ନୂଆଦିଲ୍ଲୀ ୧୫/୦୭: ଫ୍ରାନ୍ସର ବୈଜ୍ଞାନିକମାନେ ଚିକିତ୍ସା ଜଗତରେ ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରିଛନ୍ତି, ଯାହା ସାରା ବିଶ୍ୱକୁ ଚକିତ କରିଛି । ଏକ ସାଧାରଣ ରକ୍ତ ପରୀକ୍ଷା ସମୟରେ ଗ୍ୱାଡେଲୁପ୍‌ର ଜଣେ ୬୮ ବର୍ଷୀୟା ମହିଳାଙ୍କଠାରେ ବିଶ୍ୱର ସବୁଠୁ ଦୁର୍ଲଭ ରକ୍ତ ସମୂହ ଆବିଷ୍କୃତ ହୋଇଛି । ଏହାକୁ ‘ଗ୍ୱାଡା ନେଗେଟିଭ୍‌’ ନାମ ଦିଆଯାଇଛି । ଏହି ବ୍ଲଡ୍‌ ଗ୍ରୁପ୍‌ ଏତେ ଦୁର୍ଲଭ ଯେ ବିଶ୍ୱରେ କେବଳ ଜଣେ ବ୍ୟକ୍ତିଙ୍କ ପାଖରେ ଏହା ଚିହ୍ନଟ ହୋଇଛି । ଏହି ବ୍ୟକ୍ତି ଅନ୍ୟ କୌଣସି ରକ୍ତଦାତାଙ୍କଠୁ ରକ୍ତ ନେଇପାରିବେ ନାହିଁ । କାରଣ ତାଙ୍କ ରକ୍ତ ବିଶ୍ୱର କୌଣସି ରକ୍ତ ସମୂହ ସହ ମେଳ ଖାଏନାହିଁ । 

ଇଣ୍ଟରନ୍ୟାସ୍‌ନାଲ ସୋସାଇଟି ଅଫ୍‌ ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନ୍‌ ନିକଟରେ ଏହାକୁ ଔପଚାରିକ ରୂପେ ୪୮ତମ ରକ୍ତ ସମୂହ ରୂପେ ମାନ୍ୟତା ଦେଇଛି । ୨୦୧୧ରେ ଗ୍ୱାଡେଲୁପ୍‌ ବ୍ଲଡ୍‌ ଗ୍ରୁପ୍‌ବିଶିଷ୍ଟ ଜଣେ ୫୪ ବର୍ଷୀୟା ମହିଳା ପ୍ୟାରିସ୍‌ରେ ରହୁଥିଲେ । ସର୍ଜରି ପୂର୍ବରୁ ସେ ନିୟମିତ ରକ୍ତ ପରୀକ୍ଷା ପାଇଁ ଯାଇଥିଲେ । ଯାଞ୍ଚ୍‌ ସମୟରେ ଡାକ୍ତରମାନେ ତାଙ୍କ ରକ୍ତରେ ଏକ ଅସାଧାରଣ ଆଣ୍ଟିବଡି ପାଇଲେ, ଯାହା କୌଣସି ଜ୍ଞାତ ରକ୍ତ ସମୂହ ସହ ମେଳ ଖାଉନଥିଲା । ସେତେବେଳର ସୀମିତ ଟେକ୍ନୋଲୋଜି ଯୋଗୁ ଏହି ରହସ୍ୟର ସମାଧାନ ସମ୍ଭବ ହୋଇନଥିଲା ।

 ୨୦୧୯ରେ ନୂଆ ପିଢ଼ିର ଡିଏନ୍‌ଏ ସିକ୍ୱେନ୍ସିଙ୍ଗ୍‌ ଟେକ୍ନୋଲୋଜି ସାହାଯ୍ୟରେ ବୈଜ୍ଞାନିକମାନେ ମହିଳାଙ୍କ ରକ୍ତର ପୁନଃ ବିଶ୍ଳେଷଣ କଲେ । ଏଥିରୁ ଜଣାପଡ଼ିଲା, ତାଙ୍କ ରକ୍ତରେ ଥିବା ସ୍ୱତନ୍ତ୍ର ଜିନ୍‌ ‘ପିଗ୍‌ଜ ଜିନ୍‌’ରେ ମ୍ୟୁଟେସନ୍‌ ଅଛି । ଏହି ଜିନ୍‌ ଏକ ଏନ୍‌ଜାଇମ୍‌ ଉତ୍ପନ୍ନ କରୁଛି, ଯାହା ଲାଲ୍‌ ରକ୍ତ କୋଷିକାଗୁଡ଼ିକର ପୃଷ୍ଠରେ ବିଶେଷ ପ୍ରକାର ଶର୍କରା ଅଣୁକୁ ଯୋଡୁଛି । ଏହି ଶର୍କରାର ଅନୁପସ୍ଥିତି ଯୋଗୁ ମହିଳାଙ୍କ ରକ୍ତରେ ଇଏମ୍‌ଏମ୍‌ ଆଣ୍ଟିଜେନ୍‌ (ଯାହା ହାରାହାରି ସମସ୍ତ ମନୁଷ୍ୟଙ୍କଠାରେ ମିଳେ) ନ ଥିଲା । ଏହି ଅଭିନବ ପରିବର୍ତ୍ତନ ଏକ ନୂଆ ରକ୍ତ ସମୂହ ସୃଷ୍ଟି କଲା, ଯାହାକୁ ଇଏମ୍‌ଏମ୍‌-ନେଗେଟିଭ୍‌ ବା ଗ୍ୱାଡା ନେଗେଟିଭ୍‌ ନାମ ଦିଆଗଲା । 

