ଭୁବନେଶ୍ୱର ୨୬/୦୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ମେଡିକାଲ୍‌ ସାଇନସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲର ଜରୁରୀକାଳୀନ ମେଡିସିନ୍‌ ବିଭାଗ ପକ୍ଷରୁ ଆୟୋଜିତ ଏକ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କୁ ବେସିକ୍‌ ଲାଇଫ ସପୋର୍ଟ (ବିଏଲ୍‌ଏସ୍‌), କାର୍ଡିଓ ପଲ୍‌ମୋନାରୀ ରିସସିଟେସନ୍‌ ( ସିପିଆର) ଓ ପେସେଂଟ ସେଫ୍ଟି ଟ୍ରେନିଂ ପ୍ରଦାନ କରାଯାଇଛି । 

ଏହି ପ୍ରଶିକ୍ଷଣ ଶିବିରରେ ପ୍ରାୟ ୬୫ ଜଣ ଅଗ୍ନିଶମ କର୍ମଚାରୀ (ଆଗ୍ନିକ)ଙ୍କୁ ୮ଟି ଦଳରେ ବିଭକ୍ତ କରାଯାଇ ଚଳିତ ବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୂର୍ବ ପ୍ରାକ୍‌ ପ୍ରସ୍ତୁତି ପ୍ରଶିକ୍ଷଣ କରିବା ସହିତ ଜରୁରୀକାଳୀନ ପରିସ୍ଥିତିରେ ଅଚେତ ହୋଇଥିବା ଲୋକଙ୍କୁ କିପରି ସିପିଆର୍‌, ବିଏଲ୍‌ଏସ୍‌ ଏବଂ ଆହତ ଅବସ୍ଥାରେ ରୋଗୀକୁ କିପରି ପ୍ରାଥମିକ ଚିକିତ୍ସା ପ୍ରଦାନ ସହିତ ସ୍ଥାନାନ୍ତର କରାଯିବ ସେ ନେଇ ସମ୍‌ ହସ୍ପିଟାଲ ପରିସରରେ ୮ ଘଂଟା ପ୍ରଶିକ୍ଷିତ କରାଯାଇଥିଲା । ଏହି ଶିବିର ଗୁରୁବାର ଉଦ୍‌ଯାପିତ ହୋଇଛି । 

ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଅଗ୍ନିଶମ ସେବାର ଆଡିସ୍‌ନାଲ ଡିଜି ଡକ୍ଟର ସୁଧାଂଶୁ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ କୌଣସି ଲୋକ ଯଦି ଅଚେତ ହୋଇଯାଏ ତାକୁ କିପରି ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା, ସିପିଆର ଏବଂ ବିଏଲ୍‌ଏସ୍‌ ପ୍ରଦାନ କରାଯିବ ସେ ନେଇ ଆଗ୍ନିକମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ନିତାନ୍ତ ଆବଶ୍ୟକ।

ଯେକୌଣସି ସ୍ଥାନରେ କୌଣସି ଦୁର୍ଘଟଣା ଘଟିବା ସଙ୍ଗେ ସଙ୍ଗେ ସେ ସ୍ଥାନରେ ପ୍ରଥମେ ଅଗ୍ନିଶମ ସେବା ବିଭାଗର କର୍ମଚାରୀ ପହଂଚି ପ୍ରାଥମିକ ସେବା ପ୍ରଦାନ କରିଥାନ୍ତି । କିନ୍ତୁ ଯଦି ଅଗ୍ନିଶମ ବିଭାଗର କର୍ମଚାରୀମାନେ ଏଥିରେ ପ୍ରଶିକ୍ଷିତ ହୋଇ ନଥିବେ ତେବେ ସେମାନେ ସେଥିରେ ବ୍ୟବହୃତ ହେଉଥିବା ସରଞ୍ଜାମର ବ୍ୟବହାର ବିଷୟରେ ଅବଗତ ହୋଇପାରିବେ ନାହିଁ । ତେଣୁ ସେମାନେ ପ୍ରଥମେ ସରଞ୍ଜାମର ବ୍ୟବହାର ବିଷୟରେ ବିଶେଷ ଜ୍ଞାନ ଆହରଣ କରିବା ଉଚିତ । ଏହାକୁ କିପରି ବ୍ୟବହାର କରିବେ ସେ ବିଷୟରେ ଅବଗତ ହେବା ଜରୁରୀ। ଏହିଭଳି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ସେମାନେ ବେଶ୍‌ ଉପକୃତ ହେବେ ବୋଲି ସେ କହିଥିଲେ। 

