ଭୁବନେଶ୍ୱର, ୨୩/୦୪ : କ୍ୟାମ୍ପସରେ ବାରମ୍ବାର ଯୌନ ନିର୍ଯାତନା, ଛାତ୍ରୀଙ୍କୁ ଦୁର୍ବବ୍ୟହାର, ଅଶ୍ଲୀଳ ଆଚରଣ ପ୍ରଦର୍ଶନର ଅଭିଯୋଗ ହେଉଛି । ଏହାକୁ ନେଇ ଏବେ ଚିନ୍ତାରେ ଉଚ୍ଚଶିକ୍ଷା ବିଭାଗ । ଛାତ୍ରୀ, ମହିଳା କର୍ମଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ବିଭାଗ । ଏଣିକି ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଏକ ସୁରକ୍ଷିତ କ୍ୟାମ୍ପସ ହେବ । ସେଥିଲାଗି ସମସ୍ତ କ୍ଲାସରୁମ୍ ତଥା ଶ୍ରେଣୀର କବାଟ ଆଉ ଚିରାଚରିତ କାଠର ଲାଗିବ ନାହିଁ । କାଚ ଭଳି ଟ୍ରାନ୍ସପାରେଣ୍ଟର କବାଟ, ଝରକା ଲାଗିବ । ଏପରିକି ଶ୍ରେଣୀଗୃହ ଚାଲିଥିବା ସମୟରେ କବାଟ, ଝରକା ବନ୍ଦ ରହିବ ନାହିଁ । ସବୁ ସ୍ଥାନରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । କ୍ୟାମ୍ପସରେ ଥିବା ଅନ୍ଧାର ସ୍ଥାନକୁ ଆଲୋକୀକରଣ କରାଯିବ । ମହିଳାଙ୍କ ପାଇଁ ଏକ ସୁରକ୍ଷିତ ଓ ସ୍ୱଚ୍ଛ ଶୌଚାଳୟ ରହିବ । ଏପରିକି ସବୁ ଶିକ୍ଷାନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) କମିଟି ଗଠନ ବାଧ୍ୟତାମୂଳକ । ବିଭାଗ ଏସମସ୍ତ ନିର୍ଦ୍ଦେଶରେ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଆବଶ୍ୟକ ସ୍ଥଳେ ମାନ୍ୟତା ତଥା ସ୍ୱୀକୃତିକୁ ବାତିଲ କରାଯିବ । ଏପରି କଡ଼ା ଚେତାବନୀ ଦେଇଛି ବିଭାଗ ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରୀ ଓ ମହିଳାଙ୍କ ସୁରକ୍ଷା ନେଇ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନକୁ ଚିଠି କରାଯାଇଛି । ଏଥିରେ ୫ଟି ପଏଣ୍ଟକୁ ଗୁରୁତ୍ୱ ଦିଆଯାଇଛି । ଯେଉଁଥିରେ ପ୍ରାଥମିକ ଭାବେ ଆଇସିସି ଗଠନକୁ ବାଧ୍ୟତାମୂଳକ କରାଯାଇଛି । ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ମାନେ ଯେପରି ତାଙ୍କ ଅଧୀନରେ ଥିବା ଶିକ୍ଷାନୁଷ୍ଠାନ ମାନେ ପୋଶ ଆକ୍ଟ ୨୦୧୩କୁ ପାଳନ କରିବେ ଓ ଶତପ୍ରତିଶତ ଭାବେ ଆଇସିସି ଗଠନ କରିବେ ତାକୁ ସୁନିଶ୍ଚିତ କରିବେ । ନାମଲେଖା କେବଳ ସାମ୍ସ ୱେବ୍ସାଇଟ୍ ଦ୍ୱାରା କରିବାକୁ ବାଧ୍ୟତାମୂଳକ କରାଯାଇଛି । ଯେଉଁ ଶିକ୍ଷାନୁଷ୍ଠାନ ଆଇସିସି ନଥିବ ସେମାନେ ନାମଲେଖାରୁ ବାଦ୍ ପଡ଼ିବେ । ସବୁ ଶିକ୍ଷାନୁଷ୍ଠାନ ବାର୍ଷିକ ଆଇସିସି ରିପୋର୍ଟ ସ୍ଥାନୀୟ ଅଭିଯୋଗ କମିଟି(ଏଲ୍ସିସି) ପାଖରେ ଦାଖଲ ସହ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟଙ୍କ ପାଖେ ମଧ୍ୟ ଦାଖଲ କରିବେ । କ୍ୟାମ୍ପସରେ ଛାତ୍ରୀ ଓ ମହିଳା କର୍ମଚାରୀଙ୍କ ପାଇଁ ବଡ଼ ପଦକ୍ଷେପ ନେଇଛି ବିଭାଗ ।

ବିଭାଗର ନିର୍ଦ୍ଦେଶ ଅଛି, କ୍ୟାମ୍ପସର ପ୍ରବେଶ ସ୍ଥାନରୁ ପ୍ରସ୍ଥାନ ସ୍ଥାନ, ପାର୍କିଂ ସ୍ଥାନ, ହଷ୍ଟେଲ, ସମ୍ବେଦନଶୀଳ ପ୍ରମୁଖରେ ଆଲୋକୀକରଣ କରାଯିବ । କ୍ୟାମ୍ପସରେ ଥିବା ଅନ୍ଧାରୁଆ ସ୍ଥାନ, କର୍ଣ୍ଣର, ଅଣଓସାରିଆ ଗଳି, ଅବ୍ୟବହୃତ ସ୍ଥାନକୁ ଉଚ୍ଛେଦ କରାଯିବ । କ୍ୟାମ୍ପସ ପାଚେରୀ ସହ ସିକ୍ୟୁରିଟି ବ୍ୟବସ୍ଥା ବଢ଼ିବ । କ୍ୟାମ୍ପସକୁ କିଏ କେତେ ବେଳେ ଆସିଲା କାହିଁକି ଆସିଲା ଏସମସ୍ତ ରେକର୍ଡ ରେଜିଷ୍ଟରରେ ରହିବ । ଏପରିକି ସିକ୍ୟୁରିଟିମାନେ କ୍ୟାମ୍ପସରେ ପେଟ୍ରୋଲିଂ କରିବେ । କରିଡର, ସିଡି, ଗଳି ଆଦି ସ୍ଥାନରେ ସିସିଟିଭି ଲାଗିବ । ସୁରକ୍ଷା ନିୟମକୁ ମାନି ସିସିଟିଭି ସ୍ଥାପନ ମଧ୍ୟ ହେବ । ସାଇନେଜ୍ ବୋର୍ଡ, ଆଇସିସି କମିଟିକୁ ନେଇ ତଥ୍ୟକୁ ସବୁ ସ୍ଥାନରେ ପ୍ରଦର୍ଶିତ କରାଯିବ । ଡିଜିଟାଲ ବୋର୍ଡ ମଧ୍ୟ ଲାଗିବ । ନିୟମିତ ବ୍ୟବଧ୍ୟାନରେ କ୍ୟାମ୍ପସ ସୁରକ୍ଷାର ଅଡିଟ୍ ହେବ । ଲିଙ୍ଗଗତ ସମାନତା, ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ହେବ ।

ଏହି ଖବରଟିକୁ ପଢନ୍ତୁ- ଜେରିଆରିଟ୍ରିକ୍ କେୟାରଗିଭର୍ସ ଟ୍ରେନିଂ ପ୍ରୋଗ୍ରାମ ଆରମ୍ଭ : ଘରକୁ ଯାଇ ବୟୋଜ୍ୟେଷ୍ଠଙ୍କ ସେବା, ଯତ୍ନ ନେବେ ପ୍ରଶିକ୍ଷିତ ଯୁବବର୍ଗ