କଟକ,୨୩/୦୪: କଟକ ଜିଲ୍ଲାର କିଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ଯଦିଓ କଟକ ସହରରେ ଥିବା ସିଟି ହସ୍ପିଟାଲ, ଶିଶୁଭବନ ଓ ଅନ୍ୟ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ରହିଛି କିନ୍ତୁ ସେଗୁଡିକ କେତେ କାର୍ଯ୍ୟକ୍ଷମ ସେ ବାବଦରେ କାହାରି ପାଖରେ ସୂଚନା ନାହିଁ । ତେଣୁ ଦୁଇଦିନ ଭିତରେ କଟକ ଜିଲ୍ଲାର ସମସ୍ତ ସହରାଞ୍ଚଳ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ୍ ଓ ତଦାରଖ କରାଯିବ । କଟକ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ କମିଟି ସମୀକ୍ଷା ବୈଠକରେ ଏ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବ୍ୟବସ୍ଥା ଯାଞ୍ଚ୍ କରାଯିବା ପରେ ମାସେ ଭିତରେ ସହର ଓ ଗ୍ରାମାଞ୍ଚଳର ସବୁ ସରକାରୀ ହସ୍ପିଟାଲରେ ମକ୍‌ଡ୍ରିଲ୍ କରାଯିବ ବୋଲି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି ।

ଏସ୍‌ସିବିରେ ଅଗ୍ନିକାଣ୍ଡ ପରେ ଓଡ଼ିଶାର ବିଭିନ୍ନ ସରକାରୀ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନିଶ୍ଚିତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ଯେହେତୁ କଟକରେ ଏତେ ବଡ଼ ଅଘଟଣ ଘଟିଛି ତେଣୁ ଅନ୍ୟ ହସ୍ପିଟାଲରେ ଯେଭଳି କୌଣସି ସମସ୍ୟା ନଉପୁଜିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଏ ଦିଗରେ ବିସ୍ତୃତ ଆଲୋଚନା କରାଯାଇଛି । କଟକ ସହରରେ ରହିଥିବା ସରକାରୀ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି । କିନ୍ତୁ ଗ୍ରାମାଞ୍ଚଳରେ କିଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ହୋଇନାହିଁ । ବିଶେଷ କରି ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ କିଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ୟା ରହିଛି । ତେଣୁ ଏହାର କିଭଳି ସମାଧାନ କରାଯିବ ସେଥିପାଇଁ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ଅଗ୍ନିଶମ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର କମିଟି ଏହାର ଯାଞ୍ଚ୍ କରିବ । ଦୁଇଦିନ ଭିତରେ ଯାଞ୍ଚ୍ କରାଯାଇ ରିପୋର୍ଟ ପ୍ରଦାନ କଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ।

ଅଧିକ ପଢ଼ନ୍ତୁ :-  ଜନଗଣନା ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ଆକ୍ସନ୍, ସଙ୍ଗିନ ଦଫାରେ ଗିରଫ ହୋଇ ଜେଲ୍ ଗଲେ ବାପା- ଦୁଇ ପୁଅ

ଏହାଛଡ଼ା ଯେଉଁଠି ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିଛି ସେଠାରେ ମକ୍‌ଡ୍ରିଲ୍ କରାଯିବ । ଯାହାଫଳରେ ଅଗ୍ନି ବାବଦରେ ସଚେତନତା ସହ ସେଠାରେ ରହିଥିବା ଯନ୍ତ୍ରାଂଶ କାର୍ଯ୍ୟ କରିବାକୁ ଉପଯୋଗୀ କି ନାହିଁ ତାର ତଦାରଖ କରାଯାଇପାରିବ । ତେଣୁ ଏ ପ୍ରକ୍ରିୟା ଆସନ୍ତା ମାସେ ଭିତରେ ଶେଷ କରିବାକୁ ଯୋଜନା କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ଶିଶୁ ଓ ମାତୃ ମୃତ୍ୟୁ ନେଇ କଟକ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ରହିଛି । ବିଶେଷ କରି ସାଲେପୁର ଓ ଟାଙ୍ଗୀ ଅଞ୍ଚଳରେ ଅଧିକ ସମସ୍ୟା ରହିଛି । ଏ ନେଇ ବୈଠକରେ ଉଦ୍ବେଗ ପ୍ରକାଶ କରାଯାଇଥିଲା । ମାତୃ ଅପପୁଷ୍ଟି ସହିତ ନିୟମିତ ଚେକ୍ଅପ୍ କରାନଯିବା ଦ୍ୱାରା ମା’ ଓ ଗର୍ଭରେ ଥିବା ଶିଶୁ ଉଭୟେ ବିପଦରେ ପଡୁଛନ୍ତି । ଗର୍ଭଧାରଣ କରିବାର ସମୟ ଭିତରେ ମା’ର ଓଜନ ସ୍ୱାଭାବିକ ଠାରୁ ୧୨ ରୁ ୧୩ କେଜି ପର୍ଯ୍ୟନ୍ତ ବୃଦ୍ଧି ହେବା ଜରୁରୀ । ତେଣୁ ଏହାକୁ ନେଇ ଗର୍ଭବତୀଙ୍କୁ ପୁଷ୍ଟିକର ଖାଦ୍ୟ ସହିତ ନିୟମିତ ଖାଦ୍ୟପେୟ ଯାଞ୍ଚ୍, ଔଷଧ, ଚିକିତ୍ସା ସୁବିଧା ଓ ଅଲ୍ଟ୍ରାସାଉଣ୍ଡ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।