- ୨୦୦ ଗିଗାୱାଟ୍ ଡାଟା ସେଣ୍ଟର୍
- ବର୍ଷକୁ ଖାଇବ ୧,୨୦୦ ଟେରାୱାଟ୍ ଆୱାର ବିଜୁଳି
- ଶୋଷିନେବ ୧୦ କୋଟି କ୍ୟୁବିକ୍ ମିଟର ଜଳ
- ଗାଁରେ ଫସଲକୁ ମିଳିବନି ପାଣି
- ସହରରେ ପିଇବା ପାଣି ପାଇଁ ହାହାକାର
ଭୁବନେଶ୍ବର, ୧୦/୦୬: ବିଶ୍ୱରେ ଏବେ ଦୌଡ଼, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର । ତମାମ ରାଷ୍ଟ୍ର ମେସିନ୍ ବୁଦ୍ଧିମତାର ଶକ୍ତି ପଛରେ ପଡ଼ିଛନ୍ତି । ଏହି ଦୌଡ଼ରେ ଭାରତ ବି ସାମିଲ ହୋଇଛି । ଘରୋଇ ନିବେଶକମାନେ ଏଆଇ ଡାଟା ସେଣ୍ଟର୍ ବସାଇବାକୁ ଅରବ ଡଲାର ପୁଞ୍ଜି ଖଟାଉଛନ୍ତି । ଅନ୍ତର୍ଜାତୀୟ ଟେକ୍ କମ୍ପାନିମାନେ ବି ଏବେ ଭାରତମୁହାଁ । ଏହା ଦେଶର ଡିଜିଟାଲ କମ୍ପ୍ୟୁଟିଂ ଶକ୍ତିକୁ ତ୍ୱରାନ୍ୱିତ କରୁଛି । ତେବେ ଟେକ୍ ଜଗତରେ ଏହି ବ୍ୟାପକ ବିସ୍ତାର ସହିତ ଗମ୍ଭୀର ସାମାଜିକ, ପରିବେଶଗତ ଓ ଆର୍ଥିକ ଦୁଷ୍ପରିଣାମ ଉଭା ହୋଇଛି । ଭାରତ ଭଳି ଜନବହୁଳ ରାଷ୍ଟ୍ର ପୂର୍ବରୁ ଜଳ, ବିଦ୍ୟୁତ୍ ଓ ଭୂମି ସଙ୍କଟର ସମ୍ମୁଖୀନ ହେଉଛି । ଏହି ସ୍ଥିତିରେ ଏଆଇ ଡାଟା ସେଣ୍ଟର୍ ଜରିଆରେ ଦେଶ ଗମ୍ଭୀର ପରିଣାମକୁ ଆମନ୍ତ୍ରଣ କରୁଛି । ଟେକ୍ କମ୍ପାନିମାନେ ଶାଗ-ମାଛ ଦରରେ ଗରିବ ଚାଷୀ, ଖାସ୍କରି ପଛୁଆ ବର୍ଗଙ୍କ ଜାଗା ହାତେଇ ନିଜର ଉଦ୍ଦେଶ୍ୟ ପୂରଣ କରୁଛନ୍ତି । ଏକମାତ୍ର ଜୀବିକା ହରାଉଛି କ୍ଷୁଦ୍ର ଚାଷୀ । ଏ ପ୍ରକାର ବିଶାଳ ଭିତ୍ତିଭୂମି ସ୍ଥାନୀୟ ଭୌଗୋଳିକ ସ୍ଥିତିକୁ ମଧ୍ୟ ବିଗାଡୁଛି । ଧ୍ୱଂସ ହେଉଛି ଜଙ୍ଗଲ, ପାହାଡ଼ ଓ ସବୁଜିମା । ବିପଦରେ ପରିସଂସ୍ଥାନ । ସମସ୍ୟା