କେନ୍ଦୁଝର ୧୮/୦୬ (ତାପସ ରଥ): ଦୌଡ଼ରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ବିଜେତା । ଇଚ୍ଛା ଥିଲା କ୍ରୀଡ଼ାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି  କରିବା । କିନ୍ତୁ ପରିବାରର ଦାୟିତ୍ୱ ହାତରେ ବସ୍‌ ଷ୍ଟିୟରିଂ ଧରାଇ ଦେଇଛି । ସେ ହେଲେ ଆମ  ବସ୍‌ ଡ୍ରାଇଭର ପଲ୍ଲବୀ ଦେଉରୀ ।  ବୟସ ମାତ୍ର ୨୫ । ଘର ଆସାମରେ । ଓଡ଼ିଶାକୁ କ୍ରୀଡାବିତ୍‌ ହେବାର ସ୍ୱପ୍ନ ନେଇ ଆସିଥିବା ପଲ୍ଲବୀ ଆଜି  ପରିବାର ପାଇଁ ଗାଡି ଚାଳକ ହୋଇଛନ୍ତି ।  

​​​​​​​ 

୧୦ ବର୍ଷ ତଳର କଥା । ଆସାମ ରାଜ୍ୟରେ ପରିବାର ସହିତ ବେଶ୍‌ ହସଖୁସିରେ ସମୟ  ଅତିବାହିତ କରୁଥିଲେ ପଲ୍ଲବୀ । ଆକସ୍ମିକ ଭାବେ ବାପାଙ୍କ ପରଲୋକ ଘଟିଥିଲା । ବାପାଙ୍କ  ପରଲୋକ ପରେ ଘରେ ମା’ ଓ ବଡ଼ ଭାଇ ।  ସେ ସମୟରେ ପଲ୍ଲବୀ ସହିତ ଜାତୀୟସ୍ତରର କ୍ରୀଡାବିତ୍‌ ଦୂତି ଚାନ୍ଦଙ୍କ ଭଉଣୀ ସରସ୍ୱତୀ ଚାନ୍ଦଙ୍କ ଭେଟ ହୋଇଥିଲା । ଦୌଡ଼ରାଣୀ ଭାବେ ପରିଚୟ ପାଇବା ଆଶାରେ ସେ ଆସାମ ଛାଡି ଓଡ଼ିଶା ପଳାଇ ଆସିଲେ । ଭୁବନେଶ୍ୱରରେ ରହି ଦୌଡ ପ୍ରଶିକ୍ଷଣ ନେବା ସହିତ ବାରଙ୍ଗ କୁଞ୍ଜବିହାରୀ କଲେଜରେ ଯୁକ୍ତ ୩ ପାଠ ପଢ଼ୁଥିଲେ ପଲ୍ଲବୀ । ଜଣେ ଦୌଡ଼ରାଣୀ ଭାବେ ସଫଳତା ମଧ୍ୟ ଅର୍ଜନ କରିଛନ୍ତି । ଆସାମ ରାଜ୍ୟରୁ ପ୍ରତିନିଧିତ୍ୱ କରି ୧୦୦  ମିଟର ଦୌଡ଼ରେ ୨ଟି ସ୍ୱର୍ଣ୍ଣପଦକ ସହିତ ୨ଟି  ରୌପ୍ୟ ପଦକ ମଧ୍ୟ ହାସଲ କରିଛନ୍ତି ।    

