ଭୁବନେଶ୍ୱର,୨୧/୧୦: ୩ ଦିନ ତଳେ  ପ୍ରେମିକ ପାଇଁ ପାଳିଥିଲେ କୁମାର ପୂର୍ଣ୍ଣିମା । ଦିନସାରା ଉପାସ ରହିବା ପରେ ସନ୍ଧ୍ୟାରେ ଜହ୍ନକୁ ଆଞ୍ଜୁଳା ଟେକି ପୂଜା କରିଥିଲେ । ପ୍ରେମିକକୁ ଜୀବନସାଥୀ କରିବେ ଭାବି ତାଙ୍କ ଦୀର୍ଘାୟୁ କାମନା କରିଥିଲେ ।  କିନ୍ତୁ ସେହି ପ୍ରେମିକର ବ୍ଲାକମେଲିଂ ତାଙ୍କ ଜୀବନ  ନେଲା । ପ୍ରେମିକର ଧୋକ୍କା ସହିନପାରି ଶେଷରେ ରଶ୍ମିତା ଦାସ ଜୀବନ ହାରିଥିବା ପୁଲିସ ତଦନ୍ତରୁ ଜଣାପଡିଛି। ଏନେଇ ନୂଆପଲ୍ଲୀ ଥାନା ପୁଲିସ କେସ୍‌  ନଂ.୬୧୬/୨୪ରେ ରୁଜୁ କରିବା ସହ ଅଭିଯୁକ୍ତ ପ୍ରେମିକ ଅଜିତ ଦାସକୁ ଗିରଫ କରିଛି । 

ଅଜିତର ଘର ଜଗତ୍‌ସିଂହପୁର ସଦେଈପୁର ।  ପୁଲିସ ତାକୁ ଗତକାଲି ରାତିରେ ବରମୁଣ୍ଡା  ବସ୍‌ଷ୍ଟାଣ୍ଡରୁ ଗିରଫ କରିଛି । ତା’ଠାରୁ ଏକ ମୋବାଇଲ ଫୋନ ଜବତ କରାଯାଇଛି । ପୁଲିସ  ତା’ ବିରୋଧରେ ପ୍ରବଞ୍ଝନା, ଛଦ୍ମବେଶରେ ଠକେଇ,  ବିବାହର ମିଥ୍ୟା ପ୍ରତିଶ୍ରୁତି ଓ ଆତ୍ମହତ୍ୟା ପାଇଁ  ଉସ୍‌କେଇବା ଭଳି ଦଫା ଲଗାଇଛି । ପଚରାଉଚରା  ସମୟରେ ସେ ନିଜ ଅପରାଧ ସ୍ୱୀକାର କରିଛି ।  

ପୁଲିସ କହିବା ମୁତାବକ, ୪ ବର୍ଷ ତଳେ  ଉଭୟଙ୍କ ପ୍ରେମ ଜଗତ୍‌ସିଂହପୁରରେ ଆରମ୍ଭ  ହୋଇଥିଲା । ଅଜିତ୍‌ ରଶ୍ମିତାଙ୍କ ମନରେ ବିବାହର ବିଶ୍ୱାସ ଜନ୍ମାଇ ଶାରୀରିକ ସମ୍ପର୍କ ରଖିଥିଲା ।  ରଶ୍ମିତାଙ୍କ ସରଳତାର ସୁଯୋଗ ନେଇ ଅଜାଣତରେ  କିଛି ଗୁପ୍ତ ଫଟୋ ତଥା ଭିଡିଓ ନିଜ ମୋବାଇଲ  ଫୋନରେ ରଖିଥିଲା । ଅଜିତ୍‌ ଚାକିରି ପାଇଁ ଆସାମ  ପଳାଇଥିଲା । ରଶ୍ମିତା ଚାକିରି ସନ୍ଧାନରେ ୬ ମାସ  ତଳେ ଭୁବନେଶ୍ୱର ଆସିଥିଲେ । ଏକ ଘରୋଇ ସଂସ୍ଥାରେ ଚାକିରି ପାଇଥିଲେ । କିନ୍ତୁ ଏ ଚାକିରି  ଅଜିତ ମନକୁ ପାଉନଥିଲା । ଏକ ନାମୀ ସଂସ୍ଥାରେ  ଚାକିରି କରାଇଦେବା ଲୋଭ ଦେଖାଇ ରଶ୍ମିତାଙ୍କଠାରୁ  ସେ ଏକ ଲକ୍ଷ ଟଙ୍କା ନେଇଯାଇଥିଲା ।  

ଗତ ୧୬ ତାରିଖରେ ରଶ୍ମିତା ଉପବାସ  ରଖିଥିଲେ । ସେହିଦିନ ହିଁ ଅଜିତ ନିଜ ଅସଲି ରୂପ  ଦେଖାଇଥିଲା । ରଶ୍ମିତାଙ୍କୁ ଫୋନ୍‌ କରି ଚାକିରି ପାଇଁ  ଆହୁରି ୭୦ ହଜାର ଟଙ୍କା ମାଗିଥିଲା । ରଶ୍ମିତା ଏଥିରେ  ରାଜି ହେଲେନି । କହିଲେ, ମୁଁ ନୂଆ ଚାକିରି କରିଛି ।  ଏଥିରେ କିଛି ମାସ କାମ କରିବି । ଅଜିତ୍‌ ଏକଥା ଶୁଣି  ରାଗିଗଲା । ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା  ସହିତ ତାଙ୍କ ଫଟୋ ଓ ଭିଡ଼ିଓ ସବୁକୁ ସାମାଜିକ ଗଣମାଧ୍ୟମରେ ପ୍ରସାର କରିଦେବାର ଧମକ ଦେଲା ।  ଅଜିତ୍‌ର ଏଭଳି ଭୟଙ୍କର ରୂପ ଦେଖି ରଶ୍ମିତାଙ୍କ  ପାଦ ତଳୁ ମାଟି ଖସିଯାଇଥିଲା । ସେ ମାନସିକ  ଭାରସାମ୍ୟ ହରାଇ ବସିଥିଲେ । ଭୁବନେଶ୍ୱରରେ  ରହୁଥିବା ଭଡ଼ାଘରେ ସେ କବାଟ କିଳି ରହିଥିଲେ ।  ଖିଆପିଆ ଛାଡି଼ ଦେଇଥିଲେ । ୧୭ ତାରିଖ ବିଳମ୍ବିତ  ରାତି ଯାଏ ସେ କବାଟ ନ ଖୋଲିବାରୁ ପଡ଼ୋଶୀଙ୍କ  ସନ୍ଦେହ ଉପୁଜିଥିଲା । ପରେ ତାଙ୍କ ଝୁଲନ୍ତା ମୃତଦେହ  ପୁଲିସ ଉଦ୍ଧାର କରିଥିଲା।

ପୁରୁଷ ବନ୍ଧୁଙ୍କ ବ୍ଲାକମେଲିଂ ସହିପାରିଲେନି, ଜୀବନ ହାରିଲେ ଯୁବତୀ