ଏତିକିରେ ସୀମିତ ନାହିଁ । ଯୁବପିଢ଼ିଙ୍କୁ ବ୍ୟାପକ କର୍ପୋରେଟ୍ ଚାକିରିର ପ୍ରତିଶ୍ରୁତି ମଧ୍ୟ ବିଫଳ ହେଉଛି । ବିଶାଳ ଟେକ୍ ହବ୍ ଅଟୋମେସନ୍ ଆଧାରରେ ପରିଚାଳିତ ହେଉଥିବାରୁ ନିଯୁକ୍ତି ସ୍ୱପ୍ନ ଅଧୁରା ।
ଦୌଡ଼ରେ ଭାରତ ସାମିଲ:
ଏଆଇ/ଡାଟା ସେଣ୍ଟର୍ ନିର୍ମାଣ ଲାଗି ବିଶ୍ୱରେ ଏବେ ଏକ ପ୍ରକାର ପାଗଳ ଭଳି ଦୌଡ଼ ଚାଲିଛି । ଦୁର୍ଭାଗ୍ୟବଶତଃ, ଏହି ଦୌଡ଼ରେ ଭାରତ ବି ସାମିଲ ହୋଇଛି । କିଛି ଅନୁମାନ ଅନୁସାରେ, ଆସନ୍ତା ୧୦ ବର୍ଷରେ ବିଶ୍ୱସ୍ତରରେ ଡାଟା ସେଣ୍ଟର୍ଗୁଡ଼ିକର କ୍ଷମତା ୨୦୦ ଗିଗାୱାଟ୍ରେ ପହଞ୍ଚିବ । ଏହାର ୫୦ ପ୍ରତିଶତ ଆମେରିକାରେ, ୩୦ ପ୍ରତିଶତ ଏସିଆ-ପ୍ରଶାନ୍ତ କ୍ଷେତ୍ରରେ ଏବଂ ବାକି ଭାରତ ସମେତ ଅନ୍ୟ ଅଞ୍ଚଳରେ ରହିବ । ଡାଟା ସେଣ୍ଟର୍ଗୁଡ଼ିକ ଜଳ ଓ ବିଦ୍ୟୁତ୍ର ବଡ଼ ଇନ୍ଧନ ଉପଯୋଗକାରୀ ଭାବେ ପରିଚିତ । ୨୦୦ ଗିଗାୱାଟ୍ର ଡାଟା ସେଣ୍ଟର୍ ବର୍ଷକୁ ୧,୨୦୦ ଟିଡବ୍ଲ୍ୟୁଏଚ୍ (ଟେରାୱାଟ୍ ଆୱାର) ବିଦ୍ୟୁତ୍ ଏବଂ ୧୦୦ ନିୟୁତ କ୍ୟୁବିକ୍ ମିଟର ଜଳ ଆବଶ୍ୟକ କରିବ । ଏଭଳି ବ୍ୟାପକ ସ୍ତରରେ ଡାଟା ସେଣ୍ଟର୍ ନିର୍ମାଣ ଲାଗି ଟ୍ରିଲିଅନ ଡଲାର ନିବେଶ ଆବଶ୍ୟକ । କିନ୍ତୁ ଏଭଳି ନିବେଶରୁ କେଉଁ ପ୍ରକାର ଆର୍ଥିକ ଲାଭ ମିଳିବ, ତାହା କେହି ଜାଣିନାହାନ୍ତି । ତେଣୁ ଏହା ଆଉ ଏକ ଆର୍ଥିକ ସମସ୍ୟା ରୂପେ ଉଭା ହେବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଜଳାଭାବ, ବିଜୁଳି ଅଭାବ ଚାପ ବଢ଼ିବ:
