ଢ଼ାକା/ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ପୁଣି ଥରେ ମହମ୍ମଦ ୟୁନୁସ ସରକାରଙ୍କ ଉପରେ ବର୍ଷିଛନ୍ତି । ଗତ ଅଗଷ୍ଟରେ ବାଂଲାଦେଶରେ ହୋଇଥିବା ବିଦ୍ରୋହ ସମ୍ପର୍କରେ ସେ ଏକ ଗମ୍ଭୀର ଦାବି କରିଛନ୍ତି। ସେ କହିଛନ୍ତି ଯେ, ଗତବର୍ଷ ଅଗଷ୍ଟ ୫ ତାରିଖରେ ବାଂଲାଦେଶ ବ୍ୟାପକ ବିରୋଧ ପ୍ରଦର୍ଶନର ସମ୍ମୁଖୀନ ହୋଇଥିଲା ଏବଂ ସେଠାରେ ରହିବା ତାଙ୍କ ପାଇଁ ବିପଦପୂର୍ଣ୍ଣ ଥିଲା।
ପ୍ରଧାନମନ୍ତ୍ରୀ ଥିବା ସମୟରେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳିମାଡ଼ କରିବାକୁ ସେ ଅନୁମତି ଦେଇଥିବା ଅଭିଯୋଗକୁ ଶେଖ ହସିନା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘ପ୍ରଦର୍ଶନ ସମୟରେ ବାଂଲାଦେଶରେ ରହିବା କେବେଳ ମୋ ପାଇଁ ନୁହେଁ, ବରଂ ମୋ ଆଖପାଖରେ ଥିବା ଲୋକଙ୍କ ପାଇଁ ବିପଦ ଥିଲା । ମୁଁ ଦେଶରେ ଗଣତନ୍ତ୍ରର ପୁନରୁଦ୍ଧାର ପାଇଁ ପ୍ରତିବଦ୍ଧ। ଜଣେ ନେତା ଭାବରେ, ମୁଁ ନେତୃତ୍ବର ଦାୟିତ୍ୱ ନେଉଛି ।’
ଦି ଇଣ୍ଡିପେଣ୍ଡେଣ୍ଟ ସହିତ ଏକ ସାକ୍ଷାତକାରରେ ଶେଖ୍ ହସିନା କହିଛନ୍ତି, ‘ଗତବର୍ଷ ସୁରକ୍ଷା ବାହିନୀକୁ ଭିଡ଼ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ । ସୁରକ୍ଷା ବାହିନୀ ମଧ୍ୟରେ ଶୃଙ୍ଖଳାର ଅଭାବ ଯୋଗୁଁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ସରକାର ହତ୍ୟାକାଣ୍ଡର ଏକ ତଦନ୍ତ ଆରମ୍ଭ କରିଥିଲେ, ଯାହାକୁ ପରେ ୟୁନୁସ୍ ସରକାର ବନ୍ଦ କରିଦେଇଥିଲେ।’
ସେ କହିଛନ୍ତି ଯେ, ଯଦି ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ତାଙ୍କୁ ମୃତ୍ୟୁଦଣ୍ଡ ଦିଅନ୍ତି, ତେବେ ସେ ଆଶ୍ଚର୍ଯ୍ୟ ହେବେ ନାହିଁ କିମ୍ବା ଭୟ ମଧ୍ୟ କରିବେ ନାହିଁ। ଆଇସିଟି ହେଉଛି ଏକ ମିଛ କୋର୍ଟ । ଏହାର ଅଧ୍ୟକ୍ଷତା ମୋର ରାଜନୈତିକ ବିରୋଧୀମାନଙ୍କୁ ନେଇ ଗଠିତ ଏକ ଅଣ ନିର୍ବାଚିତ ସରକାର ଦ୍ୱାରା କରାଯାଉଛି । ସେହି ବିରୋଧୀମାନଙ୍କ ମଧ୍ୟରୁ ଅନେକ ମୋତେ ହଟାଇବା ପାଇଁ ଯେକୌଣସି ସୀମା ପର୍ଯ୍ୟନ୍ତ ଯାଇପାରିବେ ।
ଗତବର୍ଷ ବାଂଲାଦେଶରେ ଚାକିରି କ୍ଷେତ୍ରରେ ସଂରକ୍ଷଣ ହଟାଇବା ଦାବିରେ ଆରମ୍ଭ ହୋଇଥିଲା ବିଶାଳ ଆନ୍ଦୋଳନ । ଦେଶବ୍ୟାପୀ ବିଦ୍ରୋହରେ ଅନେକ ଲୋକ ପ୍ରାଣ ହରାଇଥିଲେ । ଫଳରେ ଶେଖ୍ ହସିନାଙ୍କୁ ଦେଶ ଛାଡି ପଳାଇବାକୁ ପଡିଥିଲା। ପରେ ମହମ୍ମଦ ୟୁନୁସ ଦେଶର ଅନ୍ତରୀଣ ସରକାରରେ ମୁଖ୍ୟ ହୋଇଥିଲେ । ସେପଟେ ଖୁବଶୀଘ୍ର ବାଂଲାଦେଶରେ ନିର୍ବାଚନ ହୋଇପାରେ । ଏହା ପରେ ବାଂଲାଦେଶର ସ୍ଥିତି ଆଗକୁ କଣ ହେବ ତାହା ସ୍ପଷ୍ଟ ହୋଇଯିବ ।