ଭୁବନେଶ୍ୱର, ୨୦/୦୨: ବିଲୁପ୍ତ ପ୍ରାୟ ଦେବନୀତି ହାଣ୍ଡିଭଙ୍ଗା ଯାତକୁ ସ୍ୱାଭାବିକ କରିବାକୁ କପିଳେଶ୍ୱରଙ୍କ ସେବାୟତମାନେ ସମ୍ମିଳିତ ଭାବେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ୧୧ ବର୍ଷ ପରେ ଆସନ୍ତା ଶନିବାର ଏକାଠି ହେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ବାସୁଦେବ, ମା’ପାର୍ବତୀ, କପିଳେଶ୍ୱର ଓ ଶନିଶ୍ୱର । ପୂରଣ ହେବ ଶ୍ରଦ୍ଧାଳୁ ଆଉ ସେବାୟତଙ୍କ ଦେବନୀତି ଦର୍ଶନର ଉତ୍କଣ୍ଠା । ଏଥିପାଇଁ ଗୁରୁବାର ସ୍ୱତନ୍ତ୍ର ସର୍କିଟ ହାଉସଠାରେ ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ କପିଳେଶ୍ୱର ମନ୍ଦିର ଟ୍ରଷ୍ଟବୋର୍ଡ ବୈଠକ ହୋଇଥିଲା । ଏଥିରେ ମୁଖ୍ୟତଃ ଶ୍ରୀଲିଙ୍ଗରାଜ କିପରି ହାଣ୍ଡିଭଙ୍ଗା ଯାତ ପାଇଁ କପିଳେଶ୍ୱରଙ୍କ ମନ୍ଦିର ବିଜେ କରିବେ ଓ ସମ୍ପୂର୍ଣ୍ଣ ପୂଜାନୀତି ସମନ୍ୱୟ ରକ୍ଷା ପୂର୍ବକ ସମାପନ ହେବ ଆଲୋଚନା ହୋଇଥିଲା ।
ନିଷ୍ପତ୍ତି ଅନୁଯାୟୀ, କପିଳେଶ୍ୱରଙ୍କ ଖୁଣ୍ଟିଆ ଓ ମଲିଆ ସେବାୟତଙ୍କ ସେବାସ୍ୱତ୍ତ୍ୱ ଚୁଡାନ୍ତ କରିବାକୁ ୩ ଜଣିଆ ନ୍ୟାୟିକ କମିଟି ଗଠନ ହେବ । କିନ୍ତୁ ଏବେ ହାଣ୍ଡିଭଙ୍ଗା ଯାତ ଲାଗି ଏକ ଅନ୍ତରୀଣ ସେବା ପୂଜା ତାଲିକା କରାଯାଇଛି । ଏହି ଅନ୍ତରୀଣ ତାଲିକା ଅନୁଯାୟୀ ଖୁଣ୍ଟିଆ ସେବାୟତମାନେ ଶନିବାର ଭୋର ୪ଟାରେ ମନ୍ଦିରରେ ପହଞ୍ଚି ମଙ୍ଗଳ ଆଳତୀ କରିବେ । ଠାକୁରଙ୍କ ଦିନ ତମାମର ୪ ବେଳା ପାଇଁ କୋଠ ବ୍ୟଞ୍ଜନାଦି ପ୍ରସ୍ତୁତି ଓ ସମର୍ପଣ କରିବେ । କିନ୍ତୁ ବରାଦି ଭୋଗ ପ୍ରସ୍ତୁତି ଏବଂ ସେଇ ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ-କପିଳେଶ୍ୱରଙ୍କ ଭେଟ ଆଳତୀ ନୀତି ମଲିଆ ସେବାୟତଙ୍କ ଦ୍ୱାରା କରାଯିବ । ଏହି ସମସ୍ତ ନିଷ୍ପତ୍ତି ଉପରେ ଆପାତତଃ ବୈଠକ ବେଳେ ଉଭୟ ପକ୍ଷ ସେବାୟତମାନେ ଅନେକ ବାଦବିବାଦ ସତ୍ତେ୍ୱ ସହମତି ଜଣାଇଥିଲେ । କିନ୍ତୁ ବୈଠକ ବାହାରେ ଅନେକ ଖୁସି ନଥିବା କହିଛନ୍ତି । ତେଣୁ ଯାତ୍ରା ନ ବଢ଼ିବା ଯାଏଁ କିଛି ବି ଠିକଣା ଭାବେ କହିହେବ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।
ଆହୁରି ପଢ଼ନ୍ତୁ :- ତୁଟିବ କି ୧୧ ବର୍ଷ ବିବାଦ ? ଆଜି ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ ସ୍ୱତନ୍ତ୍ର ବୈଠକ
ଆପଟିଆ ସେବାୟତ ପ୍ରଭାତ କୁମାର ମହାନ୍ତି କହିଛନ୍ତି, କେବେଠାରୁ ଆମ କାନ୍ଧ ଦେବଦେବୀଙ୍କୁ କାନେ୍ଧଇ ବୁଲେଇବାକୁ ଝୁରି ହେଉଥିଲା । ଏବେ ସ୍ୱପ୍ନ ସାକାର ହେବ ଓ କାନ୍ଧରେ ବୀମାନ ଭାର ଶୋଭା ପାଇବ । ଏତିକି ହିଁ ଆମ ଆନନ୍ଦ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ଜେନା, ଉପଜିଲ୍ଲାପାଳ ତଥା କପିଳେଶ୍ୱର ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋରଞ୍ଜନ ସାହୁ, ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଧା ସଙ୍ଗୀତା ସାହୁ, ଟ୍ରଷ୍ଟବୋର୍ଡ ସଭ୍ୟ ଅବନୀକାନ୍ତ ପଟ୍ଟନାୟକ ଏବଂ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।