ନୂଆଦିଲ୍ଲୀ, ୧୧।୬: ରାଜଧାନୀ ଦିଲ୍ଲୀରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣାଶୁଣା ପଞ୍ଜାବୀ ଗାୟକ ଗୁରୁ ରନ୍ଧାୱାଙ୍କ ମାଲିକାନାରେ ଥିବା ଏକ ହାଇପ୍ରୋଫାଇଲ୍ ଜିମ୍ ବାହାରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିଚାଳନା କରିଛନ୍ତି । ଏହି ଆକ୍ରମଣ ପରେ ସମଗ୍ର ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ସେନ୍ସେସନାଲ୍ ଗୁଳିକାଣ୍ଡ ପଛରେ କୁଖ୍ୟାତ 'ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍'ର ହାତ ଥିବା ସୂଚନା ମିଳିଛି ।

ସୋସିଆଲ ମିଡିଆରେ ପୋଷ୍ଟ ଓ ଅଡିଓ ଭାଇରାଲ୍: "ଏହା କେବଳ ଟ୍ରେଲର୍..."

ଘଟଣାର କିଛି ସମୟ ପରେ ସୋସିଆଲ ମିଡିଆରେ ଏକ କଥିତ ପୋଷ୍ଟ ଏବଂ ଅଡିଓ କ୍ଲିପ୍ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଲରେନ୍ସ ଗ୍ୟାଙ୍ଗ୍ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଭାଇରାଲ୍ ଅଡିଓରେ ଗ୍ୟାଙ୍ଗର ଜଣେ ସଦସ୍ୟ କହୁଥିବାର ଶୁଣାଯାଉଛି ଯେ, "ଗୁରୁ ରନ୍ଧାୱାଙ୍କର ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନଙ୍କ ସହ ଅତି ନିବିଡ଼ ସମ୍ପର୍କ ରହିଛି, ସେଥିପାଇଁ ତାଙ୍କୁ ଟାର୍ଗେଟ୍ କରାଯାଇଛି । ଏହି ଗୁଳିଚାଳନା ତ କେବଳ ଏକ 'ଟ୍ରେଲର୍' ଥିଲା, ଅସଲ ଫିଲ୍ମ ଏବେ ବି ବାକି ଅଛି ।"

ଦିଲ୍ଲୀ ପୁଲିସ ପକ୍ଷରୁ ଜାରି କରାଯାଇଥିବା ଆଧିକାରିକ ବୟାନ ଅନୁଯାୟୀ, ଗୁରୁବାର ଭୋର ସମୟରେ ପଶ୍ଚିମ ବିହାର ଇଷ୍ଟ ଥାନା ଅନ୍ତର୍ଗତ ପୁଷ୍କର ଏନକ୍ଲେଭ୍‌ରେ ଥିବା "୨୪ ଆୱାର୍ସ ଫିଟନେସ୍" ଜିମ୍‌ରେ ଗୁଳିଚାଳନା ନେଇ ଏକ ପିସିଆର୍ କଲ୍ ମିଳିଥିଲା । ଦିଲ୍ଲୀ, ପଶ୍ଚିମ ବିହାର, ୨୪ ଆୱାର୍ସ ଫିଟନେସ୍ ଜିମ୍ରେ ସକାଳ ସମୟରେ ମୁହଁରେ କପଡ଼ା ବାନ୍ଧିଥିବା ୨ ଜଣ ଅଜ୍ଞାତ ବାଇକ୍ ଚାଳକ ଗୁଳିଚାଳନା କରିଥିଲେ । ଗୁଳିକାଣ୍ଡରେ ଜିମ୍‌ର କାଚଗୁଡ଼ିକ ଭାଙ୍ଗି ଚୂରମାର୍ ହୋଇଯାଇଛି । ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସର ଏକାଧିକ ସ୍ପେଶାଲ୍ ଟିମ୍ ଏବଂ ଜିଲ୍ଲା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ ଜିମ୍ ବାହାରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ୍ ଏବଂ ଭିଜୁଆଲ୍ସକୁ ନିଜ କବଜାକୁ ନେଇଛି । ସନ୍ଦିଗ୍ଧ ବାଇକ୍ ଆରୋହୀ ଦ୍ୱୟଙ୍କୁ ଚିହ୍ନଟ କରିବା ପାଇଁ ଅଞ୍ଚଳର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥର ସିସିଟିଭି ଯାଞ୍ଚ କରାଯାଉଛି ।

 

ପୁଲିସ ପ୍ରଶାସନ ବର୍ତ୍ତମାନ ଅତି ସତର୍କତାର ସହ କାମ କରୁଛି । ଏହି ଆକ୍ରମଣ ପ୍ରକୃତରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ କରିଛି ନା କୌଣସି ସ୍ଥାନୀୟ ଅପରାଧୀ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ଏବଂ ଜବରଦସ୍ତି ଚନ୍ଦା ଆଦାୟ କରିବା ପାଇଁ ଏହି କୁଖ୍ୟାତ ଗ୍ୟାଙ୍ଗର ନାମ ବ୍ୟବହାର କରୁଛି, ସେ ନେଇ ଗଭୀର ତଦନ୍ତ ଚାଲିଛି । ସୋସିଆଲ ମିଡିଆ ପୋଷ୍ଟ ଓ ଅଡିଓ କ୍ଲିପ୍‌ର ଫରେନ୍ସିକ୍ ଯାଞ୍ଚ କରାଯାଉଥିବା ନେଇ ପୁଲିସ ସୂଚନା ଦେଇଛି । "ଆମକୁ ସକାଳେ ପଶ୍ଚିମ ବିହାର ସ୍ଥିତ ଏକ ଜିମ୍ ବାହାରେ ଗୁଳିଚାଳନା ହୋଇଥିବା ନେଇ ଖବର ମିଳିଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଜିମ୍‌ର ଗ୍ଲାସ୍ ଫ୍ରଣ୍ଟ ଉପରକୁ କିଛି ରାଉଣ୍ଡ ଗୁଳି ଚଳାଇ ଫେରାର୍ ହୋଇଯାଇଛନ୍ତି । ଏହି ଘଟଣାରେ କେହି ଆହତ ହୋଇନାହାନ୍ତି । ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ଏବଂ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ । " ବୋଲି ଦିଲ୍ଲୀ ପୁଲିସ କହିଛି । ଏହି ଘଟଣା ପରେ ସୁରକ୍ଷା ଏଜେନ୍ସି ଗୁଡ଼ିକ ଆଲର୍ଟ ମୋଡ୍‌ରେ ଅଛନ୍ତି । ଗାୟକ ଗୁରୁ ରନ୍ଧାୱାଙ୍କ ସୁରକ୍ଷାକୁ ନେଇ ମଧ୍ୟ ସମୀକ୍ଷା କରାଯାଉଛି । ବର୍ତ୍ତମାନ ଦିଲ୍ଲୀର ଏହି ହାଇ-ପ୍ରୋଫାଇଲ୍ ଶୁଟ୍-ଆଉଟ୍ ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆହୁରି ପଢ଼ନ୍ତୁ... ​​​​​​​Agni 6 Missile Test: ଅଗ୍ନି-୬ର ଗର୍ଜନରେ କମ୍ପିବ ଶତ୍ରୁ ଶିବିର ! ଚାନ୍ଦିପୁରରେ ମହା-କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ବଡ଼ ପ୍ରସ୍ତୁତି