ନୂଆଦିଲ୍ଲୀ : ଫ୍ରାନ୍ସର ଏଭିୟନ-ଲେସ୍ –ଭେନ୍ସ ସହରରେ ଆୟୋଜିତ ୫୨ତମ ଜି-୭ ଶିଖର ସମ୍ମିଳନରେ ପିଏମ ମୋଦି ଓ ଆମେରିକୀୟ ରାଷ୍ଟ୍ରପତିଙ୍କ ଭେଟଘାଟ ହୋଇ ଥିଲା। ୧୭ମାସ ପରେ ହୋଇଥିବା ଏହି ସାକ୍ଷାତ ପର୍ବରେ ପୂର୍ବ ଭଳି ଆଉ ସେତେ ଉତ୍ସା ନଥିଲା। ଦୁଇ ନେତା ମିଟିଂ ହଲରେ ପରସ୍ପର ସହ ହାତ ମିଳାଇଲେ ଏବଂ ଅଳ୍ପ ବହୁତ କଥାବାର୍ତ୍ତା ମଧ୍ୟ କଲେ , ହେଲେ ପୂର୍ବଭଳି ଆଉ ପରସ୍ପରକୁ ଆଲିଙ୍ଗନ କରିବା ଦେଖିବାକୁ ମିଳି ନଥିଲା।

ଯେତେବେଳେ ସବୁ ନେତା ମିଟିଂ ହଲ ଛାଡ଼ି G7 ପରିବାର ଫଟୋ ପାଇଁ ବାହାରକୁ ଗଲେ, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଟ୍ରମ୍ପଙ୍କ ମଧ୍ୟରେ ଏକ ବ୍ୟବଧାନ ଦେଖାଯାଉ ଥିଲା। ଫଟୋରେ, ଗୋଟିଏ ପାର୍ଶ୍ୱରେ ଟ୍ରମ୍ପ ଏବଂ ଅନ୍ୟ ପାର୍ଶ୍ୱରେ ପ୍ରଧାନମନ୍ତ୍ରୀ ମୋଦି ଦେଖାଯାଉ ଥିଲେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଝିରେ ଠିଆ ହୋଇଥିଲେ।

ଉଲ୍ଲେଖନୀୟ ଯେ, ଶୁଳ୍କ ଏବଂ ବାଣିଜ୍ୟ ଚୁକ୍ତି ବିବାଦକୁ ନେଇ କିଛି ଦିନ ହେବ ଭାରତ-ଆମେରିକା ସମ୍ପର୍କରେ ଉତ୍ତେଜନା ସୃଷ୍ଟି ହୋଇଛି। ଯଦିଓ ପ୍ରଧାନମନ୍ତ୍ରୀ ମୋଦି ଏବଂ ଟ୍ରମ୍ପ ଫୋନ୍ ମାଧ୍ୟମରେ କଥାବାର୍ତ୍ତା ଜାରି ରଖିଛନ୍ତି, କିନ୍ତୁ ଜୁନ୍ ୧୧ ତାରିଖର ଘଟଣା ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ତୀବ୍ର କରିଛି।

ଇରାନ ସହିତ ଯୁଦ୍ଧ କରୁଥିବା ଆମେରିକୀୟ ସେନା ସିନାସ୍ ବନ୍ଦର ନିକଟରେ MT ଜଳବୀର ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ୨୪ ଜଣ ଭାରତୀୟ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଏକ ମାଲବାହୀ ଜାହାଜ ଉପରେ ଏହି ବିପଦପୂର୍ଣ୍ଣ ଆକ୍ରମଣ ଏବଂ ଭାରତୀୟଙ୍କ ମୃତ୍ୟୁ ଆମେରିକାକୁ ଅଡୁଆରେ ପକାଇ ଦେଇଛି। ଭାରତ ଆମେରିକୀୟ କୂଟନୀତିଜ୍ଞଙ୍କୁ ଡକାଇ ଭର୍ତ୍ସନା କରିବା ସହ କଡ଼ା ପ୍ରତିବାଦ କରିଛି।

ଯେତେବେଳେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏହି ଘଟଣା ବିଷୟରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ କଥା ହୋଇଥିଲେ, ସେ ଆକ୍ରମଣର କଡ଼ା ନିନ୍ଦା କରି ଥିଲେ। କିନ୍ତୁ, ଯେତେବେଳେ ରୁବିଓ ଏହି କଥାବାର୍ତ୍ତା ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ ସେୟାର କରିଥିଲେ, ସେତେବେଳେ ସେ ଦୁଃଖ ଏବଂ ଅନୁତାପ ପ୍ରକାଶ କରିବା ପରିବର୍ତ୍ତେ ଅହଂକାର ବ୍ୟକ୍ତ ଥିଲେ। ସେ ଲେଖି ଥିଲେ, ଆମେରିକୀୟ ଅବରୋଧ ଭାଙ୍ଗିବାର ଯେକୌଣସି ପ୍ରୟାସକୁ ବରଦାସ୍ତ କରାଯିବ ନାହିଁ। ରୁବିଓଙ୍କ ଏହି ବୟାନ ଭାରତରେ ଏକ ବଡ଼ ହଇଚଇ ସୃଷ୍ଟି କରିଛି। ଭାରତୀୟମାନେ ତ ଆମେରିକା ଉପରେ କ୍ରୋଧିତ, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନୋଭାବକୁ ଦେଖିଲେ ସ୍ପଷ୍ଟ ଯେ ସେ ବି ଟ୍ରମ୍ପଙ୍କ ଉପରେ ଖୁସି ନାହାନ୍ତି।

ଏବେ ପିଏମ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଏହିପରି ସ୍ଥିତି ଭିତରେ ପ୍ରଥମ ଥର ଅଫିସିଆଲି ମିଟିଂ ହେବାକୁ ଯାଉଛି , ଏହି ମିଟିଂ ବେଳେ ଓମାନରେ ହୋଇଥିବା ଆକ୍ରମଣକୁ ନେଇ ଆଲୋଚନା ହୋଇପାରେ। ଏହା ବ୍ୟତୀତ ତୈଳ, ଏଚ-୧ ବି ଭିସା ଉପରେ କଥାବାର୍ତ୍ତା ସହ ଭାରତ-ଆମେରିକା ଟ୍ରେଡ୍ ଡିଲ୍ ଉପରେ ମଧ୍ୟ ବଡ଼ ନିଷ୍ପତ୍ତି ହୋଇ ପାରେ।

ଆହୁରି ମଧ୍ୟ ପଢନ୍ତୁ :Donald Trump : ଟ୍ରମ୍ପଙ୍କ ‘୩ୟ ଦୁନିଆ’ ଟିପ୍ପଣୀର ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚାରିଆଡେ ହଇଚଇ ?