• ଅତୀତରେ ସମୁଦ୍ର ଗର୍ଭରେ ଥିଲା ବାରିପଦ
  • ଖେଳୁଥିଲେ ସାର୍କ ମାଛ ପରି ବିଶାଳ ସାମୁଦ୍ରିକ ଜୀବ 
  • ଅସୁରହାଡ଼ ପାଲଟିଛି ପୁରୁଣା ସମୁଦ୍ର ଜୀବନ୍ତ ସଂଗ୍ରହାଳୟ
  • ବାରିପଦାରେ ଫସିଲ ପାର୍କ ପ୍ରତିଷ୍ଠା ପାଇଁ ଉଠୁଛି ସ୍ୱର

ବାରିପଦା,୧୯/୦୬: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରୁ ବାହାରି ବାରିପଦା ଦେଇ ବାଲେଶ୍ୱରର ବଳରାମ ଗଡି ଠାରେ ବଙ୍ଗୋପସାଗରରେ ମିଶିଥିବା ବୁଢ଼ାବଳଙ୍ଗ ନଦୀ ଗର୍ଭରେ ଲୁଚି ରହିଛି ପ୍ରାଚୀନତମ ସମୁଦ୍ରର ଅକୁହା କାହାଣୀ । ମୟୂରଭଞ୍ଜ ନାମକ ଭୂଖଣ୍ଡର ଅନେକ ଭୁତାତ୍ତ୍ୱିକ ରହସ୍ୟ ଏବେ ବି ଅନାବିଷ୍କୃତ ହୋଇ ଲୋକଲୋଚନକୁ ଆସି ପାରି ନ ଥିବା ବେଳେ ବାରିପଦା ସହର ଉପକଣ୍ଠ ବୁଢାବଳଙ୍ଗ ନଦୀ ଶଯ୍ୟାର ଅସୁରହାଡ ଠାରେ ଥିବା ‘ଫସିଲ୍‌ ବେଡ୍‌’ ଲକ୍ଷ ଲକ୍ଷ ବର୍ଷର ପ୍ରାଚୀନ ଇତିହାସ ସଂପର୍କରେ ବୟାନ କରୁଛି ।

ଗବେଷକଙ୍କ ମତରେ ଏଠାରେ ମିଳୁଥିବା ଫସିଲ୍‌ ବା ଜୀବାଶ୍ମ ପ୍ରାୟ ୧୨ରୁ ୧୫ ଲକ୍ଷ ବର୍ଷ ପୁରୁଣା । ଅର୍ଥାତ୍‌ ମାୟୋସିନ୍‌ ଯୁଗର । ଆଜିର ବାରିପଦା ସେତେବେଳେ ସଂପୂର୍ଣ୍ଣ ଭାବେ ସମୁଦ୍ର ଗର୍ଭରେ ଥିଲା । ଯାହା ବଙ୍ଗୋପସାଗର ସହ ସଂଯୁକ୍ତ ହୋଇ ରହିଥିଲା । ଏଇଠାରେ ଅଥଳ ସମୁଦ୍ରରେ ସାର୍କମାଛ ପରି ବିଶାଳ ସାମୁଦ୍ରିକ ଜୀବ ଖେଳୁଥିଲେ । ଜଳବାୟୁ ପରିବର୍ତ୍ତନ ହେଉ ବା ଅନ୍ୟ କୌଣସି ଠୋସ କାରଣରୁ ସମୟକ୍ରମେ ସମୁଦ୍ର ଦୂରକୁ ଚାଲି ଯାଇଥିଲେ ବି ଲକ୍ଷଲକ୍ଷ ବର୍ଷ ଧରି ସାମୁଦ୍ରିକ ଜୀବଙ୍କର ଜୀବାଶ୍ମ ବାରିପଦା ସହର ଉପକଣ୍ଠ ‘ଅସୁରହାଡ’ ଠାରେ ଜୀବନ୍ତ ସଂଗ୍ରହାଳୟ ହୋଇ ବୁଢାବଳଙ୍ଗ ନଦୀ ଶଯ୍ୟାରେ ରହିଯାଇଛି । ହଜାର ହଜାର ବର୍ଷ ଧରି ଜଳପ୍ରବାହର ଧାରା ଓ ଏଠାରେ ଥିବା ଟିଲକମାଟିର ସଂସ୍ପର୍ଶରେ ଆସି ଏଭଳି ପ୍ରାକୃତିକ ପରତ ସୃଷ୍ଟିହୋଇ ମନରେ କୌତୁହଳ ଓ ବିସ୍ମୟ ସୃଷ୍ଟି କରୁଛି  ।

