ଭୁବନେଶ୍ୱର,୧୮/୦୬: ଟାଏଁ ଟାଏଁ ଖରା । ଭୀଷଣ ଗୁଳୁଗୁଳି । ବର୍ଷା ନାହିଁ । ଯଦି ବି ହେଉଛି, କାଁ ଭାଁ କିମ୍ବା ଅସରାଏ । ତା’ପରେ ପୁଣି ନିଆଁ ମାଡ଼ । ଏମିତି ଅସ୍ୱାଭାବିକ ଗରମ ଜ୍ୱାଳାରେ ଛଟପଟ ହୋଇ ଗୁରୁବାରଠାରୁ ୨୦ ଜିଲ୍ଲାରେ ଦିନ ୧୦ଟାରୁ ସ୍କୁଲ ଯିବେ କୋମଳମତି ଛାତ୍ରଛାତ୍ରୀ । ଦିନ ତମାମ ଗରମ, ଗୁଳୁଗୁଳିରେ ସନ୍ତୁଳି ହୋଇ ଶ୍ରେଣୀ କକ୍ଷରେ ବସି ପାଠ ପଢ଼ିବେ ।
ଖରା, ଗୁଳୁଗୁଳି ଏବଂ କାଳବୈଶାଖୀ ଆଶଙ୍କାରେ ୧୦ ଜିଲ୍ଲାରେ ଜିଲ୍ଲାପାଳ ସ୍କୁଲ ଛୁଟି ବଢ଼ାଇଛନ୍ତି ୨୦ ତାରିଖ ଯାଏଁ । ବଲାଙ୍ଗିର, ଅନୁଗୁଳ, ଗଞ୍ଜାମ, ସୁନ୍ଦରଗଡ଼, ବୌଦ୍ଧ, ସୋନପୁର, ସମ୍ବଲପୁର, ଝାରସୁଗୁଡା, ଦେବଗଡ଼, ବରଗଡ଼ ଜିଲ୍ଲାରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ସହ ଅଙ୍ଗନବାଡ଼ି ଏବଂ କଲେଜରେ ଖରା ଛୁଟି ବଢ଼ିଛି । ୨୧ ତାରିଖ ରବିବାର । ୨୨ ତାରିଖରୁ ସ୍କୁଲ ଖୋଲିବ । ଖରାକୁ ଦେଖି ନୂଆପଡ଼ା ଜିଲ୍ଲାରେ ୧୮ରୁ ୨୦ ଯାଏଁ ସକାଳୁଆ ସ୍କୁଲ ଘୋଷଣା ହୋଇଛି । ସକାଳ ସାଢ଼େ ୬ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ପାଠପଢ଼ା ହେବ ।
ଖରା ଛୁଟି ବଢ଼ାଇବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ହାତରେ ଛାଡ଼ି ଦେଇଛି ଗଣଶିକ୍ଷା ବିଭାଗ । ଏବେ ସାଧାରଣରେ ପ୍ରଶ୍ନ- ୧୦ ଜିଲ୍ଲାରେ ଯଦି ଖରା, ଗରମ ପାଇଁ ସ୍କୁଲ ଛୁଟି ବଢ଼ିଲା, ବାକି ୨୦ ଜିଲ୍ଲାରେ କାହିଁକି ନୁହେଁ? ଏହି ୨୦ ଜିଲ୍ଲାପାଳଙ୍କୁ ବୋଧହୁଏ, ଖରା, ଗୁଳୁଗୁଳି ଜଣାପଡ଼ୁନି । ନା ଏସବୁ ଜିଲ୍ଲାରେ ବରଫ ବର୍ଷା ହେଉଛି । ବୁଧବାର ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ତାପମାତ୍ରା ଥିଲା ୩୪.୮ ଡିଗ୍ରୀ ସେଲସିୟସ୍ ଓ ଗୋପାଳପୁରରେ ୩୩.୯ ଡିଗ୍ରୀ । ସେହିପରି ଦେବଗଡ଼ ତାପମାତ୍ରା ୩୬ଡିଗ୍ରୀ, ଅନୁଗୁଳ ୩୬.୭ ଡିଗ୍ରୀ, ସୁନ୍ଦରଗଡ଼ ୩୭.୮ ଡିଗ୍ରୀ ଥିଲା । ଏସବୁ ଅଞ୍ଚଳରେ ଏବେ ସ୍କୁଲ ଖୋଲିବ ନାହିଁ । କିନ୍ତୁ, ୩୮.୬ ଡିଗ୍ରୀ ତାଉରେ ସିଝୁଥିବା ଭୁବନେଶ୍ୱର ସହରରେ ପିଲାମାନେ ସ୍କୁଲ ଯିବାକୁ ବାଧ୍ୟ । ଯଦି ହିଟ୍ ଇଣ୍ଡେକ୍ସକୁ ହିସାବକୁ ନେବା, ସ୍ଥିତି ଆହୁରି ସାଂଘାତିକ । ଭୁବନେଶ୍ୱରରେ ଏବେ ଆର୍ଦ୍ରତା ପରିମାଣ ଅଧିକ ରହୁଛି । ଦିନ ୧୧ଟାରୁ ଅଢ଼େଇଟା ପର୍ଯ୍ୟନ୍ତ ୪୫ ଡିଗ୍ରୀରୁ ଅଧିକ ତାପମାତ୍ରା ଭଳି ଗରମ ଅନୁଭୂତ ହେଉଛି । କେବଳ ଭୁବନେଶ୍ୱର ନୁହେଁ, ପ୍ରାୟତଃ ଉପକୂଳ ଏବଂ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ତାପମାତ୍ରା ୩୭ ଡିଗ୍ରୀରୁ ଅଧିକ ଥିଲେ ମଧ୍ୟ ୪୫ ଡିଗ୍ରୀ ଭଳି ଗରମ ଅନୁଭୂତ ହେଉଛି । କଟକ, ବାଲେଶ୍ୱର, ଚାନ୍ଦବାଲି, କେନ୍ଦ୍ରାପଡ଼ା, ଜଗତସିଂହପୁର ସବୁଠି ଏମିତି ସ୍ଥିତି ।
ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟରେ ଗରମ, ଗୁଳୁଗୁଳି ନେଇ ପାଣିପାଗ ବିଭାଗ ସତର୍କ କରାଇଛି । ୧୮ ତାରିଖ (ଗୁରୁବାର) ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ଗରମ ଓ ଗୁଳୁଗୁଳି ଜାରି ରହିବ । କେବଳ ଗରମ, ଗୁଳୁଗୁଳି ନୁହେଁ, କାଳବୈଶାଖୀ ପ୍ରଭାବରେ ପ୍ରତିଦିନ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ୫୦-୬୦ କିଲୋମିଟର ବେଗରେ ପବନ ଆଶଙ୍କା ରହିଛି ।
ଅଧିକ ପଢ଼ନ୍ତୁ :- Police Encounter: ସୁନା ଲୁଟେରାଙ୍କୁ ପୁଲିସର ଏନ୍କାଉଣ୍ଟର, ଦୁଇ ଡକାୟତଙ୍କ ଗୋଡ଼ରେ ବାଜିଲା ଗୁଳି
ଏବେ ପ୍ରଶ୍ନ ଉଠୁଛି, ପାଣିପାଗ ବିଭାଗର ଏ ସତର୍କ ସୂଚନା ଏବଂ ଏସଆରସିଙ୍କ ସତର୍କ ବାର୍ତ୍ତା କ’ଣ ଏ ୨୦ ଜିଲ୍ଲାପାଳଙ୍କ ଦପ୍ତରକୁ ପହଞ୍ଚୁ ନାହିଁ? ମୌସୁମୀ ପ୍ରବେଶ ସତ୍ତେ୍ୱ ବର୍ଷା ନଥିବାରୁ ରାଜ୍ୟରେ ସାଂଘାତିକ ଗରମ । ଏ ଗ୍ରୀଷ୍ମ ଧାସ ଜିଲ୍ଲାପାଳ ମହାଶୟଙ୍କ ପ୍ରକୋଷ୍ଠ ଏବଂ ଗଣଶିକ୍ଷା ବିଭାଗର ଶୀତତାପ ନିୟନ୍ତ୍ରିତ ଦପ୍ତର ଭିତରକୁ ବୋଧହୁଏ ପଶୁନି। ହେଲେ ଗାଁ ଗହଳିରେ ପାଠ ପଢ଼ୁଥିବା ପିଲାମାନେ ଶ୍ରେଣୀ କକ୍ଷରେ କେମିତି ବସନ୍ତି, ତାହା କ’ଣ ଜିଲ୍ଲା ପ୍ରଶାସନ ଜାଣିପାରୁନି?
ସକାଳ ୯ଟାରୁ ଗରମ ପ୍ରକୋପ ଅସ୍ତବ୍ୟସ୍ତ କରୁଛି । ତେବେ ପିଲାମାନେ ୧୦ଟାବେଳେ କେମିତି ସ୍କୁଲରେ ପହଞ୍ଚିବେ? ଅନେକ ସ୍କୁଲରେ ଆବଶ୍ୟକତା ଅନୁସାରେ ଶ୍ରେଣୀ ଗୃହରେ ପଙ୍ଖା ନାହିଁ । ତା’ ଛଡ଼ା ଲୋ-ଭୋଲଟେଜ ଓ ବିଜୁଳି କାଟ ବି ଅଛି । ଏମିତିରେ ଅଂଶୁଘାତ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ଏଭଳି ସ୍ଥିତି ଉପୁଜିଲେ ଦାୟୀ କିଏ ହେବେ?
ଯଦି ୧୦ଟି ଜିଲ୍ଲାରେ ସ୍କୁଲ ଛୁଟି ବଢ଼ାଯାଉଛି, ବାକି ଜିଲ୍ଲାରେ ପିଲାଙ୍କ ଜୀବନକୁ କାହିଁକି ବିପଦକୁ ଠେଲା ଯାଉଛି? ଅଭିଭାବକଙ୍କୁ ଏହି ଚିନ୍ତା ଘାରିଲାଣି । କେବଳ ତାତି ନୁହେଁ, ଅପରାହ୍ନରେ କାଳବୈଶାଖୀ ସମ୍ଭାବନା ଅଧିକ ରହିଥାଏ । ଏହି ସମୟରେ ପିଲାମାନେ ଘରକୁ ଫେରିବାବେଳେ ବଜ୍ରପାତ, ପବନର ସାମ୍ନା କରିପାରନ୍ତି । ଏକଥାକୁ ସରକାର ଗୁରୁତର ସହ ଚିନ୍ତା କରିବାର ଆବଶ୍ୟକତା ରହିଛି ।