ହରଭଙ୍ଗା, ୨୫/୦୫: କର୍ମମୟ ଜୀବନରୁ ସାମାନ୍ୟ ବିରତି ନେଇ ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ହଜିଯିବାକୁ ଚାହେଁ ମଣିଷ । ପ୍ରକୃତିର କୋଳରେ କିଛି ସମୟ ବିତାଇବାକୁ ଇଚ୍ଛା କରେ । ସାଙ୍ଗମାନଙ୍କ ସହ ଭୋଜି ଭାତରେ ମସଗୁଲ୍ ହୁଏ । ଆଉ ଏଥିପାଇଁ ଖୋଜା ପଡ଼େ ପର୍ଯ୍ୟଟନସ୍ଥଳୀ । ଯେଉଁଠି କୁଳୁକୁଳୁ ନାଦ କରି ବହିଯାଉଥିବ ଝରଣା । ପକ୍ଷୀମାନଙ୍କର କିଚିରି ମିଚିରି କଳରବରେ ଫାଟି ପଡ଼ୁଥିବ ଅଞ୍ଚଳ । ଏଭଳି ଏକ ପର୍ଯ୍ୟଟନସ୍ଥଳୀ ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର 'କୁମ୍ଭିଦରହ' । କେବଳ ପର୍ଯ୍ୟଟନ ଋତୁ ନୁହେଁ, ସବୁବେଳେ ଏଠାରେ ପ୍ରକୃତି ପ୍ରେମୀଙ୍କ ଲାଗିଥାଏ ଭିଡ଼ । ସବୁଜବନାନୀ ପର୍ବତ, ପାହାଡ଼ର ଛାତି ବହିଯାଇଥିବା ଝରଣା ଓ ପକ୍ଷୀଙ୍କ କଳରବ ପର୍ଯ୍ୟଟକଙ୍କୁ ଏହି ସ୍ଥାନକୁ ଆକର୍ଷିତ କରିଥାଏ । ବଣଭୋଜି ପାଇଁ ଏହା ଅତ୍ୟନ୍ତ ମନୋରମ ସ୍ଥାନ ବୋଲି ସ୍ଥାନୀୟ ଲୋକେ କୁହନ୍ତି । ମାତ୍ର ଏହି ସ୍ଥାନ ସରକାରଙ୍କ ପର୍ଯ୍ୟଟନ ମାନଚିତ୍ରରୁ ବହୁ ଦୂରରେ ରହିଛି । ଏଠାରେ ଆବଶ୍ୟକ ସୁବିଧା କରାଗଲେ ରାଜ୍ୟ ତଥା ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟନ୍ତା ବୋଲି ଅଞ୍ଚଳବାସୀ କହିଛନ୍ତି ।
କୁମ୍ଭିଦରହ ପର୍ଯ୍ୟଟନସ୍ଥଳୀର ଗୋଟିଏ ପାର୍ଶ୍ବ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଅନ୍ୟ ତିନି ପାଖରେ ଜଙ୍ଗଲ ରହୁଛି । ବୌଦ୍ଧ ଜିଲ୍ଲାର ଆଡ଼େଣୀଗଡ଼ ପଞ୍ଚାୟତ ମାଧପୁର ଛକରୁ ଫୁଲବାଣୀ ରାସ୍ତାରେ ୩ କିଲୋମିଟର ଗଲେ ପଡ଼େ ଏହି ରମଣୀୟ ପିକନିକ୍ ସ୍ପଟ୍ । ରାଜଧାନୀ ଭୁବନେଶ୍ୱରରୁ ଏହାର ଦୁରତା ୧୭୨କି.ମି ରହିଥିବାବେଳେ ବୌଦ୍ଧ ସହରରୁ ୫୫କି.ମି ଓ ଫୁଲବାଣୀରୁ ୪୫ କି.