେନ୍‌ ଭଳି ୟୁରୋପୀୟ  ଦେଶଗୁଡ଼ିକ ସେମାନଙ୍କ ପ୍ରତିରକ୍ଷା ବ୍ୟୟ ଓ  ସାମରିକ ନିବେଶ ପରିମାଣ ବଢ଼ାଇବା ଲାଗି  ପୂର୍ବରୁ ହିଁ ଘୋଷଣା କରିସାରିଛନ୍ତି । 

ରିପୋର୍ଟ ଦର୍ଶାଇଛି ଯେ ୟୁରୋପ ଯେଉଁ  ପ୍ରମୁଖ କ୍ଷେତ୍ରରେ ନିଜକୁ ମଜଭୁତ କରିବାକୁ  ଚାହୁଁଛି ତାହା ହେଉଛି ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, ଡିପ୍‌-ଫାୟାର କ୍ଷମତା, ଲଜିଷ୍ଟିକ୍ସ, ଯୋଗାଯୋଗ  ଓ ସ୍ଥଳଭାଗ ସାମରିକ ବ୍ୟବସ୍ଥା । ନାଟୋର  ବାର୍ଷିକ ସାମରିକ ଖର୍ଚ୍ଚ ପରିମାଣ ୩୫୦  କୋଟି ଡଲାର ହୋଇଥିବା ବେଳେ ଆମେରିକା  ଏହାର ୧୫.୮% ପ୍ରଦାନ କରିଥାଏ । ସମଗ୍ର  ୟୁରୋପରେ ଆମେରିକାର ୮୦ ହଜାରରୁ ୧  ଲକ୍ଷ ସୈନିକ ମୁତୟନ ଅଛନ୍ତି । 

ସରକାରୀ ଅଧିକାରୀଙ୍କ ମୁତାବକ,  ୟୁରୋପୀୟ ଦେଶଗୁଡ଼ିକର କ୍ଷମତା  ଆମେରିକା ସହ ସମାନ ହେବା ପାଇଁ ପ୍ରାୟ  ୫ରୁ ୧୦ ବର୍ଷ ସମୟ ଲାଗିଯିବ । ଆଉ କିଛି  ଅଧିକାରୀଙ୍କ ଅନୁସାରେ, ରାଷ୍ଟ୍ରପତି ଟ୍ରମ୍ପ୍‌  କେବଳ ବୟାନବାଜି କରୁଛନ୍ତି । ସେ ନାଟୋରୁ  ଓହରିଯିବା ଲାଗି କେବଳ ତୁଛା ଧମକ  ଦେଉଛନ୍ତି । ପ୍ରକୃତରେ ନାଟୋରୁ ବାହାରିବାକୁ  ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ । 

ଉଲ୍ଲେଖଯୋଗ୍ୟ, ଆମେରିକା ଓ  ୟୁଏସ୍‌ଏସ୍‌ଆର (ବର୍ତ୍ତମାନର ରୁଷ) ମଧ୍ୟରେ  ଶୀତଳଯୁଦ୍ଧ (୧୯୪୭-୯୧) ପରେ ୟୁରୋପ  ନିଜ ସୁରକ୍ଷା ଲାଗି ଆମେରିକା ଉପରେ ଅଧିକ  ନିର୍ଭରଶୀଳ ରହିଆସିଛି । ଅନେକ ୟୁରୋପୀୟ  ଦେଶ ନିଜ ପ୍ରତିରକ୍ଷା କ୍ଷେତ୍ର ଲାଗି ଜିଡିପିର ୨% ରୁ କମ୍‌ ଖର୍ଚ୍ଚ କରୁଛନ୍ତି । ସେମାନଙ୍କ ସେନା ଏତେ  ଦୁର୍ବଳ ହୋଇପଡ଼ିଛି ଯେ ଶକ୍ତିଶାଳୀ ହେବା ପାଇଁ  ଅନେକ ବର୍ଷ ଲାଗିଯିବ । ଯଦି ଆମେରିକା ନାଟୋ  ଛାଡ଼ିଦିଏ ତେବେ ୟୁରୋପୀୟ ଦେଶଗୁଡ଼ିକୁ ନିଜ  ଯୋଜନା ପୂରା କରିବା ପାଇଁ ପ୍ରତିରକ୍ଷା ବାବଦରେ  ଜିଡିପିର ୩% ଖର୍ଚ୍ଚ କରିବା ଜରୁରି । 

ଗୋଳାବାରୁଦ, ପରିବହନ, ଇନ୍ଧନ ଭର୍ତ୍ତି  ପାଇଁ ବିମାନ, କମାଣ୍ଡ ଓ କଣ୍ଟ୍ରୋଲ ବ୍ୟବସ୍ଥା,  ଉପଗ୍ରହ ଓ ଡ୍ରୋନ୍‌ ଅଭାବ ପୂରଣ କରିବାକୁ  ହେବ । ଏ ସବୁ ବର୍ତ୍ତମାନ ଆମେରିକା  ତରଫରୁ ଯୋଗାଇ ଦିଆଯାଉଛି । ଏହାଛଡ଼ା  ବ୍ରିଟେନ୍‌ ଓ ଫ୍ରାନ୍ସ ଭଳି ନାଟୋ ସଦସ୍ୟ  ରାଷ୍ଟ୍ରଗୁଡ଼ିକ ପାଖରେ ମୋଟ ୫୦୦ ପରମାଣୁ  ଅସ୍ତ୍ର ଥିବା ବେଳେ ଏକାକୀ ରୁଷ୍‌ ପାଖରେ  ଏହା ୬ ହଜାରଟି ରହିଛି । ତେଣୁ ଆମେରିକା  ଯଦି ନାଟୋରୁ ବାହାରେ, ତେବେ ନାଟୋ  ମେଣ୍ଟକୁ ନିଜ ଆଣବିକ ନୀତିକୁ ନୂଆ ଆକାର  ଦେବାକୁ ପଡ଼ିବ । ଏହା ବେଶ୍‌ ବ୍ୟୟସାପେକ୍ଷ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.