ନୂଆଦିଲ୍ଲୀ, ୧୮।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ ଜି-୭ ସମିଟ୍ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଆକର୍ଷଣୀୟ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ବର୍ଷେ ପରେ ଦୁଇ ଜଣ ପ୍ରମୁଖ ବିଶ୍ୱ ନେତାଙ୍କ ମଧ୍ୟରେ ଏହି ସାକ୍ଷାତକାର ଦେଖିବାକୁ ମିଳିଥିଲା । ବିଶେଷ କରି ଏକ ପ୍ରେସ୍ କନଫରେନ୍ସ ସମୟରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଏଭଳି କିଛି ମନ୍ତବ୍ୟ ଦେଇଥିଲେ, ଯାହା ଶୁଣି ପିଏମ୍ ମୋଦୀ ନିଜର ହସ ରୋକିପାରିନଥିଲେ ।
"ଦେଖିବାକୁ ଫରିସ୍ତା, ହେଲେ ବ୍ୟାପାରରେ କିଲର୍" - ଟ୍ରମ୍ପ
ପ୍ରେସ କନଫରେନ୍ସରେ ଟ୍ରମ୍ପ ନିଜର ମଜାଳିଆ ଅନ୍ଦାଜରେ ପିଏମ୍ ମୋଦୀଙ୍କର ପ୍ରଶଂସା କରିଥିଲେ । ଟ୍ରମ୍ପ କହିଥିଲେ, "ଆପଣ ଏହି ବ୍ୟକ୍ତିଙ୍କୁ ଦେଖନ୍ତୁ, ସେ ଦେଖିବାକୁ ବହୁତ ସୁନ୍ଦର, ବିଲକୁଲ ଜଣେ 'ଫରିସ୍ତା' ଭଳି । କିନ୍ତୁ ତାଙ୍କର ସରଳତାକୁ କେବେ ବି କମ୍ ବୋଲି ଭାବନ୍ତୁ ନାହିଁ । ବ୍ୟାପାରିକ ଆଲୋଚନା ମାମଲାରେ ସେ ଜଣେ 'କିଲର୍' ଏବଂ ଜଣେ ଟଫ୍ ଟ୍ରେଡର ।" ଆମେରିକା ରାଷ୍ଟ୍ରପତିଙ୍କ ଏହି ମଜାଳିଆ କଥା ଶୁଣି ସେଠାରେ ଉପସ୍ଥିତ ସମସ୍ତେ ହସିଉଠିଥିଲେ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନିଜ ହସ ରୋକି ନପାରି ଜୋରରେ ହସୁଥିବା ନଜର ଆସିଥିଲେ ।
ମୋଦୀଙ୍କ ନେତୃତ୍ୱକୁ ଭୂୟସୀ ପ୍ରଶଂସା:
ଟ୍ରମ୍ପ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବୁଝାମଣାକାରୀ ନେତା । ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଏବେ ସବୁଠାରୁ ମଜଭୁତ ସ୍ଥିତିରେ ରହିଛି । ଆମେରିକା ରାଷ୍ଟ୍ରପତିଙ୍କ ଏହି ବଦଳିଥିବା ମନୋଭାବ ସମସ୍ତଙ୍କୁ ଚକିତ କରିଛି, କାରଣ କିଛି ସମୟ ପୂର୍ବରୁ ସେ ଭାରତକୁ ଏକ ‘ବୁଡ଼ୁଥିବା ଅର୍ଥନୀତି’ ଏବଂ ‘ନର୍କ ଭଳି ସ୍ଥାନ’ ବୋଲି କହି ସମାଲୋଚନା କରିଥିଲେ । ଦୁଇ ଦେଶର ବନ୍ଧୁତାକୁ ନେଇ ସକାରାତ୍ମକ ବାର୍ତ୍ତା ଦେଇ ଟ୍ରମ୍ପ କହିଛନ୍ତି, "ମୋର ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ କିମ୍ବା ଆମ ଦୁଇ ଦେଶ ମଧ୍ୟରେ ଏହାଠାରୁ ଅଧିକ ନିବିଡ଼ ସମ୍ପର୍କ ଆଉ କେବେ ହୋଇ ନପାରେ ।" ଅନ୍ୟପଟେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗତ ଆମେରିକା ଗସ୍ତକୁ ମନେ ପକାଇ କହିଛନ୍ତି ଯେ, ୱାଶିଂଟନର ସଫଳ ବୈଠକ ପରେ ଦୁଇ ଦେଶର ସହଯୋଗରେ ଏକ ନୂଆ ଶକ୍ତି ଆସିଛି ।
ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା:
ଏହି ଦ୍ୱିପାକ୍ଷିକ ବୈଠକରେ ଭାରତ ଓ ଆମେରିକା ମଧ୍ୟରେ ବଢୁଥିବା ରଣନୀତିକ ସହଯୋଗ ଉପରେ ସମୀକ୍ଷା କରାଯାଇଥିଲା । ଦୁଇ ନେତାଙ୍କ ମଧ୍ୟରେ ବାଣିଜ୍ୟ ଏବଂ ବ୍ୟବସାୟ, ଶକ୍ତି, ପ୍ରତିରକ୍ଷା, ଟେକ୍ନୋଲୋଜି ଏବଂ ଜନସମ୍ପର୍କ ଭଳି ପ୍ରମୁଖ କ୍ଷେତ୍ରରେ ଚାଲିଥିବା ପ୍ରଗତି ଉପରେ ଆଲୋଚନା ହୋଇଥିଲା । ଉଭୟ ଦେଶର ଅଧିକାରୀ ଓ ଟିମ୍ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ପିଏମ୍ ମୋଦୀ କହିଛନ୍ତି ।
ଆହୁରି ପଢ଼ନ୍ତୁ... US Iran Deal: ଆମେରିକା-ଇରାନ ମଧ୍ୟରେ ଯୁଦ୍ଧର ଅନ୍ତ, କ’ଣ ହେବ ଇରାନର ପରମାଣୁ ବୋମା ତିଆରି ୟୁରେନିୟମ ?