ନୂଆଦିଲ୍ଲୀ, ୧୮।୬: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ମହାଯୁଦ୍ଧର ଏବେ ଆଧିକାରୀକ ଭାବେ ଅନ୍ତ ଘଟିଛି । ଦୁଇ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ମସୁଦ ପେଜେସକିଆନ ଯଥାକ୍ରମେ ଇଂରାଜୀ ଓ ଫାରସୀ ଭାଷାରେ ଏକ ୧୪-ପଏଣ୍ଟ ବିଶିଷ୍ଟ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତି ସହିତ ଦୁଇ ଦେଶ ମଧ୍ୟରେ ୬୦ ଦିନିଆ ଅସ୍ତ୍ରବିରତି ଆରମ୍ଭ ହୋଇଛି, ଯେଉଁଥିରେ ଆଗାମୀ ଚୂଡ଼ାନ୍ତ ଚୁକ୍ତି ପାଇଁ ପରମାଣୁ ଆଲୋଚନା କରାଯିବ । ତେବେ ଏସବୁ ମଧ୍ୟରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ, ଗତବର୍ଷ ଆମେରିକୀୟ ଆକ୍ରମଣ ପରେ ଇରାନର ପରମାଣୁ ଆଡ୍ଡା ମାଟିତଳେ ଦେଶୀ ହୋଇ ରହିଥିବା ସେହି ଶୁଦ୍ଧ ୟୁରେନିୟମର କ’ଣ ହେବ, ଯାହା ପରମାଣୁ ବୋମା ତିଆରି ପାଇଁ ବ୍ୟବହାର କରାଯାଇଥାଏ ? ଏହି ବୁଝାମଣାପତ୍ରର ୮ମ ପଏଣ୍ଟରେ ଏହାକୁ ନେଇ ବଡ଼ ଯୋଜନା ପ୍ରକାଶ କରାଯାଇଛି ।
କ’ଣ ହେବ ଇରାନର ଶୁଦ୍ଧ ୟୁରେନିୟମ ?
ଦୁଇ ଦେଶ ମଧ୍ୟରେ ହୋଇଥିବା ଅଧିକାରୀକ ଚୁକ୍ତିନାମା ଅନୁସାରେ, ଇରାନ ପାଖରେ ଥିବା ପରମାଣୁ ବୋମା ସ୍ତରର ଅତ୍ୟନ୍ତ ଶୁଦ୍ଧ ୟୁରେନିୟମକୁ ଲୋୟର ଗ୍ରେଡ୍ ୟୁରେନିୟମରେ ପରିଣତ କରାଯିବ । ଏହି ପ୍ରକ୍ରିୟାକୁ ବିଜ୍ଞାନ ଭାଷାରେ 'ଡାଉନ୍-ବ୍ଲେଣ୍ଡିଂ' କୁହାଯାଏ । ଏହି ସମସ୍ତ କାର୍ଯ୍ୟ ଜାତିସଂଘର ପରମାଣୁ ନିରୀକ୍ଷଣ ସଂସ୍ଥା ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA) ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି କାମ ଇରାନ ଭିତରେ ହିଁ ସେହି ସ୍ଥାନରେ ହେବ ଯେଉଁଠି ୟୁରେନିୟମ ଗଚ୍ଛିତ ଅଛି । ଏହା ସହିତ ଇରାନ ପୁଣିଥରେ ପ୍ରତିଶ୍ରୁତି ଦେଇଛି ଯେ ସେ କେବେହେଲେ ପରମାଣୁ ଅସ୍ତ୍ର ତିଆରି କରିବ ନାହିଁ ।
ଏହା ଉପରେ କ’ଣ କହିଲେ ଡୋନାଲ୍ଡ ଟ୍ରମ୍ପ ?
ବୁଧବାର ପ୍ୟାରିସରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ, "ଇରାନ ପାଖରେ ଥିବା ଶୁଦ୍ଧ ୟୁରେନିୟମକୁ ନଷ୍ଟ କରିବା ସେତେଟା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଯେତିକି ଏହା ନିଶ୍ଚିତ କରିବା ଜରୁରୀ ଯେ ଇରାନ ଯେମିତି କଦାପି ପରମାଣୁ ବୋମା ନ ବନାଉ ।" ଯେତେବେଳେ ଟ୍ରମ୍ପଙ୍କୁ ପଚରାଗଲା ଯେ ପରମାଣୁ ମାମଲାର ବାକି ଥିବା ସମସ୍ୟାର ସମାଧାନ କରିବା କେତେ ଜରୁରୀ ? ଏହାର ଉତ୍ତରରେ ସେ କହିଥିଲେ, "ଏହା ଏତେଟା ଗୁରୁତ୍ୱପୂର୍ଣ୍ଣ ନୁହେଁ, କାରଣ ସେହି ୟୁରେନିୟମ ପାଖରେ ପହଞ୍ଚିବା ଏବେ ବହୁତ କଷ୍ଟକର ।" ଗତବର୍ଷ ଇରାନର ପରମାଣୁ ଆଡ୍ଡା ଉପରେ ହୋଇଥିବା ଆମେରିକୀୟ ଆକ୍ରମଣ ବିଷୟରେ ସୂଚନା ଦେଇ ଟ୍ରମ୍ପ କହିଛନ୍ତି, "ଆମର ବି-୨ ବମ୍ବର ବିମାନ ଏବଂ ଚମତ୍କାର ପାଇଲଟମାନେ ନିଜ କାମ ସଫଳତାର ସହ ଶେଷ କରିଛନ୍ତି । ଏବେ ଆପଣ ବୁଝିପାରୁଥିବେ ଯେ ସେମାନେ କାର୍ଯ୍ୟ ସମ୍ପୂର୍ଣ୍ଣ କରିସାରିଛନ୍ତି ।" ଶେଷରେ ଟ୍ରମ୍ପ ପୁଣି ଦୋହରାଇଥିଲେ ଯେ ସବୁଠୁ ବଡ଼ କଥା ହେଉଛି ଇରାନ ପାଖରେ ଯେମିତି କୌଣସି ପରମାଣୁ ଅସ୍ତ୍ର ନରହୁ ।
ଆହୁରି ପଢ଼ନ୍ତୁ... US Iran Peace Deal : ଆମେରିକା-ଇରାନ ଯୁଦ୍ଧ ଶେଷ, ପ୍ୟାରିସରେ ଶାନ୍ତି ଚୁକ୍ତି ସ୍ଵାକ୍ଷରିତ, ତେହରାନର ପରମାଣୁ ପରୀକ୍ଷଣ ଓ କ୍ରୟ ଉପରେ ଲାଗିଲା ରୋକ୍