ନୂଆଦିଲ୍ଲୀ,୨୩।୯: ଶ୍ରୀଲଙ୍କାକୁ ସୁପର-୪ ପର୍ଯ୍ୟାୟରେ ହରାଇବା ପରେ ବାଂଲାଦେଶର ଆତ୍ମବିଶ୍ବାସ ଖୁବ୍ ବଢି ଯାଇଛି। ଏବେ ବାଂଲାଦେଶର ହେଡ୍‌ କୋଚ୍ ଫିଲ୍ ସିମନ୍ସଙ୍କ କହିବା ଅନୁସାରେ ଭାରତ ସବୁବେଳେ ଅଜେୟ ନୁହେଁ। ସବୁ ଟିମ୍ ପାଖରେ ଭାରତକୁ ହରାଇବାର ଯୋଗ୍ୟତା ରହିଛି। ବୁଧବାର ଭାରତ ସହ ବାଂଲାଦେଶର ମ୍ୟାଚ୍ ରହିଥିବା ବେଳେ ତା ପୂର୍ବରୁ ଫିଲ୍ ସିମ୍‌ସନ୍‌ ଏଭଳି ମନ୍ତବ୍ୟ ଦେଇଛନ୍ତି।

ପାକିସ୍ତାନକୁ ହରାଇବା ପରେ ଆସନ୍ତାକାଲି ଭାରତ-ବାଂଲାଦେଶ ଭିତରେ ମ୍ୟାଚ୍ ରହିଛି। ଓ୍ବେଷ୍ଟ ଇଣ୍ଡିଜ୍ ପକ୍ଷରୁ ୧୯୮୭ ରୁ ୧୯୯୯ ପର୍ଯ୍ୟନ୍ତ ଖେଳୁଥିବା ସିମନ୍ସଙ୍କୁ ଯେତେବେଳ ପଚରାଯାଇଥିଲା କ’ଣ ଭାରତୀୟ ଟିମ୍‌କୁ ହରାଇବା ସମ୍ଭବ ? ସେ କହିଥିଲେ, ପ୍ରତି ଟିମ୍ ପାଖରେ ଭାରତୀୟ ଟିମ୍‌କୁ ହରାଇବାର କ୍ଷମତା ରହିଛି। ମ୍ୟାଚ୍ ଯେଉଁ ଦିନ ଖେଳାଯାଏ ତା ପୂର୍ବରୁ କ’ଣ ହୋଇଛି, ତା’ର କୌଣସି ମୂଲ୍ୟ ନଥାଏ। ବୁଧବାର କ’ଣ ହେବ ସେ ବିଷୟରେ ଏବେ ପ୍ରସ୍ତୁତି ହେବା ଦରକାର । ଏହା ସେହି ସାଢେ ତିନି ଘଣ୍ଟାର ଖେଳ ପ୍ରଦର୍ଶନ ବିଷୟରେ ରହିଛି। ଆମେ ନିଜ ତରଫରୁ ସର୍ବଶ୍ରେଷ୍ଠ ଖେଳିବାର ଚେଷ୍ଟା କରିବୁ ଓ ଆଶା ରହିଛି ଯେ ଭାରତର ଦୁର୍ବଳତା ଖୋଜି ପାରିବୁ। ଏହା ହେଉଛି ସେହି ପ୍ରଣାଳୀ, ଯାହାଦ୍ବାରା ଆମେ ଏହି ମ୍ୟାଚ୍ ଜିତିପାରିବୁ।’

୬୨ ବର୍ଷୀୟ ପୂର୍ବତନ ଖେଳାଳି ଜଣକ କହିଛନ୍ତି ସେ ଚାହାଁନ୍ତି ତାଙ୍କର ସବୁ ଖେଳାଳି ସବୁ କ୍ଷଣର ମଜା ନେବା ସହ ଚ୍ୟାଲେଞ୍ଜର ସାମନା କରନ୍ତୁ। ସେ କହିଛନ୍ତି, ପ୍ରତି ମ୍ୟାଚ୍‌, ବିଶେଷ ଭାବରେ ଭାରତ ସହ ଖେଳା ଯଉଥିବା ମ୍ୟାଚ୍‌ରେ ଏକ ଉତ୍ସାହ ଥାଏ। କାରଣ ସେ ଦୁନିଆର ଏକ ନମ୍ବର  ଟି-୨୦ ଟିମ୍‌। ଆମେ କେବଳ ଉତ୍ସାହର ସହ ଖେଳିବାକୁ ଚାହୁଁ। ଆମେ ବାସ୍ ସେହି ଉତ୍ସାହର ମଜା ନେବାକୁ ଯାଉଛୁ। ସିମନ୍ସଙ୍କ ମତରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ର ପିଚ୍ ବାସ୍ତବରେ ବ୍ୟାଟିଂ ଖୁବ୍ ଭଲ ଓ ମ୍ୟାଚରେ ଟସ୍‌ର କୌଣସି ବଡ ପ୍ରସଙ୍ଗ ନାହିଁ।’