ବଲାଙ୍ଗିର,୦୫/୦୬(ମୁକେଶ ବହିଦାର): ପକ୍ଷୀ ଉଭୟ ଆକାଶ ଏବଂ ମାଟିର ଜୀବ । ସେମାନେ ଆକାଶରେ ଉଡ଼ନ୍ତି ଏବଂ ଭୂଇଁରେ ମଧ୍ୟ ବସନ୍ତି । ତେଣୁ ସେମାନଙ୍କ ଭିତରେ ପାଣି, ପବନ ଏବଂ ସମୟଚକ୍ରକୁ ଅନୁଭବ କରିପାରିବାର ଦକ୍ଷତା ରହିଛି । ସେଥିପାଇଁ ସେମାନେ ମୌସୁମୀକୁ ସାଥିରେ ଧରି ଆସନ୍ତି । ସେମାନେ ଆସିଲେ ବର୍ଷାହୁଏ । ତାଙ୍କ ପରିବାର ବଢ଼େ, ଫସଲ ବି ଭଲ ହୁଏ । ତେଣୁ ଗାଁରେ ଗେଣ୍ଡାଳିଆଙ୍କୁ ଧନଧାନ୍ୟର ପ୍ରତୀକ ମାନନ୍ତି । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ରୁଗୁଡ଼ିପାଲିରେ ଗେଣ୍ଡାଳିଆଙ୍କୁ ନେଇ ଆଜି ବି ଏଭଳି ବିଶ୍ୱାସ ରହିଛି । ଗ୍ରାମବାସୀଙ୍କ କହିବା ଅନୁସାରେ, ଦୀର୍ଘ ୨୫ବର୍ଷରୁ ଊଦ୍ଧ୍ୱର୍ ହେଲା ପ୍ରତିବର୍ଷ ଅକ୍ଷୟ ତୃତୀୟାରେ ଗୋଟିଏ ହେଲେ ଗେଣ୍ଡାଳିଆ ଗାଁକୁ ଆସି ଗଛରେ ରହିବ । ଦିନେ ଦୁଇଦିନ ପରେ ପୁଣି ଉଡି ଚାଲିଯିବ । ତା’ପରେ ଠିକ ଶୀତଳଷଷ୍ଠୀର ସପ୍ତାହେ ଆଗରୁ ଏକାଥରକେ ସଂଘବଦ୍ଧ ଭାବରେ ଶହଶହ ଗେଣ୍ଡାଳିଆ ଆସନ୍ତି ।
ଗାଁ ମଝିରେ ଥିବା ବରଗଛ, ମହୁଲ ଓ ନିମ୍ବ ଗଛ ଆଦିରେ ବସା ବାନ୍ଧନ୍ତି । ସେହିସମୟରେ ଗାଁର କୌଣସି ଏମିତି ଗଛ ଖାଲି ରୁହେନାହିଁ, ଯେଉଁଠି ଏମାନେ ବସିନଥିବେ । ପ୍ରାୟ ୬ମାସର ରହଣି ପରେ ମାର୍ଗଶୀର ଶେଷ ସପ୍ତାହରେ ଏମାନେ ସଂଘବଦ୍ଧ ଭାବରେ ଫେରିଯାଆନ୍ତି । ଏପରିକି ଯେମିତି ପୂର୍ବରୁ ସମସ୍ତଙ୍କ ଆଗରେ ଗୋଟିଏ ଗେଣ୍ଡାଳିଆ ଆସିଥିଲା, ସେମିତି ସମସ୍ତେ ଗଲାପରେ ଯାଇ ମୁଖିଆ ଗେଣ୍ଡାଳିଆ ଯାଇଥାଏ । ତେବେ ସେମାନଙ୍କର ଏହି ୬ମାସର ରହଣୀ ବେଶ ରୋମାଞ୍ଚକର । ଏହି ସମୟରେ ଗାଁରେ ଅନେକ କଟକଣା କରାଯାଇଛି । ଏହି ସମୟରେ କେହି ବାଣ ଫୁଟାଇନଥାନ୍ତି । ଗାଁରେ ଉଚ୍ଚ ସ୍ୱରରେ କୌଣସି ଶବ୍ଦ କରାହୁଏ ନାହିଁ । ଏପରିକି ପାରାୟଣ କି ବିବାହ ହେଲେ ମଧ୍ୟ ନିର୍ଦ୍ଧାରିତ ଶବ୍ଦରେ ତାହା ବାଜେ । ପକ୍ଷୀଙ୍କ ରହଣୀ କାଳରେ ଅଜଣା ଲୋକଙ୍କୁ ଗାଁରେ ପ୍ରବେଶ ନିଷେଧ କରାଯାଉଥିବା ବେଳେ ଶିକାରୀଙ୍କ ଉପରେ ନଜର ରଖାଯାଏ ।
ଏହା ବି ପଢନ୍ତୁ...ବିଗୁଡ଼ୁଛି ରାଜଧାନୀ ପରିବେଶ ସନ୍ତୁଳନ : ମାନଚିତ୍ରରୁ ଲିଭିଗଲାଣି ‘ଅସୁର କିଆରି’, କାଞ୍ଜିଆ ହ୍ରଦରେ ଆଉ ଫୁଟୁନି କଇଁ
ଯଦି କେହି ଏହାକୁ ଶିକାର କରନ୍ତି, ତାକୁ ଧରି କ୍ଲବ ଘରେ ଅଟକ ରଖିବା ସହ ଜରିମାନା ଆଦାୟ କରାଯିବାର ନିୟମ ଆଜି ବି କଠୋର ଭାବରେ ପାଳନ କରାଯାଇଥାଏ । ତେବେ ଏହି ଗେଣ୍ଡାଳିଆମାନେ ଆସିଲେ ଚାଷଜମି, ପୋଖରୀରେ ବୁଲବୁଲି ମାଛ, କଙ୍କଡା, ଗେଣ୍ଡା ଆଦି ଖାଇଥାନ୍ତି । ରୁଗୁଡିପାଲି ପ୍ରାୟତଃ ଏକ ବଣଜଙ୍ଗଲ ଘେରା ଅଞ୍ଚଳ ଅଟେ । ଗାଁ ନିକଟରେ ଭୀମଡ଼ୁଙ୍ଗୁରି ଜଙ୍ଗଲ ଏବଂ ଏମଆଇପି ମଧ୍ୟ ରହିଛି । ଏଥିସହ ସେମାନଙ୍କୁ ଗ୍ରାମବାସୀଙ୍କ ଆତିଥ୍ୟ ବୋଧେ ପସନ୍ଦ ଲାଗିଥାଏ, ତେଣୁ ବର୍ଷବର୍ଷ ଧରି ସେମାନେ ଏଭଳି ଆସୁଛନ୍ତି ବୋଲି ଗଁର ସୁରେନ୍ଦ୍ର ମାଝି, ରୂପଧର ନନ୍ଦ, ପଙ୍କଜ ବଗର୍ତ୍ତି, ପ୍ରଦୀପ ବଗର୍ତ୍ତି, ଶଙ୍କର୍ଷଣ ଭୁଏ, କାର୍ତ୍ତିକ ଭୁଏ ପ୍ରମୁଖ କହିଛନ୍ତି । ଏସମ୍ପର୍କରେ ଫରେଷ୍ଟର କୈଳାଶ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ସେ ମଧ୍ୟ ଗ୍ରାମବାସୀଙ୍କ ଉଦ୍ୟମକୁ ସ୍ୱାଗତ କରିବା ସହ ବନ ବିଭାଗ ମଧ୍ୟ ସେହିସମୟରେ ତତ୍ପର ରହିଥାଏ ବୋଲି କହିଥିଲେ ।