ଗ୍ୱାଡା ନେଗେଟିଭ୍‌ ରକ୍ତ ସମୂହର ସବୁଠୁ ବଡ଼ ବିଶେଷତ୍ୱ ହେଉଛି, ଏଥିରେ ଇଏମ୍‌ଏମ୍‌ ଆଣ୍ଟିଜେନ୍‌ ନାହିଁ, ଯାହା ସାଧାରଣତଃ ପ୍ରତ୍ୟେକ ଲୋକଙ୍କ ଲୋହିତ ରକ୍ତ କୋଷିକାରେ ଥାଏ । ସେଥିପାଇଁ ଏହା ରକ୍ତକୁ ଅତ୍ୟନ୍ତ ଦୁର୍ଲଭ କରିଛି । ଗ୍ୱାଡା ନେଗେଟିଭ୍‌ ବ୍ଲଡ୍‌ ଗ୍ରୁପ୍‌ବିଶିଷ୍ଟ ଏହି ମହିଳା ବିଶ୍ୱରେ ଏକମାତ୍ର ବ୍ୟକ୍ତି, ଯାହାଙ୍କର ରକ୍ତ ଆବଶ୍ୟକ ହେଲେ, ବିଶ୍ୱର କୌଣସି ରକ୍ତ ଦାତା ତାଙ୍କୁ ସାହାଯ୍ୟ କରିପାରିବେ ନାହିଁ । କାରଣ ଅନ୍ୟ ସମସ୍ତ ରକ୍ତ ଇଏମ୍‌ଏମ୍‌- ପିଜିଟିଭ୍‌, ଯାହା ତାଙ୍କ ଶରୀରରେ ଗମ୍ଭୀର ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରିପାରେ । ମାତା-ପିତାଙ୍କଠୁ ମହିଳାଙ୍କୁ ଏହି ବ୍ଲଡ୍‌ ଗ୍ରୁପ୍‌ ମିଳିଛି । ଉଭୟ ମାତା-ପିତାଙ୍କ ପାଖରେ ଏହି ପରିବର୍ତ୍ତିତ ଜିନ୍‌ର ଗୋଟିଏ ଲେଖାଏଁ କପି ଥିଲା । ମହିଳାଙ୍କର ସାମାନ୍ୟ ବୌଦ୍ଧିକ ବିକାର ରହିଛି । ସେ ଦୁଇ ସନ୍ତାନଙ୍କୁ ଜନ୍ମ ସମୟରେ ହରାଇ ଦେଇଥିଲେ । ଏହି ସମସ୍ୟା ପିଗ୍‌ଜ ଜିନ୍‌ରେ ପରିବର୍ତ୍ତନ ଯୋଗୁ ହୋଇପାରେ ବୋଲି ବୈଜ୍ଞାନିକଙ୍କ ବିଶ୍ୱାସ ।

ଏହି ଆବିଷ୍କାର ଅନ୍ତର୍ଜାତୀୟ ଦୁର୍ଲଭ ରକ୍ତ ଦାତା ପଞ୍ଜିକରଣର ମହତ୍ୱ ଉପରେ ଆଲୋକପାତ କରିଛି, ଯାହା ଆପାତକାଳରେ ଜୀବନ ରକ୍ଷାକାରୀ ସହାୟତା ପ୍ରଦାନ କରିପାରେ । ବୈଜ୍ଞାନିକମାନେ ଏବେ ଷ୍ଟେମ୍‌ କୋଷିକାରୁ ଲୋହିତ ରକ୍ତ କୋଷିକା ବିକଶିତ କରିବା ଉପରେ କାମ କରୁଛନ୍ତି । ଏହାକୁ ଜିନ୍‌ଗତ ଭାବେ ସଂଶୋଧନ କରି ଦୁର୍ଲଭ ରକ୍ତ ସମୂହ ଯଥା- ଗ୍ୱାଡା ନେଗେଟିଭ୍‌ ସହ ମେଳ ଖୁଆଇବା ପାଇଁ ପ୍ରସ୍ତୁତ କରାଯାଇପାରେ । ଗ୍ୱାଡେଲୁପ୍‌ ଦ୍ୱୀପର ସ୍ଥାନୀୟ ନାମ ଗ୍ୱାଡାରୁ ‘ଗ୍ୱାଡା ନେଗେଟିଭ୍‌’ ନାମକରଣ ହୋଇଛି, ଯାହା ଉକ୍ତ ମହିଳାଙ୍କ ଜନ୍ମସ୍ଥଳୀକୁ ଦର୍ଶାଇଛି । ବୈଜ୍ଞାନିକଙ୍କ ମଧ୍ୟରେ ଏହି ନାଁ ଖୁବ୍‌ ଲୋକପ୍ରିୟ ହୋଇଛି, କାରଣ ସମସ୍ତ ଭାଷାରେ ସହଜରେ ଏହି ନାଁକୁ କୁହାଯାଇ ପାରୁଛି । ଏବିଓ ରକ୍ତ ସମୂହ ପ୍ରଣାଳୀ ସବୁଠୁ ଦୁର୍ଲଭ ରକ୍ତ ସମୂହ, ଯାହାକୁ ୧୯୦୧ରେ କାର୍ଲ ଲ୍ୟାଣ୍ଡଷ୍ଟିନର୍‌ ଆବିଷ୍କାର କରିଥିଲେ । ଏହା ଲାଲ୍‌ ରକ୍ତ କୋଷିକାରେ ଏ, ବି ଓ ଏଚ୍‌ ଆଣ୍ଟିଜେନ୍‌ର ଉପସ୍ଥିତି ବା ଅନୁପସ୍ଥିତି ଉପରେ ଆଧାରିତ ।