ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବଡୱାନି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଠାରେ ଏକ କାର ଏବଂ ଏକ ଟ୍ରକ୍ ଭିତରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ତୁରନ୍ତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ କହିଛି ଯେ ପୀଡିତ ମାନେ ତେଲ ଭରିବା ପାଇଁ ଜୁଲୱାନିଆ ଯାଇଥିଲେ। ସେଠାରୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାର ତଦନ୍ତ ଚାଲିଛି ଏବଂ ମୃତକ ମାନଙ୍କୁ ଚିହ୍ନଟ କରାଯାଇଛି । 

ପୋଲିସ ରିପୋର୍ଟ କରିଛି ଯେ, ମଙ୍ଗଳବାର ମଧ୍ୟପ୍ରଦେଶର ବଡୱାନି ଜିଲ୍ଲାର ଜୁଲୱାନିଆ ସହର ନିକଟରେ ଏକ କାର ଏବଂ ଏକ ଟ୍ରକ୍ ଧକ୍କା ହୋଇଥିଲା। ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ରିପୋର୍ଟ କରିଛି ଯେ, ଦୁର୍ଘଟଣା ମଙ୍ଗଳବାର ଅପରାହ୍ନ ସାଢେ ୪ ରୁ ୫ଟା ମଧ୍ୟରେ ଘଟିଛି। କାରରେ ଥିବା ସମସ୍ତ ଲୋକ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଜଲଗାଓଁରୁ ରୁଇ ଆସିଥିଲେ ଏବଂ ଯେତେବେଳେ ସେମାନଙ୍କ କାରରେ ତେଲ ସରିଗଲା, ସେମାନେ ତେଲ ଭରିବା ପାଇଁ ଜୁଲୱାନିଆ ଯାଇଥିଲେ।"

ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଟୋଲ୍ ଟ୍ୟାକ୍ସ ଚେକ୍ ପୋଷ୍ଟ ନିକଟରେ ସେମାନଙ୍କ କାର ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା, ଯାହା ଫଳରେ ଘଟଣାସ୍ଥଳେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଅଧିକାରୀ କହିଛନ୍ତି ଯେ ପରେ ବଡୱାନି ସହରର ଏକ ଘରୋଇ ହସ୍ପିଟାଲରେ ଅନ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଥିଲା।