ଭୁବନେଶ୍ୱର,୨୫/୦୪: ରାଜ୍ୟରେ ଥିବା ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ନିସ୍ତାର ନାହିଁ । ସେମାନେ କେତେ କାମ କରୁଛନ୍ତି, ତାହାର କଡ଼ା ଗଣ୍ଡା ହିସାବ ନିକାଶ ହେବ । ବିଭାଗୀୟ କର୍ମଚାରୀଙ୍କ କାମ ବାବଦରେ ରିପୋର୍ଟ ଦେବା ପୂର୍ବରୁ ନିଜେ କର୍ମଚାରୀ ସ୍ୱ-କାର୍ଯ୍ୟଦକ୍ଷତା ରିପୋର୍ଟ ବା ସେଲ୍ଫ ଆପ୍ରେଜାଲ୍ ରିପୋର୍ଟ ଦାଖଲ କରିବେ। ମେ’ ୩୧ ତାରିଖ ସୁଦ୍ଧା ସରକାରୀ କର୍ମଚାରୀମାନଙ୍କୁ ଅନଲାଇନ୍ରେ ସେଲ୍ଫ ଆପ୍ରେଜାଲ୍ ରିପୋର୍ଟ ଦାଖଲ କରିବାକୁ ପଡ଼ିବ ।
ସେହିପରି ଜୁଲାଇ ୩୧ ତାରିଖ ସୁଦ୍ଧା କର୍ମଚାରୀ ଦେଇଥିବା ସ୍ୱ-କାର୍ଯ୍ୟଦକ୍ଷତା ରିପୋର୍ଟ ଉପରେ ମନ୍ତବ୍ୟ ଦେବେ ତାଙ୍କର ରିପୋର୍ଟିଂ ଅଥରିଟି । କର୍ମଚାରୀ ଠିକ୍ ଲେଖିଛନ୍ତି କି ନାହିଁ, ସେ ନେଇ ଅନଲାଇନ୍ରେ ମତ ରଖିବେ । ଅନୁରୁପ ଭାବେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ମନ୍ତବ୍ୟ ଦେବେ ସମୀକ୍ଷା କରୁଥିବା ଅଧିକାରୀ ବା ସମୀକ୍ଷକ । ଡିସେମ୍ବର ୩୧ ତାରିଖ ସୁଦ୍ଧା ଚୂଡାନ୍ତ ଅଧିକାରୀ ବା ସେହି ମତକୁ ଗ୍ରହଣ କରୁଥିବା ଅଧିକାରୀ ମତ ଦେବେ । ଏ ନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ କାର୍ଯ୍ୟସୂଚୀ ଜାରି ହୋଇଥିବା ବେଳେ ନିର୍ଦ୍ଧାରିତ ତାରିଖ ପୂର୍ବରୁ ରିପୋର୍ଟ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି । ଶେଷ ଦିବସ ବେଳକୁ ସମସ୍ତ ଅଧିକାରୀ ତଥା କର୍ମଚାରୀ ନିଜର ରିପୋର୍ଟ ଅନଲାଇନ୍ରେ ଦାଖଲ କରିବା ବେଳେ ଅନଲାଇନ୍ ସର୍ଭରରେ ଟ୍ରାଫିକ୍ କନଜେସନ୍ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି । ସେଥିରୁ ବର୍ତ୍ତିବା ପାଇଁ ନିଜ ବିଭାଗରେ ସଚେତନ ସୃଷ୍ଟି କରିବା ସହିତ ମେ ୩୧ ତାରିଖ ପୂର୍ବରୁ ସ୍ୱ-କାର୍ଯ୍ୟଦକ୍ଷତା ରିପୋର୍ଟ ଅନ୍ଲାଇନ୍ରେ ଦାଖଲ କରିବାକୁ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଚିଠି କରାଯାଇଛି । ପୂର୍ବରୁ ଚଳିତ ମାସ ୧୫ ତାରିଖରେ ଏ ନେଇ ସମସ୍ତ ଜିଲ୍ଲାପାଳ, ଆର୍ଡିସି ସମେତ ବିଭାଗୀୟ ଅଧିକାରୀଙ୍କୁ ଚିଠି ଜରିଆରେ ଆବଶ୍ୟକ ପଦକ୍ଷେପ ନେବା ବାବଦରେ ସୂଚିତ କରାଯାଇଥିଲା ।
ଅଧିକ ପଢ଼ନ୍ତୁ :- 'ଶାଶ୍ଵତ'ର ବିପରୀତ ‘ନଶ୍ୱର’ ନା ‘କ୍ଷଣିକ’ ? ହାଇକୋର୍ଟରେ କାଟ୍ ଖାଇଲା ବିଶେଷଜ୍ଞ କମିଟିର ଯୁକ୍ତି, RI ମେନ୍ ପରୀକ୍ଷା ଦେବେ ବାଦ୍ ପଡିଥିବା ଛାତ୍ରୀ