ଇନ୍ଦୋର ୨୦/୧୧: ଗତ ସୋମବାର (୧୮ ତାରିଖ) ରାତିରେ ଇନ୍ଦୋରରେ ଅନୁଷ୍ଠିତ ଶାକାହାରୀ ବିବାହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା । ବ୍ୟାଙ୍କ୍‌ କର୍ମଚାରୀ ଗିରୀଶ ଶାହଙ୍କ ସାନ ଝିଅ କ୍ଷମାଙ୍କ ବିବାହରେ ଅତିଥିଙ୍କ ପାଇଁ ଖାସ୍‌ ବ୍ୟବସ୍ଥା ହୋଇଥିଲା । ପରିବାରେ ପ୍ରସ୍ତୁତ ସ୍ୱାଦିଷ୍ଟ ମିଠା ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା । ଉଦ୍ଭିଦଜାତ ଦୁଗ୍ଧରେ ପ୍ରସ୍ତୁତ କୁଲ୍‌ଫି ଓ ଚା’ ଅତିଥିଙ୍କୁ ପରଷାଯାଇଥିଲା । ଭୋଜନରେ କୌଣସି ପ୍ରକାର ଦୁଗ୍ଧଜାତ ଉତ୍ପାଦ, ଅଦା, ରସୁଣ, ଗାଜର, ମୂଳା, ଶଲଗମ୍‌, ଆଳୁ ବ୍ୟବହୃତ ହୋଇନଥିଲା । ବିବାହରେ ଢୋଲ ବାଜିନଥିଲା କି ବର ଘୋଡ଼ାରେ ଆସିନଥିଲା । ଅତିଥିମାନେ ସୂତା ପୋଷାକରେ ଯୋଗ ଦେଇଥିଲେ । ଏହି ନିଆରା ବିବାହରେ ପ୍ରସ୍ତୁତ ଶାକାହାରୀ ବ୍ୟଞ୍ଜନ ଅତ୍ୟନ୍ତ ସ୍ୱାଦିଷ୍ଟ ଥିଲା । 

ଅତିଥିଙ୍କ ମଧ୍ୟରେ ଏହାକୁ ନେଇ ଖାସ୍‌ ଉତ୍ସାହ ଦେଖିବାକୁ ମିଳିଥିଲା । ବିବାହ ମଣ୍ଡପ ମଝିରେ ଏକ ବଡ଼ ବ୍ୟାନର୍‌ ଲାଗିଥିଲା, ଯେଉଁଥିରେ ଉଲ୍ଲେଖ ହୋଇଥିଲା ‘ଇନ୍ଦୋରର ପ୍ରଥମ ଜୈନ ଭେଗାନ୍‌ ବିବାହ’ । ଗିରୀଶଙ୍କ ପରିବାରରେ ଏହା ୨ୟ ଶାକାହାରୀ ବିବାହ । ଏହା ପୂର୍ବରୁ ସେ ବଡ଼ ଝିଅର ମଧ୍ୟ ଏଭଳି ବିବାହ କରିଥିଲେ । ବିବାହରେ ଖାଦ୍ୟ ପ୍ରସ୍ତୁତ କରିଥିବା ଇନ୍ଦୋର ବାସିନ୍ଦା କ୍ୟାଟରର୍‌ ଧର୍ମା ଗୁରୁ କହିଛନ୍ତି, ପ୍ରଥମେ ବିନା ଖୁଆ ଓ କ୍ଷୀରରେ ମିଠା ପ୍ରସ୍ତୁତ କରିବାରେ ଟିକିଏ ସମସ୍ୟା ହେଉଥିଲା । ପରେ ଆମେ ବିକଳ୍ପ ବାହାରକଲୁ । ପୋଟଳ ମିଠାରେ ଆମେ ବାଦାମ ଓ କାଜୁ ପେଷ୍ଟ୍‌ ବ୍ୟବହାର କଲୁ । ସେହିପରି କୁନ୍ଦୁରିରେ ମଧ୍ୟ ସମାନ ପେଷ୍ଟ୍‌ ଦେଲୁ । ବାଦାମ କ୍ଷୀରରେ କୁଲ୍‌ଫି ପ୍ରସ୍ତୁତ କଲୁ । ବ୍ୟଞ୍ଜନଗୁଡ଼ିକ ଏତେ ସ୍ୱାଦିଷ୍ଟ ଥିଲା ଯେ ସମ୍ପୂର୍ଣ୍ଣ ଉଦ୍ଭିଦଜାତ ଦ୍ରବ୍ୟରୁ ପ୍ରସ୍ତୁତ ହୋଇଥିଲା ବୋଲି ଅତିଥି ଆଦୌ ଜାଣିପାରିଲେ ନାହିଁ । ଏହି ପ୍ରୟାସ ପୂର୍ଣ୍ଣ ଶାକାହାରୀ ଭୋଜି ପାଇଁ ଲୋକଙ୍କୁ ପ୍ରେରିତ କରିବ ବୋଲି ବିବାହରେ ସାମିଲ ଅତିଥି କହିଛନ୍ତି ।