ଭୁବନେଶ୍ବର, ୧୪/୦୭: ଆନ୍ଧ୍ରରେ କରୋନା ଆତଙ୍କ । ସଜାଗ ହେଲା ଗଞ୍ଜାମ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି । ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଓଡ଼ିଶାର ସୀମାବର୍ତ୍ତୀ ଗଞ୍ଜାମ ଜିଲ୍ଲାରେ ତତ୍ପରତା ପ୍ରକାଶ ପାଇଛି। ଜିଲ୍ଲାରେ ସଂକ୍ରମଣ ଯେପରି ନ ବ୍ୟାପେ, ସେଥିପାଇଁ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଏକ ଜରୁରୀକାଳୀନ ଗାଇଡଲାଇନ୍ ଜାରି କରାଯାଇଛି। ସିଟି ହସ୍ପିଟାଲ ସମେତ ସମସ୍ତ ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତି ଓ ସର୍ଭେଲାନ୍ସକୁ ବଢ଼ାଇ ଦିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୋମବାର ଜିଲ୍ଲା ମେଡିକାଲ୍ ଅଫିସର୍ ତଥା ସିଟି ହସ୍ପିଟାଲ୍ ଅଧୀକ୍ଷକ, ଉପଖଣ୍ଡ ହସ୍ପିଟାଲ ଅଧୀକ୍ଷକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀଙ୍କୁ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର କୋଭିଡ୍-୧୯ର ସଂଶୋଧିତ ମାର୍ଗଦର୍ଶିକା ଅନୁସାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ କହିଛନ୍ତି । ହସ୍ପିଟାଲ୍କୁ ଆସୁଥିବା ଗୁରୁତର ଶ୍ୱାସକ୍ରିୟା ଜନିତ ସମସ୍ୟା ଥିବା ରୋଗୀଙ୍କର ବାଧ୍ୟତାମୂଳକ କୋଭିଡ୍ ପରୀକ୍ଷା କରାଯିବ ।
ସାଧାରଣ ଥଣ୍ଡା, ଜ୍ୱର କିମ୍ବା ଇନ୍ଫ୍ଲୁଏଞ୍ଜା ଭଳି ଲକ୍ଷଣ ଥିବା ରୋଗୀଙ୍କ ମଧ୍ୟ ଅନ୍ୟୂନ ୫% ରୋଗୀଙ୍କର ରାଣ୍ଡମ୍ କୋଭିଡ୍ ଟେଷ୍ଟିଂ କରିବାକୁ ସିଡିଏମ୍ଓ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ସମସ୍ତ ହସ୍ପିଟାଲ୍ର ଆଇସୋଲେସନ୍ ୱାର୍ଡ, ଅକ୍ସିଜେନ୍ ସପୋର୍ଟ ବେଡ୍ଗୁଡ଼ିକୁ କାର୍ଯ୍ୟକ୍ଷମ ସ୍ଥିତିରେ ରଖିବାକୁ କୁହାଯାଇଛି । ହସ୍ପିଟାଲ୍ର ପିଏସ୍ଏ, ଅକ୍ସିଜେନ୍ ପ୍ଲାଣ୍ଟ୍, ଅକ୍ସିଜେନ୍ କନ୍ସେନ୍ଟ୍ରେଟର୍ ଏବଂ ସିଲିଣ୍ଡର୍ର କାର୍ଯ୍ୟକାରିତା ଯାଞ୍ଚ କରି ପ୍ରସ୍ତୁତ ରଖିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ସଚେତନତା ବୃଦ୍ଧି ପାଇଁ ଆଶା ଓ ଏଏନ୍ଏମ୍ମାନଙ୍କୁ ସେମାନଙ୍କ ଅଞ୍ଚଳରେ ଜ୍ୱର କିମ୍ବା ଶ୍ୱାସକ୍ରିୟା ଜନିତ ଅସ୍ୱାଭାବିକ ବୃଦ୍ଧି ଉପରେ ତୀକ୍ଷ୍ନ ନଜର ରଖିବାକୁ କୁହାଯାଇଛି । ଜନସାଧାରଣ ଆତଙ୍କିତ ନହୋଇ ମାସ୍କ ବ୍ୟବହାର