ଭୁବନେଶ୍ୱର, ୧୯/୦୬ : ଯୋଜନା ଥିଲା ବଡ଼ ଉଚ୍ଚକାଂକ୍ଷୀ । ସହରୀ ଯାତ୍ରୀଙ୍କ ସ୍ୱଳ୍ପ ମୂଲ୍ୟରେ ବସ୍ ସେବା ଯୋଗାଇବା । ହେଲେ ଏହାର ସଜ୍ଞା ଏବେ ବଦଳି ଯାଇଛି । ଆମ ବସ୍କୁ ପଇସା ରୋଜଗାର ନିଶା ଏବେ ଘାରିଛି । ଏଣିକି ଆମ ବସ୍ରେ ଯଦି ବ୍ୟାଗ୍ ନେଇ ଯାତ୍ରା କରିବେ, ତାହେଲେ ଗଣିବାକୁ ପଡ଼ିବ ଟଙ୍କା । ପ୍ରଥମେ ବିଜ୍ଞାପନ ଆଉ ଏବେ ଲଗେଜ୍ ପାଇଁ ଯାତ୍ରୀଙ୍କଠାରୁ ଟଙ୍କା ଆଦାୟକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି।
ବୁଧବାର ଲକ୍ଷ୍ମୀପ୍ରିୟା ରାଉତ କଟକ ରେଳ ଷ୍ଟେସନରୁ ଭୁବନେଶ୍ୱର ଅର୍ନ୍ତଜାତୀୟ ବିମାନ ବନ୍ଦର ଆସିଲେ । ସାଙ୍ଗରେ ଆଉ ଜଣେ ସମ୍ପର୍କୀୟ ରହିଥିଲେ । ରୁଟ୍ ନଂ-୮୦ରେ ଆସୁଥିବା ଏହି ବସ୍ ପ୍ରତି ଯାତ୍ରୀ ପିଛା ୩୦ ଟଙ୍କା ଏବଂ ସାଙ୍ଗରେ ଛୋଟ ବ୍ୟାଗ୍ ପାଇଁ ଅତିରିକ୍ତ ୧୫ ଟଙ୍କା ମାଗିଲେ । ଏପରି ଗାଏ ମୋଟ୍ ୭୫ ଟଙ୍କା ଦାବି କଲେ କଣ୍ଡକ୍ଟର । ହେଲେ ସେ ଏହାକୁ ବିରୋଧ କଲେ । ମାତ୍ର ଛୋଟିଆ ବ୍ୟାଗ୍ ଯାତ୍ରୀର ଅଧା ଭଡ଼ା କାହିଁକି ବୋଲି ପ୍ରଶ୍ନ କଲେ । ଯାହାକୁ ନେଇ ବିବାଦ ଦେଖାଦେଲା । ପରିଶେଷରେ ସେ ଟଙ୍କା ଗଣିଲେ । ଏ ଗୋଟିଏ ମାତ୍ର ଉଦାହରଣ । ଏପରି ପ୍ରତିଦିନ ଆମ ବସ୍ ଯାତ୍ରାରେ ବ୍ୟାଗ୍ ପିଛା ଅତିରିକ୍ତ ଟଙ୍କା ଗଣିବାକୁ ଯାତ୍ରୀଙ୍କୁ ବାଧ୍ୟ କରାଯାଉଛି । ଯାହାକୁ ନେଇଯାତ୍ରୀ ପ୍ରତିବାଦ ଉଠାଉଛନ୍ତି ।
ପ୍ରତିଦିନ ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ଏବଂ ରାଉରକେଲା ଭଳି ବଡ଼ ସହରରେ ହଜାର ହଜାର ଯାତ୍ରୀ ଏଥିରେ ଯାତ୍ରା କରୁଛନ୍ତି । ସେଥିମଧ୍ୟରୁ ଅଧିକାଂଶ ଯାତ୍ରୀ ଦୁର୍ବଳ ବର୍ଗ ବା ମଧ୍ୟବିତ୍ତ ଶ୍ରେଣୀର । ସେମାନଙ୍କୁ ସୁବିଧାରେ ଯାତ୍ରୀ ସେବା ଯୋଗାଇ ଦେବାକୁ କ୍ରୁଟ ପକ୍ଷରୁ ଯେଉଁ ପ୍ରୟାସ ଆରମ୍ଭ ହୋଇଥିଲା, ତାହା ଆସ୍ତେ ଆସ୍ତେ ବ୍ୟାବସାୟିକ ଆଡକୁ ଗତି କରୁଥିବା ଅନୁମାନ ହେଉଛି । ପ୍ରତିଦିନ ଭୁବନେଶ୍ୱରେ କର୍ମଜୀବୀ ମହିଳା, କଲେଜ ଛାତ୍ରଛାତ୍ରୀ, ଗରିବ ଲୋକେ ବସ୍ରେ ଯାତ୍ରା କରୁଛନ୍ତି । ସେମାନେ ଅତିବେଶିରେ ଛୋଟ୍ ବ୍ୟାଗ୍ ବ୍ୟବହାର କରୁଛନ୍ତି । ଏହା ସହ ରେଳ ଷ୍ଟେସନ ଏବଂ ବରମୁଣ୍ଡା ବସ୍ଷ୍ଟାଣ୍ଡକୁ ଆମ ବସ୍ ଯୋଗେ ଅଧିକାଂଶ ଯାତ୍ରୀ ଯାଉଛନ୍ତି । ଯଦି ସେମାନଙ୍କ ପାଖରୁ ଲଗେଦ୍ ବ୍ୟାଗ୍ ପାଇଁ ଏପରି ଟଙ୍କା ଆଦାୟ କରାଯାଏ । ଯେଉଁ ଲକ୍ଷ୍ୟ ନେଇ ଆମ ବସ୍ ସେବା ଆରମ୍ଭ ହୋଇଥିଲା, ତାହା ସଫଳ ହେବ ତ ବୋଲି ପ୍ରଶ୍ନ ଉଠିଛି । ପୂର୍ବରୁ ଆମ ବସ୍ରେ କୌଣସି ବିଜ୍ଞାପନ ମରାଯାଉନଥିଲା । ବସ୍ରେ ଓଡ଼ିଶା କଳା ସଂସ୍କୃତିର ଛାପ ରହିଥିଲା । ସହର ମଧ୍ୟରେ ଏହାର ସୌନ୍ଦର୍ଯ୍ୟ ଝଟକୁଥିଲା । ହେଲେ ଏହାକୁ ହଟାଇ ବିଜ୍ଞାପନ ମରା ହୋଇଛି । ପୂରା କଦର୍ଯ୍ୟ ଦେଖାଯାଉଛି । ଏହାକୁ ହଟାଇବାକୁ ଦାବି ହୋଇଛି ।
କ୍ରୁଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କିଛିଦିନ ହେବ ଏପରି ନିୟମ ଲାଗୁ ହୋଇଛି । ଏହାଦ୍ୱାରା କ୍ରୁଟକୁ ସାମୟିକ ଭାବେ କିଛି ରାଜସ୍ୱ ଆସୁଛି । କ୍ରୁଟ କ୍ଷତିରେ ସହୁଥିବାରୁ ଏପରି କିଛି ନଷ୍ପତ୍ତି ନିଆଯାଇଛି । ପ୍ରତିଦିନ କ୍ରୁଟର ୩ ଲକ୍ଷରୁ ଅଧିକ ଯାତ୍ରୀ ଯିବା ଆସିବା କରୁଛନ୍ତି । ବସ୍ ଭିଡ଼ ରହୁଛି । ତଥାପି କ୍ରୁଟ ଗରିବ ଏବଂ ଭଡ଼ାରୁ ଟଙ୍କା ବଞ୍ଚୁନି । ଯାତ୍ରୀଠାରୁ ବ୍ୟାଗ୍ ପାଇଁ ପଇସା ଏବଂ ବିଜ୍ଞାପନ ମାରି ଗୁଜୁରାଣ ମେଣ୍ଟାଉଛି ବୋଲି କିଛି ବୁଦ୍ଧିଜୀବୀ ମତ ଦେଇଛନ୍ତି ।
ଆହୁରି ପଢନ୍ତୁ- ରାଜ୍ୟରେ ସକ୍ରିୟ ନାହିଁ ମୌସୁମୀ, ଏବେ ସୁଦ୍ଧା ୪୬ ପ୍ରତିଶତ ନିଅଣ୍ଟିଆ ବର୍ଷା,୨୫ ବେଳକୁ ବଢ଼ିପାରେ ବର୍ଷାର ପରିମାଣ
Fishfed Conspiracy: Chilika Fresh in Danger| ବନ୍ଦ ହେଇଯିବ କି ତାଜା ମାଛ ବିକୁଥିବା ଚିଲିକା ଫ୍ରେସ୍ ?