ନୂଆଦିଲ୍ଲୀ,୩୧/୧୨: ପ୍ରବଳ ଥଣ୍ଡା ଓ ଶୀତ ଲହରରେ ଥରୁଛି ସମଗ୍ର ଉତ୍ତର ଭାରତ । ହିମାଚଳ ପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଜମ୍ମୁ-କାଶ୍ମୀର ଓ ଉତ୍ତରାଖଣ୍ଡରେ ତୁଷାର ପାତ ସହ ପ୍ରବଳ ଶୀତଲହର ଜାରି ରହିଛି । ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଏସବୁ ରାଜ୍ୟରେ ତାପମାତ୍ରା ସ୍ୱାଭାବିକ ଠାରୁ ଆହୁରି ୫ ଡିଗ୍ରୀ ସେଲ୍ସିୟସ ହ୍ରାସ ପାଇବ ଏବଂ ଅଧିକ ଥଣ୍ଡା ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ସତର୍କ ସୂଚନା ଜାରି କରିଛି । କେତେକ ସ୍ଥାନରେ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ମଧ୍ୟ ଲାଗି ରହିବ ବୋଲି କୁହାଯାଇଛି ।
କାଶ୍ମୀରରେ ପ୍ରବଳ ବରଫପାତ ଯୋଗୁ ଶ୍ରୀନଗର-ଲେହ ଜାତୀୟ ରାଜପଥ ବନ୍ଦ ରହିଛି । କାଶ୍ମୀର ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି । ଗାନ୍ଦରବଲ, ସୋନମାର୍ଗ, ପେହେଲଗାମ, ଗୁଣ୍ଡ, ବାରାମୂଲା ସମେତ ଅନେକ ସ୍ଥାନରେ ତାପମାତ୍ରା -୧୦ ଡିଗ୍ରୀରୁ -୨୨ ଡିଗ୍ରୀ ପର୍ଯ୍ୟନ୍ତ ଖସିଆସିଛି । ରାସ୍ତାଘାଟରେ ୧ ଫୁଟ ଉଚ୍ଚର ବରଫ ଜମା ହୋଇଥିବାରୁ ବିଭିନ୍ନ ସ୍ଥାନରେ ୧୮୦୦ରୁ ଅଧିକ ଗାଡି ଅଟକି ରହିଛି । ୨ ହଜାରରୁ ଅଧିକ ପର୍ଯ୍ୟଟକ ରାସ୍ତାରେ ଫସିରହିଛନ୍ତି ।
କାଶ୍ମୀର ଲୋକମାନେ ରାସ୍ତାରେ ଫସିରହିଥିବା ଲୋକଙ୍କୁ ଘରେ ଆଶ୍ରୟ ଦେଇଛନ୍ତି । ମସ୍ଜିଦରେ ମଧ୍ୟ ଲୋକେ ଆଶ୍ରୟ ନେଉଛନ୍ତି । ଲୋକଙ୍କୁ କମ୍ବଳ ଓ ଅନ୍ୟ ଗରମ ପୋଷାକ ଯୋଗାଇ ଦିଆଯାଉଛି । ଉତ୍ତରାଖଣ୍ଡରେ ପାହାଡିଆ ଅଞ୍ଚଳରେ ପ୍ରବଳ ବରଫପାତ ହୋଇଛି । ଫଳସ୍ୱରୂପ ତଳିଆ ଅଞ୍ଚଳରେ ଥଣ୍ଡାର ପ୍ରକୋପ ବଢ଼ିଯାଇଛି । କେଦାରନାଥ ଓ ବଦ୍ରୀନାଥ ଧାମ ସମଗ୍ର ବରଫ ଚାଦରରେ ଘୋଡାଇ ହୋଇରହିଛି । ଆଲି, ହର୍ଷିଲ, ଚୋପଟା, ଦାୟରା, ଲୋଖଣ୍ଡି, ସୁକି ଟପ, ମନସିୟାରୀ ଏବଂ ପିଥୋରଗଡ ଭଳି ପାହାଡିଆ ଅଞ୍ଚଳ ବରଫ ଚାଦରରେ ଢାଙ୍କି ହୋଇଯାଇଛି । ପଣ୍ଡୁକେଶ୍ୱର ନିକଟରେ ବଦ୍ରୀନାଥ ଧାମକୁ ସଂଯୋଗ କରୁଥିବା ରାଜପଥ ବରଫ ପଡିବାରୁ ବନ୍ଦ ହୋଇଯାଇଛି । ଯୋଶୀମଠ- ନୀତି ଓ ଚାମୋଲି-କୁଣ୍ଡ ରାଜମାର୍ଗରେ ଯାନବାହନ ଚଳାଚଳ ବନ୍ଦ ରହିଛି ।
ଚାମୋଲି, ଉତ୍ତରକାଶୀ, ରୁଦ୍ରପ୍ରୟାଗ, ଡେରାଡୁନ, ପୌଡି, ପିଥୋରଗଡ ଓ ନୈନିତାଲ ଆଦି ଜିଲ୍ଲାରେ ବରଫପାତ ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ହିମାଚଳ ପ୍ରଦେଶର କେତେକ ଅଞ୍ଚଳରେ ଗତ ଦୁଇଦିନ ଧରି ବରଫପାତ ହୋଇଛି । ରାଜଧାନୀ ସିମଲା ସମେତ ମନାଲି, କିନୌର, ଲାହୁଲ-ସ୍ପିତି, କୁଲ୍ଲୁ ଓ ଅପର ସିମ୍ଲା ଆଦି ଅଞ୍ଚଳରେ ତାପମାତ୍ରା ଶୂନରୁ -୧୨ ଡିଗ୍ରୀ ସେଲ୍ସିୟମ ପର୍ଯ୍ୟନ୍ତ ଖସିଆସିଛି । ପ୍ରବଳ ତୁଷାରପାତ ଯୋଗୁ ୪୦୦ ରାସ୍ତା ବନ୍ଦ ରହିଛି । ୩ଟି ଜାତୀୟ ରାଜପଥରେ ଶତାଧିକ ଗାଡି ଓ ହଜାର ହଜାର ପର୍ଯ୍ୟଟକ ଅଟକି ରହିଛନ୍ତି । କେତେକ ସ୍ଥାନରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ଆସନ୍ତା ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ବରଫପାତ ଲାଗି ରହିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।