ନୂଆଦିଲ୍ଲୀ, ୦୪/୦୧: ଦେଶରେ ଇ-ଯାନ ଏବଂ ହାଇବ୍ରିଡ ଯାନ ଉତ୍ପାଦନକୁ ସରକାର ପ୍ରୋତ୍ସାହିତ କରିବା ଲାଗି ଫେମ୍ ଯୋଜନା ଆଣିଥିଲେ । ଏହାର ଦ୍ୱିତୀୟ ପର୍ଯ୍ୟାୟରେ ସରକାର ୧୬.୧୫ ଲକ୍ଷ ଇଭିକୁ ସବ୍ସିଡି ଦେଇଛନ୍ତି । ଏହା ମଧ୍ୟରେ ୧୪.୨୪ ଲକ୍ଷ ଇ-ସ୍କୁଟର ଥିବା ବେଳେ ୧.୫୯ ଲକ୍ଷ ଇ-ତିନି ଚକିଆ, ୨୨,୫୪୮ ୟୁନିଟ ଚାରି ଚକିଆ ଯାନ ଏବଂ ୫୧୩୧ ୟୁନିଟ ବସ୍ ରହିଛି । ସେହିଭଳି ୧୦,୯୮୫ ଇଭି ପବ୍ଲିକ ଚାର୍ଜିଂ ଷ୍ଟେଶନକୁ ମଧ୍ୟ ମଞ୍ଜୁରି ମିଳିଛି । ୮୮୧୨ ଚାର୍ଜିଂ ଷ୍ଟେଶନ ସ୍ଥାପନ ଲାଗି ଅର୍ଥ ପ୍ରଦାନ କରାଯାଇଛି ।
୨୦୨୪ ଅକ୍ଟୋବର ସୁଦ୍ଧା ଏସବୁ ଯୋଜନାରେ ୮୮୪୮ କୋଟି ଟଙ୍କା ବିନିଯୋଗ ହୋଇଛି । ଏଥିରୁ ସବ୍ସିଡିର ଅଂଶ ୬୫୭୭ କୋଟି ରହିଛି । ଏହାବାଦ ୨୨୪୪ କୋଟିର ଭିତ୍ତିଭୂମି ସହାୟତା ଏବଂ ଅନ୍ୟ ଖର୍ଚ୍ଚ ବାବଦକୁ ୨୩ କୋଟି ଟଙ୍କା ରହିଛି । ପ୍ରଥମ ପର୍ଯ୍ୟାୟର ସଫଳତା ପରେ ୨୦୧୯ରେ ଫେମ୍ ୨ ଆଣିଥିଲେ ସରକାର । ଏଥିରେ ବିଭିନ୍ନ ବର୍ଗର ଇଭି ସହ ଚାର୍ଜିଂ ଭିତ୍ତିଭୂମି ବିକାଶ ଲାଗି ୧୧,୫୦୦ କୋଟିର ସହାୟତା ମଞ୍ଜୁର କରିଥିଲେ ସରକାର । ଅଦ୍ୟାବଧି ଦେଶରେ ୨୫, ୨୦୨ ଚାର୍ଜିଂ ଷ୍ଟେଶନ ବିକଶିତ ହୋଇଛି । କର୍ଣ୍ଣାଟକରେ ସର୍ବାଧିକ ୫୭୬୫ ଷ୍ଟେଶନ ସାମିଲ ରହିଛି । ୨୦୨୪ ସେପ୍ଟେମ୍ବରରେ ଇଭି ଗ୍ରହଣୀୟତାକୁ ଆଉ ପାଦେ ଆଗକୁ ନେବା ଲାଗି ପିଏମ୍ ଇ-ଡ୍ରାଇଭ ସ୍କିମ ଆସିଛି । ୨ ବର୍ଷ ଲାଗି ଏହି ଯୋଜନାକୁ ୧୦,୯୦୦ କୋଟିର ପାଣ୍ଠି ବ୍ୟବସ୍ଥା କରାଯାଇଛି।