ନୂଆଦିଲ୍ଲୀ,୦୮/୦୧:  ସ୍ବାମୀ-ସ୍ତ୍ରୀ ଉଭୟେ ଚାକିରି କରୁଛନ୍ତି । ଯଦି ମହିଳା ଶାଶୁଙ୍କୁ ରୋଷେଇ ବା କାମରେ ସାହାଯ୍ୟ କରିପାରୁନାହାନ୍ତି ତାହାକୁ କ୍ରୁରତା ଭାବେ ବିବେଚନା କରାଯାଇପାରିବ ନାହିଁ । ଏହି ଆଧାର ଉପରେ ଛାଡପତ୍ର ଦିଆଯାଇପାରିବ ନାହିଁ । ଏନେଇ ତେଲେଙ୍ଗାନା ହାଇକୋର୍ଟ ଛାଡପତ୍ର ଉପରେ ହୋଇଥିବା ଏକ ଯାଚିକା ଉପରେ ଶୁଣାଣି କରି ଏପରି ନିଷ୍ପତ୍ତି ଶୁଣାଇଛନ୍ତି ।

ହାଇଦ୍ରାବାଦର ଏଲ୍‌ବି ନଗର ବାସିନ୍ଦା ଜଣେ ବ୍ୟକ୍ତିଙ୍କ ଆବେଦନର ଶୁଣାଣିରେ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । କ୍ରୂରତା ଆଧାରରେ ବିବାହ ସମ୍ପର୍କ ଛିନ୍ନ ଲାଗି ସ୍ୱାମୀ କରିଥିବା ଆବେଦନକୁ ପରିବାର ଅଦାଲତ ଖାରଜ କରିବା ପରେ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ବ୍ୟକ୍ତି ଅଭିଯୋଗ କରିଥିଲେ, ତାଙ୍କ ପତ୍ନୀ ନିୟମିତ ରୋଷେଇ କରୁନାହାନ୍ତି । ତାଙ୍କ ମା’ଙ୍କୁ ସହଯୋଗ କରୁନାହାନ୍ତି । ବାରମ୍ବାର ବାପ ଘରକୁ ଯାଉଛନ୍ତି । ଏ ସବୁ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବାରୁ ସେ ପତ୍ନୀଙ୍କଠୁ ଅଲଗା ହେବାକୁ ଚାହୁଁଥିଲେ । କିନ୍ତୁ ପରିବାର ଅଦାଲତ ତାଙ୍କ ଆବେଦନକୁ ଖାରଜ କରିବା ପରେ ସେ ତେଲଙ୍ଗାନା ହାଇକୋର୍ଟରେ ଆବେଦନ କରିଥିଲେ । 

ଜଷ୍ଟିସ୍‌ ମୌସୁମୀ ଭଟ୍ଟାଚାର୍ଯ୍ୟ ଓ ଜଷ୍ଟିସ୍‌ ନାଗେଶ ଭୀମାପକଙ୍କ ଖଣ୍ଡପୀଠ ତଥ୍ୟଗୁଡ଼ିକର ଯାଞ୍ଚ୍‌ କଲେ ଏବଂ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରିଦେଲେ । ମାମଲାର ଶୁଣାଣିରେ ଖଣ୍ଡପୀଠ ଉଲ୍ଲେଖ କଲେ, ସ୍ୱାମୀ ଦିନ ୧ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାମ କରୁଛନ୍ତି । ଅନ୍ୟପକ୍ଷେ, ପତ୍ନୀ ସକାଳ ୯ ଟାରୁ ସନ୍ଧ୍ୟା ୬ଟା ଯାଏ କାମ କରୁଛନ୍ତି । ସେହି ଦୃଷ୍ଟିରୁ ସକାଳେ ପତ୍ନୀ ରୋଷେଇ ନ କରିବା କ୍ରୂରତା ହୋଇପାରିବ ନାହିଁ । ବିଚାରପତି ଆହୁରି ଦର୍ଶାଇଲେ ଯେ, ଗର୍ଭପାତର ସମ୍ମୁଖୀନ ହେବା ପରେ ପତ୍ନୀଙ୍କର ବାପ ଘରେ ରହିବା ମଧ୍ୟ କ୍ରୂରତା ନୁହେଁ ।