ଭୂ-ରାଜନୈତିକ ଦୃଷ୍ଟିକୋଣରୁ ଦକ୍ଷିଣ ଏସିଆ, ପ୍ରଶାନ୍ତ ମହାସାଗରଅଞ୍ଚଳରେ ବାଂଲଦେଶର ଭୌଗୋଳିକ ଅବସ୍ଥିତି ଆମେରିକା ପାଇଁଗୁରୁତ୍ୱପୂର୍ଣ୍ଣ । ବାଂଲାଦେଶରେ ନୌସେନା ଘାଟି ସ୍ଥାପନ କରି ଦକ୍ଷିଣ-ଚୀନ ସାଗର ଓ ତାଇୱାନ ଉପରେ ଚୀନର ଆଧିପତ୍ୟକୁ ପ୍ରତିହତକରିବାକୁ ଆମେରିକା ସଦାସର୍ବଦା ଚେଷ୍ଟିତ ।
ସାଧାରଣତଃ ପଡ଼ୋଶୀଙ୍କ ପାଇଁ, ପଡ଼ୋଶୀଙ୍କ ଦ୍ୱାରା, ପଡ଼ୋଶୀଙ୍କୁ ନେଇ ଚିନ୍ତା ବଢ଼ିଥାଏ । ଶାନ୍ତିରେ ଜୀବନ ଯାପନ ନିମନ୍ତେ ପଡ଼ୋଶୀଙ୍କ ମଧ୍ୟରେ ଉତ୍ତମ ସଂପର୍କର ଆବଶ୍ୟକତା ଅବଶ୍ୟ ଜରୁରି । ଭାରତର ତିନି ପଡ଼ୋଶୀଙ୍କ ଦେଶ- ବାଂଲାଦେଶ, ଚୀନ ଓ ପାକିସ୍ତାନ ବର୍ତ୍ତମାନ ଭାରତ ବିପକ୍ଷରେ ତାଙ୍କ ମନ୍ଦ ଉଦ୍ଦେଶ୍ୟ ସାଧନ ପାଇଁ ଅହରହ ଚେଷ୍ଟିତ । ତେଣୁ ଆମକୁ ସତର୍କତାର ସହ ପଦକ୍ଷେପ ନେବାକୁ ହେବ ।
ନିକଟରେ ଚୀନ ବାସ୍ତବ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଟ୍ରିଙ୍ଗ୍ରି ଓ ବୁରାଙ୍ଗରେ ବାୟୁସେନା ଘାଟି ନିର୍ମାଣ କରିସାରିଲାଣି । ଏହି ବାୟୁସେନା ଘାଟିରୁ ଚୀନର କମ୍ବାଟ୍ ଏୟାରକ୍ରାଫ୍ଟଗୁଡ଼ିକ ଅରୁଣାଚଳ ପ୍ରଦେଶ, ସିକ୍କିମ, ଉତ୍ତରାଖଣ୍ଡ ଓ ଲାଦାଖ ସ୍ଥିତ ଭାରତୀୟ ସେନା ଶିବିରଗୁଡ଼ିକୁ ଟାର୍ଗେଟ କରିପାରିବ । ଉପଗ୍ରହ ଚିତ୍ରରୁ ଜଣାଯାଏ, ତିବ୍ବତର ଲୁନ୍ଝେ ପ୍ରଦେଶରେ ଚୀନ ଦ୍ୱାରା ନିର୍ମିତ ବାୟୁସେନା ଘାଟି ଅରୁଣାଚଳ ପ୍ରଦେଶର ତାୱାଙ୍ଗ ଠାରୁ ମାତ୍ର ୧୦୭କି. ମି. ଦୂର । ଏହି ବାୟୁସେନା ଘାଟିରେ ୩୬ଟି ଲଢୁଆ ବିମାନ ରହିବା ଭଳି ହ୍ୟାଙ୍ଗରର ନିର୍ମାଣ ହୋଇଥିବାର ସୂଚନା ମିଳେ । ଏହି ଘାଟିରୁ ଡ୍ରୋନ ଆକ୍ରମଣର ସମସ୍ତ ବିନ୍ଦୋବସ୍ତ ଥିବା ସହ ବଙ୍କର ମଧ୍ୟ ନିର୍ମାଣ କରାଯାଇ ବିମାନ ଇନ୍ଧନ, ଅସ୍ତ୍ରଶସ୍ତ୍ର ମହଜୁଦ ରଖାଯାଇଛି । ଯୁଦ୍ଧ ପରିସ୍ଥିତିରେ ଏହି ଘାଟିରୁ ଚୀନ ତାର ଲଢୁଆ ବିମାନ, ଡ୍ରୋନ, ହେଲିକୋପ୍ଟରଗୁଡ଼ିକୁ ଭାରତ ବିପକ୍ଷରେ ନିୟୋଜିତ କରିପାରିବାରେ ସମର୍ଥ ହୋଇପାରିବ ।