ମି ଦୂରରେ ରହିଛି ଏହି ସ୍ଥାନ । ସବୁଜ ରାଣୀର ପାଦଦେଶରେ ବର୍ଷ ତମାମ କୁଳୁକୁଳୁ ନାଦ କରି ବହିଯାଉଥିବା ଝରଣାର ମାଦକଭରା ଶବ୍ଦ ସହିତ ଜଙ୍ଗଲର ବିଭିନ୍ନ ପଶୁପକ୍ଷୀଙ୍କ ସୁମଧୁର କଳରବ ପର୍ଯ୍ୟଟକଙ୍କୁ ଏହି ସ୍ଥାନକୁ ଟାଣି ଆଣିଥାଏ । ସବୁଜ ସୁନ୍ଦର ପରିବେଶକୁ ନିଜ କ୍ୟାମେରାର କାନଭାସରେ ଧରି ରଖିବାକୁ ଇଚ୍ଛା କରିଥାନ୍ତି ସମସ୍ତେ । ଝରଣା ପାଣିରେ ଗାଧୋଇ ମଜା ନେଇଥାନ୍ତି ପର୍ଯ୍ୟଟକ । ଏମିତି ବର୍ଷସାରା ଏଠାରେ ବଣଭୋଜିର ଆସର ଜମିଥାଏ । ହେଲେ ନଭେମ୍ବରରୁ ଫେବ୍ରୁୟାରୀ ଯାଏ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଜମିଥାଏ ।
କୁମ୍ଭିଦରହକୁ ନେଇ ବହୁ ପୌରାଣିକ କଥା ବସ୍ତୁ ମଧ୍ୟ ରହିଛି । କୁହାଯାଏ, ଦ୍ବାପର ଯୁଗରେ ଏଠାରେ ଏକ କୁମ୍ଭୀର ରହୁଥିଲା । ଆଉ ଏହି କୁମ୍ଭୀରକୁ ମାରିବାକୁ ପଣ୍ଡୁପୁତ୍ର ମାହନ ଧନୁର୍ଦ୍ଧାରୀ ଅର୍ଜୁନ ଶର ଭେଦ କରିଥିଲେ । ହେଲେ କୁମ୍ଭୀରଟି ପାଣି ଭିତରକୁ ଚାଲିଯିବାରୁ ଅର୍ଜୁନଙ୍କ ଦ୍ୱାରା ନିକ୍ଷେପିତ ବାଣ ପଥର ଉପରେ ମାଡ଼ ହୋଇଥିଲା । ଅର୍ଜୁନଙ୍କ ପ୍ରହାର ଏତେ ପ୍ରଚଣ୍ଡ ଥିଲା ଯେ ପଥର ଫଟାଇ ଝରଣା ସୃଷ୍ଟି ହୋଇଥିଲା । ଆଉ ଏବେ ଏହି ଝରଣା କୁଳୁକୁଳୁ ନାଦରେ ବହି ଯାଇ କୁମ୍ଭିଦରହର ଶୋଭା ବଢ଼ାଉଛି ।
ସବୁ ବଡ଼ କଥା ହେଲା ଏହି ପର୍ଯ୍ୟଟନସ୍ଥଳୀ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସାମିଲ୍ ହୋଇନାହିଁ । ବିକାଶଠାରୁ ବହୁ ଦୂରରେ ରହିଛି । ରାତ୍ରୀ ଯାପନ ପାଇଁ ଏଠାରେ ସୁବିଧା ନାହିଁ । ମାଧପୁର ଛକ ନିକଟରେ ପୁର୍ତ୍ତ ବିଭାଗର ଏକ ଡାକବଙ୍ଗଳା ଓ ଆଡେଣୀଗଡଠାରେ ଜାତୀୟ ରାଜପଥ ବିଭାଗର ଡାକବଙ୍ଗଳା ରହିଛି । ଏହା ପର୍ଯ୍ୟଟକଙ୍କ କାମରେ ଆସୁନାହିଁ । ଅନ୍ୟପଟେ ଏହି ସ୍ଥାନ ବୌଦ୍ଧ ବନବିଭାଗ ଅଧୀନରେ ଆସୁଥିବାରୁ ବିକାଶମୂଳକ କାର୍ଯ୍ୟ ହେଇପାରୁନାହିଁ । ସ୍ଥାନୀୟ ଲୋକଙ୍କ ଦାବି ପରେ ହରଭଙ୍ଗା ବିଡିଓ ପିକନିକ୍ ସ୍ପଟ୍ ଯାଇ ଅନୁଧ୍ୟାନ କରିଛନ୍ତି ଏବଂ ଯଥା ଏହାର ବିକାଶ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । 'କୁମ୍ଭିଦରହ' ପର୍ଯ୍ୟଟନସ୍ଥଳୀରେ ଅବଶ୍ୟକ ସୁବିଧା ହେଲେ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସୁଅ ଛୁଟନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।