ନୂଆଦିଲ୍ଲୀ: ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ୍ (CSMT) ମଡଗାଓଁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଏହାର ନିର୍ଦ୍ଧାରିତ ମାର୍ଗରୁ ବିଚ୍ୟୁତ ହୋଇଛି। ବାସ୍ତବରେ ଏହି ଟ୍ରେନ୍ ମଡଗାଓଁକୁ ଯାଉଥିଲା । ହେଲେ ଏହା ମହାରାଷ୍ଟ୍ରର ଥାନେ ଜିଲ୍ଲାର ଡିଭା ଷ୍ଟେସନରେ ଯାନ୍ତ୍ରିକ ତ୍ରୁଟି ହେତୁ ଅନ୍ୟ ଏକ ମାର୍ଗରେ ଚାଲିଯାଇଥିଲା । ଭୁଲ୍ ମାର୍ଗରେ ଯିବା କାରଣରୁ ଗୋଆ ଯାତ୍ରା ପାଇଁ ଏହା ୯୦ ମିନିଟ ବିଳମ୍ବ ହୋଇଥିଲା । ଏହି ଘଟଣା ମୁମ୍ବାଇର ସ୍ଥାନୀୟ ରେଳ ସେବାରେ ବିଳମ୍ବ କରିଥିଲା।
କେନ୍ଦ୍ରୀୟ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସପ୍ନିଲ ନୀଲା କହିଛନ୍ତି ଯେ, ଡିଭା ଜଙ୍କସନରେ ଡାଉନ୍ ଫାଷ୍ଟ ଲାଇନ ଏବଂ ପଞ୍ଚମ ଲାଇନ ମଧ୍ୟରେ ୧୦୩ ନମ୍ବର ପଏଣ୍ଟରେ ସିଗନାଲ ଏବଂ ଟେଲିକମ୍ୟୁନିକେସନ ବ୍ୟବସ୍ଥାରେ ବ୍ୟାଘାତ ଘଟିଥିବାରୁ ଏହି ଘଟଣା ଘଟିଛି । ଡିଭା ଜଙ୍କସନରୁ କୋଙ୍କଣ ଆଡକୁ ଟ୍ରେନ୍ ନିୟମିତ ମାର୍ଗରେ ପାନଭେଲ ଷ୍ଟେସନକୁ ଯାଏ । ଅଧିକାରୀ କହିଛନ୍ତି ଯେ ଟ୍ରେନ୍ ନିର୍ଦ୍ଧାରିତ ମାର୍ଗରୁ ବିଚ୍ୟୁତ ହେବା ପରେ କଲ୍ୟାଣ ଷ୍ଟେସନରେ ପହଞ୍ଚିଥିଲା। ଏହା ପରେ ଡିଭା ଜଙ୍କସନକୁ ଫେରିଥିଲା । ଆଉ ତା’ପରେ ଟ୍ରେନ୍ ଡିଭା-ପାନଭେଲ ମାର୍ଗରେ ମଡଗାଓଁ ଅଭିମୁଖେ ଯାତ୍ରା ଆରମ୍ଭ କଲା । ଟ୍ରେନଟି ଡିଭା ଜଙ୍କସନରେ ସକାଳ ୬.୧୦ରୁ ସକାଳ ୭.୪୫ ପର୍ଯ୍ୟନ୍ତ ଅଟକି ଯାଇଥିଲା, ଏହା ପରେ ଟ୍ରେନ କଲ୍ୟାଣ ଅଭିମୁଖେ ଯାତ୍ରା କରିଥିଲା।