ଚୀନ ପଡ଼ୋଶୀ ପାକିସ୍ତାନକୁ ମଧ୍ୟ ସହଯୋଗର ହାତ ବଢ଼ାଇ ଆସିଛି । ଏଥିସହ ବାଂଲାଦେଶରେ ସାମରିକ ଘାଟି ବିକାଶରେ ତତ୍ପର । ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶର ସୃଷ୍ଟି ପାଇଁ ଭାରତର ଅବଦାନକୁ ସେଠାକାର କାମଚଳା ସରକାର ସଂପୂର୍ଣ୍ଣ ଭୁଲିଯାଇ ଚୀନ ଓ ପାକିସ୍ତାନ ସହ ହାତ ମିଳାଇ ସାମରିକ ଘାଟି, ସାମୁଦ୍ରିକ ବନ୍ଦର ଏବଂ ବିମାନ ବନ୍ଦର ବିକାଶରେ ତତ୍ପରତା ପ୍ରଦର୍ଶନ ସହ ବୃହତ୍ତର ବାଂଲାଦେଶ ଗଠନର ପରିକଳ୍ପନାକୁ ସାକାର କରିବାକୁ ଚେଷ୍ଟିତ । ଭୂ-ରାଜନୈତିକ ବିବାଦ ବଢ଼ି ଚାଲିଥିବାବେଳେ ଭାରତର ଚିକନ-ନେକ୍ କୁହାଯାଉଥିବା ସମ୍ବେଦନଶୀଳ ସିଲିଗୁଡ଼ି କରିଡର ସୀମାରେ ବାଂଲାଦେଶ ନିଜ ଅଞ୍ଚଳରେ ଥିବା ଲାଲମୋନିହର ହାଟ୍ ଏୟାର ବେସ୍କୁ ସଂପ୍ରସାରଣ କରିବାକୁ କାମଚଳା ସରକାର ମୁଖ୍ୟ ମହମ୍ମଦ ୟୁନୁସ ତତ୍ପର ହୋଇ ଉଠିଛନ୍ତି । ସେହି ଏୟାରବେସ୍ରେ ବାଂଲାଦେଶ ନୂଆ ହ୍ୟାଙ୍ଗର ନିର୍ମାଣ, କମ୍ବାଟ୍ ବିମାନର ପାର୍କିଂ ବ୍ୟବସ୍ଥା ଏବଂ ରାଡାର ସିଷ୍ଟମ ସ୍ଥାପନ କରିବାରେ ତତ୍ପର । ଭାରତ ସହ କୂଟନୈତିକ ସଂପର୍କ ଠିକ୍ ନଥିଲାବେଳେ ବାଂଲାଦେଶର ବର୍ତ୍ତମାନ ସରକାରର ମୁଖ୍ୟଙ୍କ ଏଭଳି ପଦକ୍ଷେପ ସୃଷ୍ଟିକରେ ବାଂଲାଦେଶର ଅନ୍ତର୍ନିହିତ ମନ୍ଦ ଉଦ୍ଦେଶ୍ୟ ।
ଭାରତର ଉତ୍ତର-ପୂର୍ବ ୭ଟି ରାଜ୍ୟର ମୂଳ ଭୂଖଣ୍ଡ ସହିତ ଯୋଡ଼ୁଥିବା ପଶ୍ଚିମ ବଙ୍ଗରେ ଥିବା ୬୦କି.ମି. ଦୀର୍ଘ ଓ ୨୨କି.