ନୂଆଦିଲ୍ଲୀ: ଫୁଣି ଆରମ୍ଭ ହୋଇଛି କୃଷକ ଆନ୍ଦୋଳନ। ସଂଯୁକ୍ତ କୃଷକ ମୋର୍ଚ୍ଚା(ଏସକେଏମ)ର ନେତୃତ୍ୱରେ ହଜାର ହଜାର କୃଷକ ଦିଲ୍ଲୀ-ନୋଏଡା ବୋର୍ଡରରେ ପହଞ୍ଚି ନିଜର ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ଏଥର କୃଷକ ମାନେ ଯେମିତି ହେଲେ ଦିଲ୍ଲୀ ଯାଇ ସରକାରଙ୍କୁ ନିଜର ଦାବି ଜଣେଇବେ ବୋଲି ଏସକେଏମ କହିଛି। ଉତ୍ତରପ୍ରଦେଶରୁ କୃଷକମାନେ ଆସି ଦିଲ୍ଲୀ-ନୋଏଡା ବର୍ଡରରେ ପହଞ୍ଚିଛନ୍ତି। 

ସୋମବାର ଦିନ ନୋଏଡା ମୁଖ୍ୟ ରାସ୍ତାରେ କୃଷକମାନେ ପହଞ୍ଚିବା ସହ ନିଜର ଆନ୍ଦୋଳନ ଜାରି ରଖିଛନ୍ତି। ଉତ୍ତରପ୍ରଦେଶରୁ ନଏଡା ଦେଇ ଦିଲ୍ଲୀ ଯିବାକୁ ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ଲୋକମାନଙ୍କ ଯିବା ଆସିବାରେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥିଲେ। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀ କୃଷକଙ୍କ ସହ ଏ ବିଷୟରେ ଆଲୋଚନା କରିଥଲେ। ଆଲୋଚନାରେ କୃଷକ ନେତାମାନଙ୍କ ଦାବି ପୁରଣ କରିବା ନେଇ ପୋଲିସ ପ୍ରତିଶ୍ରୃତି ଦେବାପରେ କୃଷକ ମାନେ ରାସ୍ତାରୁ ହଟି ଦଳିତ ପ୍ରେରଣା ସ୍ଥଳରେ ନିଜ ଧାରଣା ଦବା ଆରମ୍ଭ କରିଥିଲେ। 

ନୋଏଡା ସହ ସହବନ୍ଧିତ ତିନୋଟି ଡେଭଲୋପମେଣ୍ଟ ଅଥୋରିଟି ସହ ସହ କୃଷକ ମାନଙ୍କର ସମସ୍ୟା ଜଡିତ ରହିଛି। ନୋଏଡା, ଗ୍ରେଟର ନୋଏଡା ଓ ଯମୁନା ଅଥୋରିଟିର ଅଧିକାରି ମାନେ କୃଷକ ମାନଙ୍କ ସହ କଥାବାର୍ତ୍ତା କରିବା ପାଇଁ ଦଳିତ ପ୍ରେରଣା ସ୍ଥଳରେ ପହଞ୍ଚିଥିଲେ। ମୁଖ୍ୟତଃ ଦୁଇଟି ବିଷୟକୁ ନେଇ ଏହି ଆଲୋଚନା ହୋଇଥିଲା। କୃଷକ ମାନଙ୍କଠୁ ନିଆଯାଇଥିବା ଜମିରେ ସ୍ଥାପନ ହୋଇଥିବା ବିକଶିତ ଅଞ୍ଚଳରୁ 10 ପ୍ରତିଶତ ଜମି ସେମାନଙ୍କୁ ଫେରାଇ ଦିଆଯାଉ ବୋଲି ପ୍ରଥମ ଆଲୋଚନାର ବିଷୟ ଥିଲା। ଆଲୋଚନାର ଦ୍ୱିତୀୟ ବିଷୟ ଥିଲା ଭୂମି ଅଧିଗ୍ରହଣ ଆଇନ 2013ରେ ଥିବା ନୋଏଡା ଅଞ୍ଚଳର ଆଖପାଖ ଅଞ୍ଚଳକୁ ବି ବିକଶିତ ଅଞ୍ଚଳ ଭାବେ ମାନ୍ୟତା ଦିଆଯାଉ। ଯାହା ଦ୍ୱାରା କୃଷକମାନଙ୍କୁ ଅଧିକ କ୍ଷତିପୂରଣ ରାଶି ମିଳି ପାରିବ ବୋଲି। 

ଆସନ୍ତା ସପ୍ତାହ ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ହେବ ବୋଲି କୃଷକ ଏବଂ ଅଧିକାରୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ସେପର୍ଯ୍ୟନ୍ତ, ଦଳିତ ପ୍ରେରଣା ରୋଡ ନିକଟରେ ଥିବା କୃଷକମାନେ ବିରୋଧ ପ୍ରଦର୍ଶନ ଜାରି ରଖିବେ ବୋଲି କହିଛନ୍ତି।