ନୂଆଦିଲ୍ଲୀ: ଫ୍ରାନ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ୟାରିସ୍ରେ ଆୟୋଜିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ସମିଟରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେବେ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଘୋଷଣା କରିଛନ୍ତି । ପିଏମ୍ ମୋଦୀ ଫେବ୍ରୁଆରୀ ୧୦-୧୧ରେ ପ୍ୟାରିସରେ ଆୟୋଜିତ ହେବାକୁ ଥିବାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ସମିଟରେ ଭାଗ ନେବେ ବୋଲି ଜଣାପଡ଼ିଛି । ତେବେ ଏଆଇ କ୍ଷେତ୍ରରେ ଭାରତ ସହ ସମ୍ପର୍କକୁ ମଜଭୁତ କରିବା ଏହାର ଉଦ୍ଦେଶ୍ୟ ବୋଲି ମାକ୍ରନ୍ କହିଛନ୍ତି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଦୁଇଟି ବଡ଼ ପ୍ରତିରକ୍ଷା ବୁଝାମଣା ଉପରେ ହସ୍ତାକ୍ଷର ହୋଇପାରେ । ଏହି ଚୁକ୍ତିର ଆନୁମାନିକ ମୂଲ୍ୟ ୧୦ ବିଲିୟନ ଡଲାରରୁ ଅଧିକ ହୋଇପାରେ । ଏଥିରେ ଭାରତୀୟ ନୌସେନା ପାଇଁ ୨୬ ରାଫେଲ୍-ଏମ୍ ଯୁଦ୍ଧ ବିମାନ କ୍ରୟ ଏବଂ ତିନି ଅତିରିକ୍ତ ସ୍କର୍ପିୟନ ଶ୍ରେଣୀର ପାରମ୍ପରିକ ବୁଡ଼ାଜାହାଜ ଚୁକ୍ତି ସାମିଲ ରହିଛି । ଏହି କ୍ରୟ ପାଇଁ ଆଗାମୀ କିଛି ଦିନରେ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟିରୁ ମଞ୍ଜୁରି ମିଳିବାର ସମ୍ଭାବନା ରହିଛି । ଏହି ବୁଝାମଣା ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ଅଧିକ ମଜଭୁତ କରିବ ବୋଲି କୁହାଯାଉଛି ।
ଭାରତୀୟ ନୌସେନା ପାଖରେ ବର୍ତ୍ତମାନ ଦୁଇଟି ବିମାନବାହାକ ପୋତ ରହିଛି । ଗୋଟିଏ ଆଇଏନ୍ଏସ୍ ବିକ୍ରମାଦିତ୍ୟ ଏବଂ ଅନ୍ୟଟି ସ୍ୱଦେଶୀ ଆଇଏନ୍ଏସ୍ ବିକ୍ରାନ୍ତ । ଏହି ଦୁଇ ବୁଡ଼ାଜାହାଜ ପାଇଁ ୨୬ ରାଫେଲ୍-ଏମ୍ ଯୁଦ୍ଧ ବିମାନ ନେଇ ଚୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ପୂରଣ କରିବ । ଏଥିରେ ୨୨ ସିଙ୍ଗଲ୍-ସିଟର ଏବଂ ୪ ଟ୍ରେନର ବିମାନ ସାମିଲ ରହିବ । ଏହାହ ତିନି ଅତିରିକ୍ତ ସ୍କର୍ପିୟନ ଶ୍ରେଣୀର ବୁଡ଼ାଜାହାଜ ପାଇଁ ଚୁକ୍ତି ନୌସେନାର କ୍ଷମତାକୁ ଅଧିକ ବଢାଇବ ।
ଏହି ତିନି ବୁଡ଼ାଜାହାଜକୁ ଫ୍ରାନ୍ସର ନେଭଲ ଗ୍ରୁପ୍ ଏବଂ ଭାରତର ମାଝଗାଁଓ ଡକ୍ ଶିପବିଲ୍ଡର୍ସ ଲିମିଟେଡ୍ ଦ୍ୱାରା ନିର୍ମାଣ କରାଯିବ । ନୌସେନା ପାଇଁ ଅତିରିକ୍ତ ସ୍କର୍ପିୟନ ଏକ ଗୁରୁତ୍ୱପୂର୍ଣ୍ଣ ଅବଶ୍ୟକତା ଅଟେ । ଏହି ତିନି ସ୍କର୍ପିୟନ ବୁଡ଼ାଜାହାଜର ପ୍ରଥମ ଡେଲିଭରି ୨୦୩୧ରେ ହେବାର ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ, ଗତ ଦେଢ଼ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ଦ୍ବିତୀୟ ଫ୍ରାନ୍ସ ଗସ୍ତ ହେବାକୁ ଯାଉଛି । ଜୁଲାଇ ୨୦୨୩ରେ ଫ୍ରାନ୍ସର ବାଷ୍ଟିଲ୍ ଡେ’ ପରେଡରେ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ ମୋଦୀ । ଏହି ସମୟରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଥିବା କୂଟନୈତିକ ସଂପର୍କକୁ ଦୀର୍ଘ ୨୫ ବର୍ଷ ପୂରିଥିଲା । ମୋଦୀଙ୍କ ଏହି ଗସ୍ତ ପରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ୨୦୨୪ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।