ଡ. ଷଡ଼ଙ୍ଗୀ କହିଥିଲେ ଯେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ରତିଦିନ ଆମେ ଏକ ରୁ ଦୁଇ ଜୀବନ ରକ୍ଷା କରୁଛନ୍ତି । ଚଳିତ ବର୍ଷ ରଥଯାତ୍ରା ଉପଲକ୍ଷେ ଏହି ଅଗ୍ନିଶମ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେବା ସହିତ ଏ ଭଳି ଅଭିନବ ପ୍ରୟାସ ନିମନ୍ତେ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲର କର୍ତୃପକ୍ଷ, ବିଭାଗୀୟ ମୁଖ୍ୟ ଓ ବିଶେଷଜ୍ଞମାନଙ୍କୁ ଡକ୍ଟର ଷଡଙ୍ଗୀ ସାଧୁବାଦ ଜଣାଇଥିଲେ  ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲର ମେଡିକାଲ୍‌ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସ୍ୱାଗତ ଭାଷଣ ଦେବା ସହିତ ୬୫ ଜଣ ଅଗ୍ନିଶମ କର୍ମଚାରୀମାନଙ୍କୁ ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ବିଷୟରେ ପ୍ରଶିକ୍ଷିତ କରାଯାଇଛି ବୋଲି କହିଥିଲେ ।

ପାଲିଆଟିଭ୍‌ ତଥା ଜରୁରୀକାଳୀନ ମେଡିସିନ୍‌ ବିଭାଗର ମୁଖ୍ୟ ତଥା ପ୍ରଫେସର (ଡାକ୍ତର) ଶୁକଦେବ ନାୟକ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ପ୍ରଶିକ୍ଷିତ ହୋଇଥିବା ସମସ୍ତ ଅଗ୍ନିଶମ କର୍ମଚାରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ସେମାନଙ୍କୁ ଥିଓରି ଓ ପ୍ରାକ୍ଟିକାଲ୍‌ ଶିକ୍ଷା ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । 

ହସ୍ପିଟାଲ୍‌ର ଇନ୍‌ଚାର୍ଜ ଡିନ୍‌ ତଥା ଇନ୍‌ଏଟି ବିଭାଗର ମୁଖ୍ୟ ପ୍ରଫେସର ( ଡାକ୍ତର) ସୌମ୍ୟରଂଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । 

ଏହି କାର୍ଯ୍ୟକ୍ରମର ପ୍ରୋଗ୍ରାମ କୋର୍ଡିନେଟର ଶ୍ରୀ ସଚ୍ଚିଦାନନ୍ଦ ସାହୁ, ଶ୍ରୀ ସୁନୀଲ ଶାହା, ଆସିଷ୍ଟାଂଟ ପ୍ରଫେସର (ଡ.) ଆନନ୍ଦ କୁମାର ଦାଶ, ଆସିଷ୍ଟାଂଟ ପ୍ରଫେସର (ଡ.) ତପନ କୁମାର ରାୟ, ପ୍ରଫେସର (ଡ.) ଶୁଭଦୀପ୍ତ ସିଟ୍‌କୋଶ, ସିନିୟର ରିସର୍ଚ୍ଚ ମ୍ୟାନେଜର ଦେବାଶିଷ ନାୟକ ଓ ଜରୁରୀକାଳୀନ ମେଡିସିନ୍‌ ବିଭାଗର ସମସ୍ତ ପ୍ରଫେସର, ଡାକ୍ତର ଓ ବିଶେଷଜ୍ଞ ଉପସ୍ଥିତ ଥିଲେ ।