ମି. ପ୍ରସ୍ଥବିଶିଷ୍ଟ ସିଲିଗୁଡ଼ି କରିଡର ବା ‘ଚିକେନ ନେକ୍’ ସାମରିକ ଦୃଷ୍ଟିରୁ ବିଶେଷ ଗୁରୁତ୍ୱ ବହନ କରେ । ଏହା ନେପାଳ, ଭୁଟାନ, ଚୀନ ଓ ବାଂଲାଦେଶ ସୀମାକୁ ସଂଯୋଗ କରୁଛି । ଚିକେନ ନେକ୍ ବା ସିଲିଗୁଡି କରିଡରକୁ ଯଦି ଅନ୍ୟ ଦେଶ ନିଜ କର୍ତ୍ତୃତ୍ୱକୁ ନେଇଯାଏ, ତେବେ ଭାରତର ସାର୍ବଭୌମତ୍ୱ ଉପରେ ସୃଷ୍ଟିହେବ ବିରାଟ ପ୍ରଶ୍ନବାଚୀ । ଏହାକୁ ଦୃଷ୍ଟି ରଖି ଭାରତ ଏହାର ସୁରକ୍ଷା ପାଇଁ ବାମୁନି, କିଶାଳଗଞ୍ଜ ଓ ଚୋପ୍ରା ଠାରେ ତିନିଟି ପ୍ରତିରକ୍ଷା ସାମରିକ ଘାଟି ପ୍ରତିଷ୍ଠା କରି ସେହି ଅଞ୍ଚଳ ଉପରେ ରଖିଛି ତୀକ୍ଷ୍ଣ ନଜର । ଭାରତ ସେଠାରେ ବ୍ରହ୍ମୋସ୍, ଆକାଶ ମିସାଇଲ୍ସ ଏବଂ ଏମ.ଆର.ଏସ.ଏମ. ଏୟାର ଡିଫେନ୍ସ ସିଷ୍ଟମ ମୁତୟନ କରିବାକୁ ବାଧ୍ୟ ହୋଇଛି । ‘ଅପରେସନ ସିନ୍ଦୂର’ରେ ଅଗ୍ନି ପ୍ଲାଟୁନ ଜରିଆରେ ଡ୍ରୋନ ପ୍ରତିରକ୍ଷା ପ୍ରଣାଳୀକୁ ସୁଦୃଢ଼ କରାଯାଇ ଡ୍ରୋନ ଆକ୍ରମଣ ପାଇଁ ଭୈରବ ବଟାଲିଅନକୁ କରିଛି ଅଧିକ ସକ୍ରିୟ ।
କିଛି ଦିନ ପୂର୍ବେ ପାକିସ୍ତାନର ଜଏଣ୍ଟ ଚିଫ୍-ଅଫ୍-ଷ୍ଟାଫ୍ ଅଧ୍ୟକ୍ଷ ଜେନେରାଲ ସାହିର ସମ୍ସାଦ୍ ମିର୍ଜାଙ୍କୁ ମହମ୍ମଦ ୟୁନୁସ ଭେଟିଥିଲେ । ପ୍ରତିରକ୍ଷା ସହଯୋଗ ଏବଂ ଯୋଗାଯୋଗ ବ୍ୟବସ୍ଥା ଉପରେ ଉଭୟ ଆଲୋଚନା କରିଛନ୍ତି । ରିପୋର୍ଟ ଅନୁଯାୟୀ, ମହମ୍ମଦ ୟୁନୁସ ଏହି ଅଞ୍ଚଳରେ କ୍ଷମତା ସନ୍ତୁଳନକୁ ନୂଆ ରୂପ ଦେବାକୁ ଚେଷ୍ଟିତ । ଏଥିପାଇଁ ରଣନୈତିକ ଦୃଷ୍ଟିରୁ ମଧ୍ୟ କାର୍ଯ୍ୟାଳୟ କରିଦେଇଥିବା ସୂଚନା ମିଳେ । ଏହାକୁ ଦୃଷ୍ଟି ରଖି ଭାରତ ତା’ର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ପ୍ରଚେଷ୍ଟା ଜାରି ରଖିବା ସ୍ୱାଭାବିକ ।