କରିବା, ସ୍ୱାସ୍ଥ୍ୟ ସଚେତନତା ନିୟମ ପାଳନ କରିବା ଏବଂ ଲକ୍ଷଣ ଦେଖାଦେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ପାଇଁ ସଚେତନ କରାଇବାକୁ କୁହାଯାଇଛି । ସ୍ଥିତିର ମୁକାବିଲା ପାଇଁ ଜରୁରି ଔଷଧ ମହଜୁଦ ରଖିବା, ଓଆର୍ଏସ୍, ପରାସିଟାମଲ୍, ଜିଙ୍କ୍, ଭିଟାମିନ୍-ଏ, ବି-୨, ଶ୍ୱାସକ୍ରିୟା ଜନିତ ଔଷଧ, ଆଜିଥ୍ରୋମାଇସିନ୍ ଭଳି ଔଷଧ ପର୍ଯ୍ୟାପ୍ତ ମହଜୁଦ ରଖିବାକୁ ସିଡିଏମ୍ଓ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିବା, ନିୟମିତ ତଦାରଖ କରିବା, ଦୈନନ୍ଦିନ ଶ୍ୱାସକ୍ରିୟା ଓ ଜ୍ୱର ଥଣ୍ଡା ଜନିତ ରିପୋର୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇବାକୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ଆନ୍ଧ୍ରରେ ମୃତ୍ୟୁ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ଜୁନ୍ ୨୮ରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ପ୍ରଥମେ ତିରୁପତିରେ ସେ ଚିକିତ୍ସିତ ହୋଇଥିଲେ । ପରେ ତାଙ୍କୁ ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ୍ ଭେଲୋର୍ ସ୍ଥାନାନ୍ତର କରାଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଦ୍ୱିତୀୟ ବ୍ୟକ୍ତି ଜଣଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ୍ ଭେଲୋରରେ ମୃତ୍ୟୁ ହୋଇଥିଲା । ଆର୍ଟି-ପିସିଆର୍ ଟେଷ୍ଟ୍ରେ କଡ଼ପା ଜିଲ୍ଲାର ଆଉ ୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ୩ ଜଣ ହୋମ୍ ଆଇସୋଲେସନ୍ରେ ଏବଂ ଜଣେ ସ୍ଥାନୀୟ ହସ୍ପିଟାଲ୍ର କୋଭିଡ୍ ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସିତ ହେଉଥିଲେ । ଗତ ଦୁଇ ଦିନ ମଧ୍ୟ ପିଜିଟିଭ ସଂଖ୍ୟା ମଧ୍ୟ ବଢ଼ିଛି । ସମସ୍ତ ପଜିଟିଭ୍ ଓ ମୃତ ଓମିକ୍ରନ୍ ସବ୍ଭାରିଆଣ୍ଟ୍ ବୋଲି ସନ୍ଦେହ କରିଛନ୍ତି ଆନ୍ଧ୍ର ସରକାର । ଆନ୍ଧ୍ରକୁ ଲାଗି ରହିଥିବା ଏବଂ ନିୟମିତ ଲୋକଙ୍କ ଯାତାୟାତ ଲାଗି ରହିଥିବାରୁ ସଂକ୍ରମଣ ଆଶଙ୍କା କରି ଗଞ୍ଜାମ ସ୍ୱାସ୍ଥ୍ୟ ବିଭାଗ ସର୍ଭେଲାନ୍ସ ବଢ଼ାଇବାକୁ କହିଛି ।
ଅଧିକ ପଢନ୍ତୁ- COVID Alert: ଆନ୍ଧ୍ରରେ କୋଭିଡ୍ ମୃତ୍ୟୁ, ଓଡ଼ିଶାରେ ଆଲର୍ଟ; କୋଭିଡ୍ ଡ୍ୟାସ୍ବୋର୍ଡ ତଥ୍ୟ, ଗଞ୍ଜାମରେ ଜଣେ ପଜିଟିଭ୍ !