ପୁରୀ, ୨୩।୫ : ଆସନ୍ତାକାଲି ଠାରୁ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାର୍ଯ୍ୟକୁ ସ୍ଥଗିତ ରଖାଯିବ। ପ୍ରବଳ ଗ୍ରୀଷ୍ମପ୍ରବାହ, ଭକ୍ତ, ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି।
ଆସନ୍ତା ସପ୍ତାହରୁ ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକ ସହ ରଥଯାତ୍ରା ପାଇଁ ବିଭିନ୍ନ ବୈଠକ ଆୟୋଜିତ ହେବ। ଏଣୁ ଆସନ୍ତାକାଲି ଠାରୁ ରତ୍ନଭଣ୍ଡାର ଅଳଙ୍କାର ଗଣତି କାର୍ଯ୍ୟକୁ ସ୍ଥଗିତ ରଖାଯିବ ବୋଲି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଜୁନ୍ ମାସରେ ପୁନର୍ବାର ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି କାର୍ଯ୍ୟ ଆରମ୍ଭ ହେବ। ତେବେ ଶନିବାର ମଧ୍ୟାହ୍ନ ଧୂପ ପରେ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ କରାଯିବ।
ସୂଚନାଯୋଗ୍ୟ ଯେ, ରତ୍ନଭଣ୍ଡାରର ଗଣତିମଣତି ବେଳେ ସମସ୍ତ ରତ୍ନ ଅଳଙ୍କାରକୁ ସିସିଟିଭି ବଳୟ ମଧ୍ୟରେ ଗଣତି ମଣତି କରାଯାଉଛି। ଏଥିସହ ଭିଡିଓଗ୍ରାଫି ଏବଂ ଫଟୋଗ୍ରାଫି ମଧ୍ୟ କରାଯାଉଛି। ରତ୍ନ ଅଳଙ୍କାରର ମୂଲ୍ୟ ନିର୍ଦ୍ଧାରଣ କରାଯାଉନଥିଲେ ମଧ୍ୟ ଏହାର ଓଜନ ମାପ କରାଯାଉଛି। ସମସ୍ତ ରତ୍ନ ଅଳଙ୍କାରର ଥ୍ରୀଡି ସ୍କାନିଙ୍ଗ ସହିତ ଇ କ୍ୟାଟଲକ ମଧ୍ୟ ପ୍ରସ୍ତୁତ କରାଯାଉଛି।
ଆହୁରି ପଢନ୍ତୁ : ଜୋରସୋରରେ ଚାଲିଛି ଗୁଣ୍ଡିଚା ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