ବାଂଲାଦେଶରେ ଘଟିଯାଇଥିବା ଛାତ୍ର ଆନ୍ଦୋଳନ, ବିରୋଧୀଙ୍କ ଦମନ, ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଏବଂ ଭାରତ ପଳାୟନ, ୟୁନୁସଙ୍କୁ ଅନ୍ତରୀଣ ସରକାରର ମୁଖ୍ୟ କରାହେବା ପରଠାରୁ ଭାରତ ବିରୋଧୀ ଚିନ୍ତାଧାରା ସୃଷ୍ଟି କରିବା ପଶ୍ଚାତ୍ ଭାଗରେ ଏକ ବିରାଟ ପ୍ରାୟୋଜିତ କାର୍ଯ୍ୟକ୍ରମ ଚାଲିଥିବାର ଅନୁଭୂତ ହୁଏ । ୟୁନୁସ ଭାରତ ବିପକ୍ଷରେ ଗୋଟିଏ ପରେ ଗୋଟିଏ ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ନେଇ ଭାରତକୁ ହେୟଜ୍ଞାନ କରିବା ସହ ଭାରତର କ୍ଷତି ପହଞ୍ଚାଇବା ଦିଗରେ ତତ୍ପର । ଅପରପକ୍ଷେ, ପାକିସ୍ତାନ ଓ ଚୀନ ସହ ଘନିଷ୍ଠତା ବଢ଼ାଇ ଚାଲିଛନ୍ତି । ମହମ୍ମଦ ୟୁନୁସ ନୋବେଲ ପୁରସ୍କାର ବିଜେତା ଏବଂ ଜଣେ ଜ୍ଞାନୀ ବ୍ୟକ୍ତି । କିନ୍ତୁ ବୁଦ୍ଧିଜୀବୀର ଦୁନିଆ ରାଜନୀତିର ଦୁନିଆ ଠାରୁ ସଂପୂର୍ଣ୍ଣ ଭିନ୍ନ ହୋଇଥିବାରୁ ସେ ଖୁବ୍ଶୀଘ୍ର ଆମେରିକା, ଚୀନ ଓ ପାକିସ୍ତାନ ଜାଲରେ ଫସିଯାଇଛନ୍ତି । ତେଣୁ ସେମାନଙ୍କ ଇସାରାରେ ଏବଂ ପ୍ରତ୍ୟକ୍ଷ ସହଯୋଗିତାରେ ୟୁନୁସ ଭାରତ ବିପକ୍ଷରେ ପଦକ୍ଷେପ ନେବାରେ କରୁଛନ୍ତି ତତ୍ପରତା ପ୍ରଦର୍ଶନ ।
ମାରାତ୍ମକ ଚିନ୍ତାଧାରାର ନିପାତ ଜରୁରୀ
ଶେଖ୍ ହସିନା ଯଦି ବାଂଲାଦେଶର ସେଣ୍ଟ ଲୁଇସ୍ ଦ୍ୱୀପ ଆମେରିକାକୁ ହସ୍ତାନ୍ତର କରିଦେଇଥାନ୍ତେ, ତେବେ ଆଜି ସେ ପ୍ରଧାନମନ୍ତ୍ରୀ ପଦବିରେ ଥାଆନ୍ତେ ଏବଂ ୟୁନୁସ୍ ନିର୍ବାସିତ ଭାବେ ବିଦେଶରେ ଅବସ୍ଥାନ କରୁଥାନ୍ତେ । ବାଂଲାଦେଶରେ ବର୍ତ୍ତମାନ ଯାହା ଘଟୁଛି ତାହା ସେହି ଦେଶର ଆଭ୍ୟନ୍ତରୀଣ ବ୍ୟାପାର । କିନ୍ତୁ ତା’ର ପାଶ୍ୱର୍ପ୍ରତିକ୍ରିୟା ସ୍ୱରୂପ ଯାହା ଘଟିବାକୁ ଯାଉଛି ତାହା ଆମ ଦେଶ ପାଇଁ ଆଦୌ ଶୁଭଙ୍କର ନୁହେଁ ।
ପ୍ରଥମତଃ, ଭାରତ ସହିତ ବାଂଲାଦେଶ ସୀମାନ୍ତ ସବୁଠାରୁ ଦୀର୍ଘ ୪୦୯୬କି. ମି., ଯାହାକି ପ୍ରାୟତଃ ଉନ୍ମୁକ୍ତ । ଏଣୁ ବାଂଲାଦେଶରେ ଘଟୁଥିବା ଅଶାନ୍ତି, ଅସ୍ଥିରତା, ଅରାଜକତା ସୃଷ୍ଟିହେଲେ ଅନୁପ୍ରବେଶକାରୀଙ୍କ ସମେତ ବିଭିନ୍ନ ସମସ୍ତ ଉଗ୍ରବାଦୀ ସଂଗଠନର କାର୍ଯ୍ୟକଳାପ ଭାରତରେ ବୃଦ୍ଧିପାଇବା ସ୍ୱାଭାବିକ । ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ବାଂଲାଦେଶ ବାତ୍ୟା, ବନ୍ୟା, ମରୁଡ଼ି ଆଦି ପ୍ରାକୃତିକ ଦୁର୍ବିପାକରେ ଗୁରୁତର ପ୍ରଭାବିତ ଦେଶ । ତେଣୁ ସେଠାରେ ସାମାନ୍ୟତମ ବିପର୍ଯ୍ୟୟରେ ଭାରତ ଉପରେ ଅନୁପ୍ରବେଶ ସମସ୍ୟା ବୋଝ ଆହୁରି ବଢ଼ିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଭାରତ ବିରୋଧୀ ଆଭିମୁଖ୍ୟରେ ଚୀନ ଓ ପାକିସ୍ତାନ ବାଂଲାଦେଶର ମୌଳବାଦୀ ସଂଗଠନଗୁଡ଼ିକୁ ଆର୍ଥିକ ତଥା ସାମରିକ ସହାୟତା ଓ ସମର୍ଥନ ଯୋଗାଇ ଆସୁଛନ୍ତି । ବାଂଲାଦେଶର ଅସ୍ଥିରତା ଭାରତକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଭୂ-ରାନୈତିକ, କୂଟନୈତିକ, ଅର୍ଥନୈତିକ, ଆଭ୍ୟନ୍ତରୀଣ ସୁରକ୍ଷା, ସାର୍ବଭୌମ ଓ ଅଖଣ୍ଡତା ଦୃଷ୍ଟିରୁ ପ୍ରଭାବିତ କରିବା ନିଶ୍ଚିତ । ଉତ୍ତର-ପୂର୍ବ ଭାରତୀୟ ରାଜ୍ୟଗୁଡ଼ିକ ସହିତ ମୂଳ ଭୂଖଣ୍ଡ ଅଧିକ ବିପଦସଙ୍କୁଳ ହୋଇପଡ଼ିବ । ଏହାଦ୍ୱାରା ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଦେଇ ଆତଙ୍କବାଦୀ, କଳାଟଙ୍କା, ଡ୍ରଗ୍ସ, ଅସ୍ତ୍ରଶସ୍ତ୍ରର ବେଆଇନ କାରବାର ଭାରତରେ ବଢ଼ିବାର ଆଶଙ୍କା ଅଧିକ ନିଶ୍ଚିତ ହେବ, ଏଥିରେ ସନ୍ଦେହ ନାହିଁ । ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ଯଦି ସେଠାରେ ବି.ଏନ.ପି. ନେତ୍ରୀ ଖଲିଦା ଜିୟା କିମ୍ବା ଜାମାତ୍-ଏ-ଇସଲାମ ନେତା ସଫିକ ଉର୍ ରହମାନ ଶାସନ କ୍ଷମତାକୁ ଆସନ୍ତି ତେବେ ସେମାନେ ଚୀନ ଓ ପାକିସ୍ତାନ ଇଙ୍ଗିତରେ ଭାରତରେ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି କରିବାର ଆଶଙ୍କା ରହିଥିଲାବେଳେ ବାଂଲାଦେଶର ଶାନ୍ତି ଓ ସ୍ଥିରତା ମଧ୍ୟ ବ୍ୟାହତ ହେବ ।