ସଫଳତାର ପାହାଚ ଚଢ଼ୁଥିବାବେଳେ ପରିବାରର ଆର୍ଥିକ ସ୍ଥିତି ଦୋହଲିବାକୁ ଲାଗିଲା । ଖେଳ ସହିତ ରୋଜଗାର କରି ପରିବାର ଚଳାଇବା ପାଇଁ ଶେଷରେ ସେ ବସ୍‌ ଚାଳକ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ । ୨୦୨୫ ମସିହାରେ ଭୁବନେଶ୍ୱରରେ ଭାରୀଯାନ ଚଳାଇବା ପାଇଁ ଲାଇସେନ୍ସ ହାସଲ କରିଥିଲେ । ଆସାମ ରାଜ୍ୟରେ ପୁଲିସ ଗାଡିର ଚାଳକ ହେବା ପାଇଁ ଆବେଦନ ମଧ୍ୟ କରିଛନ୍ତି ।  ସେଥିରେ କୃତକାର୍ଯ୍ୟ ହେବା ପୂର୍ବରୁ ରାଜ୍ୟର ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ଗୃହ ଓ ନଗର ଉନ୍ନୟନ  ବିଭାଗର କମିଶନର ଉଷା ପାଢ଼ୀ ପଲ୍ଲବୀର ଆଗ୍ରହ ଦେଖି ଆମ ବସ୍‌ ଚଳାଇବାକୁ ଉତ୍ସାହିତ କରିଥିଲେ । ପଲ୍ଳବୀ ଆଗ୍ରହ ସହକାରେ କାର୍ଯ୍ୟରେ ଯୋଗଦେବା  ପରେ ଅତ୍ୟାଧୁନିକ ଇ-ବସ୍‌ ସେବା ସମ୍ପର୍କରେ ଜାଣିବା ପାଇଁ ତାଲିମ ନେଇଥିଲେ ।

ଅଧିକ ପଢ଼ନ୍ତୁ :-  School Open: ସ୍କୁଲ ଖୋଲିବା ନେଇ ଅଜବ ନିୟମ,୧୦ ଜିଲ୍ଲାରେ ସକାଳୁଆ ପାଠପଢ଼ା, ୨୦ ଜିଲ୍ଲାରେ କ’ଣ ବରଫ ପଡ଼ୁଛି ?

ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ୍ନୌରେ ୧୫ ଦିନିଆ  ତାଲିମ ନେବା ପରେ ଗତ ମାସରେ ପଲ୍ଲବୀଙ୍କୁ କେନ୍ଦୁଝରରେ ସେବା ଯୋଗାଇବାକୁ ନିଯୁକ୍ତି ମିଳିଥିଲା । ସମସ୍ତ ବସ୍‌ ସମ୍ପୂର୍ଣ୍ଣ ଭାବେ ଏସି ହୋଇଥିବା ବେଳେ ପ୍ରତିଟି ବସ୍‌ରେ ସିସିଟିଭି କ୍ୟାମେରା, ପ୍ୟାନିକ୍‌ ବଟନ  ଓ ଜିପିଏସ୍‌ ବ୍ୟବସ୍ଥା ରହିଛି । ଆଡାସ୍‌ କ୍ୟାମେରା ମଧ୍ୟ ବ୍ୟବସ୍ଥା ରହିଛି । ଯାହାଦ୍ୱାରା ଯାତ୍ରୀମାନେ ବିଶେଷ କରି ମହିଳାମାନେ ନିର୍ଭୟରେ ଯାତ୍ରା କରିପାରିବେ । 

 

ଏହି ଯୋଜନା ମାଧ୍ୟମରେ ପ୍ରାୟ ୧୫୦ ଜଣ ନିଯୁକ୍ତି  ପାଇଥିବା ବେଳେ ସେମାନଙ୍କ ମଧ୍ୟରେ ୩୦ ଜଣ ମହିଳା ଗାଇଡ୍‌ ଏବଂ ୩ ଜଣ ମହିଳା ଡ୍ରାଇଭର ସାମିଲ  ଅଛନ୍ତି । ମହିଳାମାନଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯିବା ରାଜ୍ୟ ସରକାରଙ୍କ "ମହିଳା ଶକ୍ତି'  ଅଭିଯାନକୁ ଆହୁରି ସୁଦୃଢ଼ କରିଛି । ଦୈନିକ ୬୨୨  ଟଙ୍କା ପାରିଶ୍ରମିକରେ ୮ ଘଣ୍ଟା କେନ୍ଦୁଝର ଗଳିକନ୍ଦିରେ  ଗାଡି ଚଳାଇ ଲୋକଙ୍କୁ ସେବା ଯୋଗାଉଛନ୍ତି ଏହି ଯୁବ  ଚାଳିକା ପଲ୍ଲବୀ ।