ଆମେରିକାରେ କିଛି ଡାଟା ସେଣ୍ଟର୍ ପ୍ରୋଜେକ୍ଟ ସ୍ଥାନୀୟ ବିରୋଧର ସମ୍ମୁଖୀନ ହୋଇଛି । ଏସବୁ ଉକ୍ତ ଅଞ୍ଚଳରେ ଜଳାଭାବ, ବିଦ୍ୟୁତ୍ ଯୋଗାଣରେ ତାପଜ ଚାପ ଓ ଚିନ୍ତା ସୃଷ୍ଟି କରୁଛନ୍ତି । ତେଣୁ ଗୁଗଲ୍ ଭଳି ଆଇଟି କମ୍ପାନି ଭାରତ ଭଳି ବିକାଶୋନ୍ମୁଖୀ ଦେଶକୁ ନିଜ ପ୍ରୋଜେକ୍ଟ ସ୍ଥାନାନ୍ତର କରୁଛନ୍ତି । ଭାରତରେ ରାଜନେତାମାନେ ଏଆଇ/ଡାଟା ସେଣ୍ଟର୍ ପ୍ରମୋଟର୍ଙ୍କୁ ଅବିଶ୍ୱସନୀୟ ଟିକସ ରିଆତି ଦେବାକୁ ଆଗେଇ ଆସୁଛନ୍ତି । ଭୂମି, ଜଳ ଓ ବିଦ୍ୟୁତ୍ରେ ବ୍ୟାପକ ରିଆତି ମଧ୍ୟ ଦେଉଛନ୍ତି । ଆହୁରି ବିଡ଼ମ୍ବନାର ବିଷୟ ହେଉଛି କେନ୍ଦ୍ର ଅର୍ଥମନ୍ତ୍ରୀ ବିଦେଶୀ ଡାଟା ସେଣ୍ଟର୍ ପାଇଁ ୨୦୪୭ ମସିହା ଯାଏ ‘ଟିକସ ହୋଲ୍ଡିଂ’ ମଧ୍ୟ ଘୋଷଣା କରିଛନ୍ତି । ଡାଟା ସେଣ୍ଟର୍ରୁ ପ୍ରାପ୍ତ ସାମାଜିକ ମୂଲ୍ୟ ଓ ସାମାଜିକ ଲାଭର ଧ୍ୟାନପୂର୍ବକ ମୂଲ୍ୟାୟନ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡୁନାହିଁ । ଭାରତରେ ଏଆଇ ସେଣ୍ଟର୍ଗୁଡ଼ିକୁ ଦିଆଯାଇଥିବା ସବ୍ସିଡି ଓ ସହାୟତା ସେମାନଙ୍କ ଉପରେ ମୋଟ୍ ନିବେଶର ପ୍ରାୟ ଅଧା ଯୋଡ଼ାହେବ ବୋଲି ଜଣାପଡୁଛି । ଲାଭ ଲକ୍ଷ୍ୟରେ ନିବେଶ ବିପଦକୁ ହାତକୁ ନେଉଥିବା ଘରୋଇ ପ୍ରମୋଟର୍ଙ୍କର ବିଚାର ପ୍ରତି ଏହା ଉପହାସ ଭଳି ।
ଅନ୍ୟପକ୍ଷେ, ଏଆଇ/ଡାଟା ସେଣ୍ଟର୍ ସ୍ଥାନୀୟ ଯୁବକଙ୍କୁ ବିଭିନ୍ନ ସ୍ତରରେ ବ୍ୟାପକ ସଂଖାରେ ନିଯୁକ୍ତି ପ୍ରଦାନ କରିବେ କିମ୍ବା ଚାକିରି ପାଇଁ ତାଲିମ ସୁବିଧା ଯୋଗାଇବେ, ତା’ର କୌଣସି ଗ୍ୟାରେଣ୍ଟି ମଧ୍ୟ ନାହିଁ । ଏଆଇ ସେଣ୍ଟର୍ ସ୍ଥାପନା ଲାଗି, ଭାରତ ଭଳି ଦେଶରେ ସ୍ଥାନୀୟ ସରକାର ଶତାଧିକ କ୍ଷୁଦ୍ର