ଭୂ-ରାଜନୈତିକ ଦୃଷ୍ଟିକୋଣରୁ ଦକ୍ଷିଣ ଏସିଆ, ପ୍ରଶାନ୍ତ ମହାସାଗର ଅଞ୍ଚଳରେ ବାଂଲଦେଶର ଭୌଗୋଳିକ ଅବସ୍ଥିତି ଆମେରିକା ପାଇଁ ଗୁରୁତ୍ୱପୂର୍ଣ୍ଣ । ବାଂଲାଦେଶରେ ନୌସେନା ଘାଟି ସ୍ଥାପନ କରି ଦକ୍ଷିଣ-ଚୀନ ସାଗର ଓ ତାଇୱାନ ଉପରେ ଚୀନର ଆଧିପତ୍ୟକୁ ପ୍ରତିହତ କରିବାକୁ ଆମେରିକା ସଦାସର୍ବଦା ଚେଷ୍ଟିତ । ଏଥିପାଇଁ ଆମେରିକା ଦେଇଥିବା ପ୍ରସ୍ତାବକୁ ଯଦି ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଗ୍ରହଣ କରି ସେଣ୍ଟ ଲୁଇସ୍ ଦ୍ୱୀପକୁ ଆମେରିକାକୁ ହସ୍ତାନ୍ତର କରିଦେଇଥାନ୍ତେ, ତେବେ ତାଙ୍କୁ ଗାଦିଚ୍ୟୁତ ହେବାକୁ ପଡ଼ିନଥାନ୍ତା । ବାଂଲାଦେଶର ଅସ୍ଥିରତା ଓ ଏଥିରେ ଆମେରିକା, ପାକିସ୍ତାନର ପ୍ରଚ୍ଛନ୍ନ ଭୂମିକା ପୃଷ୍ଠଭୂମିରେ ଚୀନ ମଧ୍ୟ ବାଂଲାଦେଶକୁ ହାତଛଡ଼ା କରିବାକୁ ଚାହୁଁନାହିଁ । ତେଣୁ ଆମେରିକା, ଚୀନ ଓ ପାକିସ୍ତାନ ବାଂଲାଦେଶକୁ ସାମରିକ ଉପନିବେଶ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ବାଂଲାଦେଶର ସାଧାରଣ ଜନତା ନିଜ ଅତୀତକୁ ଭୁଲିଯାଇ ଧର୍ମଦ୍ୱାହି ଦେଇ ବନ୍ଧୁ-ରାଷ୍ଟ୍ର ଭାରତକୁ ବିରୋଧ କରୁଛି । ୧୯୭୧ ମସିହାରେ ଯେଉଁ ବାଂଲାଦେଶକୁ ଭାରତ ସୃଷ୍ଟି କରିଥିଲା, ସେହି ଶତ୍ରୁ ବାଂଲାଦେଶକୁ ଉସୁକାଇ ଏବେ ଭାରତକୁ ତା’ର ଶତ୍ରୁ କରିପାରିଛନ୍ତି, ଏହା ହିଁ ଦୁର୍ଭାଗ୍ୟପୂର୍ଣ୍ଣ ।
ଏବେ ମହମ୍ମଦ ୟୁନୁସଙ୍କ ଆଗରେ ମୁଖ୍ୟ ଆହ୍ୱାନ ରହିଛି, ଦେଶରେ ନୀତିଗତ ସଂସ୍କାର ଏବଂ ଗଣତାନ୍ତ୍ରିକ ସରକାରର ପ୍ରତିଷ୍ଠା । ପାକିସ୍ତାନ ଓ ଚୀନ କୋଳରେ ବସିଲେ ତାହା ଆଦୌ ସମ୍ଭବ ନୁହେଁ । କିନ୍ତୁ ୟୁନୁସ୍ ଏହାକୁ ବୁଝିବାକୁ ନାରାଜ । ପଡ଼ୋଶୀଙ୍କ ଏଭଳି ସ୍ଥିତିରେ ଭାରତର ସମୟୋପଚିତ ପଦକ୍ଷେପ ଅବଶ୍ୟ ଜରୁରି ।