ବାରିପଦାର ଷ୍ଟେସନବଜାର ସ୍ଥିତ ଆଶୀର୍ବାଦ ଛକରୁ ପ୍ରତାପପୁର ରାସ୍ତାରେ ପ୍ରାୟ ୫କିମି ଯିବା ପରେ ମହୁଲିଆ ଛକ ପଡିବ । ସେହି ଛକରୁ ପଶ୍ଚିମ ଆଡକୁ ପ୍ରାୟ ଦୁଇ କିମି ରାସ୍ତା ଅତିକ୍ରମ ପରେ ବୁଢାବଳଙ୍ଗ କୂଳରେ ରହିଛି ଅସୁର ହାଡ ଗାଁ । ପୂର୍ବେ କୁଆଡେ ଦାନବ ବା ଅସୁରଙ୍କୁ ନିପାତ କରି ଦେବତାମାନେ ଏହିଠାରେ ପକାଇଥିବାରୁ ଆଜିବି ହାଡ, କଙ୍କାଳ ଭଳି ଦିଶୁଥିବା ଶିଳାଗୁଡିକ ନଦୀଶଯ୍ୟାରେ ରହିଥିବାରୁ ଏହି ସ୍ଥାନର ନାମ ଅସୁରହାଡ ହୋଇଛି ବୋଲି ସ୍ଥାନୀୟ ଲୋକଙ୍କର ବିଶ୍ୱାସ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ,ଏହି ଫସିଲ୍‌ ସମୂହ କେବଳ ପ୍ରସ୍ତର ଶିଳା ନୁହେଁ, ଏଗୁଡିକ ହେଉଛି ପୃଥିବୀର ଜଳବାୟୁ ପରିବର୍ତ୍ତନର ମୂକସାକ୍ଷୀ । ବୈଜ୍ଞାନିକମାନେ ଏଇଥିରୁ ହିଁ ଜାଣିପାରନ୍ତି କୋଟି କୋଟି ବର୍ଷ ଆଗରୁ ସମୁଦ୍ରର ଅବସ୍ଥିତି କେମିତି ଥିଲା । ଏହାଛଡା ସେ ସମୟର ତାପମାତ୍ରା ସହିତ କେଉଁକେଉଁ ପ୍ରଜାତିର ଜୀବଜନ୍ତୁ ଦେଖିବାକୁ ମିଳୁଥିଲେ ସେ ସଂପର୍କରେ ମଧ୍ୟ ତଥ୍ୟ ମିଳେ । ଏହି ତଥ୍ୟ ବଳରେ ଜଳବାୟୁ ପରିବର୍ତ୍ତନର ଧାରା ବା ପ୍ରବାହକୁ ବୁଝିବାରେ ବୈଜ୍ଞାନିକ ମାନେ ସମର୍ଥ ହୋଇଥାନ୍ତି । ଏହି ଅମୂଲ୍ୟ ସଂପଦକୁ ସୁରକ୍ଷା ପାଇଁ ପଦକ୍ଷେପ ନେବା ସହ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ବୁଢାବଳଙ୍ଗ ନଦୀ ଶଯ୍ୟାରୁ ମିଳୁଥିବା ଏହି ଫସିଲ୍‌କୁ ସଂଗ୍ରହ କରି ଏକ ଫସିଲ୍‌ ପାର୍କ ପ୍ରତିଷ୍ଠା ପାଇଁ ସରକାରଙ୍କୁ ଇନଟାକ୍‌ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ନେଇ ଭୁବନେଶ୍ୱର ଚାପ୍ଟରର କନଭେନର ଅନୀଲ୍‌ ଧୀର୍‌ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଏହି ସ୍ଥାନ ଗତ କୋଟି କୋଟି ବର୍ଷ ଧରି ସ୍ଥାନୀୟ ଅଞ୍ଚଳର ଜୀବନ ପରିବର୍ତ୍ତନର କାହାଣୀ କହୁଛି । ଏହାକୁ ସଂରକ୍ଷଣ କରିବା କେବଳ ବୈଜ୍ଞାନିକ ବା ସରକାରଙ୍କ ଦାୟିତ୍ୱ ନୁହେଁ । ଏହାର ସଂରକ୍ଷଣ ଦାୟିତ୍ୱ ଆମ ସମସ୍ତଙ୍କର । ଫସିଲ୍‌ ପାର୍କ ପ୍ରତିଷ୍ଠା ହେଲେ ଏକ ବିଶ୍ୱସ୍ତରୀୟ ଜିଓ ଟୁରିଜିମ୍‌ ଗନ୍ତବ୍ୟ ସ୍ଥଳ ଭାବେ ଓଡ଼ିଶାର ମୟୂରଭଞ୍ଜ ପରିଚିହ୍ନିତ ହେବ । ଯଦି ଫସିଲ୍‌ ପାର୍କ ହୁଏ, ତେବେ ଛାତ୍ର ଗବେଷକ, ପର୍ଯ୍ୟଟକ ଓ ସାଧାରଣ ଲୋକମାନେ ପ୍ରାଚୀନ ସମୁଦ୍ର ଜୀବନକୁ ନିଜ ଆଖିରେ ଦେଖିପାରିବେ । ଏହା କେବଳ ଶିକ୍ଷା ପାଇଁ ନୁହେଁ ବରଂ ସ୍ଥାନୀୟ ଅଞ୍ଚଳର ଅର୍ଥନୀତି ପାଇଁ ମଧ୍ୟ ବରଦାନ ହେବ । ରାଜସ୍ଥାନର ଆକାଲ୍‌ ଫସିଲ୍‌ ପାର୍କ ପରି ବାରିପଦା ମଧ୍ୟ ସାରା ବିଶ୍ୱରେ ପରିଚିତ ହେବ ।

 

ଅଧିକ ପଢନ୍ତୁ- Rath Khala Update: ରଥ କୋଣଗୁଜ, ଚାରିନାହାକାରେ ସମେତ ବିଭିନ୍ନ ଅଂଶରେ ଫାଟ, ପ୍ରଚଣ୍ଡ ଖରାଯୋଗୁ କଞ୍ଚା କାଠ ସଙ୍କୁଚିତ