ରାଉଲକେଲା ୩୦/୫:କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋରୁ ମାଓବାଦୀ ମାନେ ଲୁଟି ନେଇଥିବା ୪ ଟନ ବିସ୍ଫୋରକ ମଧ୍ୟରୁ ୨ ଟନ୍ ଜବତ ହୋଇଛି। ଏହି ଲୁଟ୍ ପରେ ଝାଡ଼ଖଣ୍ଡ ଓ ଓଡ଼ିଶା ଯବାନ ପକ୍ଷରୁ ସରଣ୍ଡା ଜଙ୍ଗଲରେ ୨ ଦିନ ହେଲା ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଅପରେସନ ସମୟରେ ଓଡ଼ିଶା ସୀମାନ୍ତରୁ ୭ କିଲୋମିଟର ଦୂର ଝାଡ଼ଖଣ୍ଡର ସରଣ୍ଡାର ତିରିଲିପୋଷିରେ ଶୁକ୍ରବାର ଅପରାହ୍ନରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଘଟିଥିଲା ଗୁଳି ବିନିମୟ। ଏହି ଗୁଳି ବିନିମୟ ସମୟରେ ଯବାନଙ୍କ ମୁକାବିଲା କରି ନପାରି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ତିରିଲିପୋଷିରୁ ୨ ଟନରୁ ଅଧିକ ବିସ୍ଫୋରକ ଯବାନ ମାନେ ଉଦ୍ଧାର କରିଥିବା ବେଳେ ସେଠାରେ ବର୍ତ୍ତମାନ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଛନ୍ତି।