ଚାଷୀଙ୍କୁ ସେମାନଙ୍କ ଜମିରୁ ବଳପୂର୍ବକ ବିସ୍ଥାପିତ କରୁଛନ୍ତି, ଯାହା ସେମାନଙ୍କ ପ୍ରଧାନ ଜୀବିକା । ତନ୍ମଧ୍ୟରେ ଅନେକ ବିସ୍ଥାପିତ ସବୁଠୁ ପଛୁଆ ବର୍ଗର । ଏ ବାବଦରେ ସେମାନଙ୍କୁ ମିଳୁଥିବା ତଥାକଥିତ କ୍ଷତିପୂରଣ ନାମମାତ୍ର, ଯାହା ସେମାନଙ୍କ ଜମିର ବଜାର ମୂଲ୍ୟ ସହ ଆଦୌ ତୁଳନୀୟ ନୁହେଁ ।
ଜମି ହରାଇବେ ପଛୁଆ ବର୍ଗ:
ବର୍ତ୍ତମାନ ଦୃଶ୍ୟପଟ୍ଟ ଅନୁସାରେ, ଏଆଇ ସେଣ୍ଟର୍ ଭାରତରେ ପହଞ୍ଚୁଥିବା ବେଳେ ପୂର୍ବ ସରକାରଙ୍କ ଦ୍ୱାରା ଆବଣ୍ଟିତ ଏକମାତ୍ର ଭୂମିରୁ ଏହି ପଛୁଆ ବର୍ଗ ଏବେ ବଞ୍ଚିତ ହେଉଛନ୍ତି । ଏହି ହତଭାଗ୍ୟ ଭୂମିହୀନମାନେ ସମ୍ମୁଖୀନ ହେଉଥିବା ଗମ୍ଭୀର ମାନସିକ ଯନ୍ତ୍ରଣାକୁ ଅରବ କୋଟି ଆୟ କରୁଥିବା ଡାଟା ସେଣ୍ଟର୍ ପ୍ରମୋଟର କିମ୍ବା ଜନସ୍ୱାର୍ଥ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥକୁ ଊର୍ଦ୍ଧ୍ୱ ରଖିଥିବା ଆଜିର ରାଜନେତା ବୁଝିପାରୁ ନାହାନ୍ତି । ପୂର୍ବତଟ ଭାରତର ବର୍ତ୍ତମାନ ସମୟର ଭୀଷଣ ଜନବହୁଳ ଓ ଜଳ-ସଙ୍କଟ କ୍ଷେତ୍ରରେ ୪ଟି ୧-୧.୫ ଗିଗାୱାଟ୍ ଡାଟା ସେଣ୍ଟର୍ ପ୍ରତିଷ୍ଠା ହେଉଛି, ଯାହା ଉକ୍ତ ଅଞ୍ଚଳରେ ଉତ୍କଟ ଜଳ ସଙ୍କଟ ସୃଷ୍ଟି କରୁଛି । ସହରାଞ୍ଚଳରେ ଏମାନେ ପାନୀୟ ଜଳ ସଙ୍କଟ ବଢ଼ାଉଛନ୍ତି । ଗ୍ରାମାଞ୍ଚଳରେ ଚାଷ ଜମି ପାଇଁ ଉଦ୍ଦିଷ୍ଟ ଜଳ ଖର୍ଚ୍ଚ କରୁଛନ୍ତି । ଭାରତ ଭଳି ଦେଶରେ ଏଭଳି ଡାଟା ସେଣ୍ଟର୍ ନିର୍ମାଣ ଲାଗି ଦୌଡ଼ ଏମିତି ତୀବ୍ର ହୋଇଛି ଯେ ରାଜ୍ୟ ସରକାର ଆଖିରେ ଅନ୍ଧପୁଟୁଳି ବାନ୍ଧି ପରିବେଶ ପାଇଁ ଭୟଙ୍କର ବିପଦ ଡାକି ଆଣୁଛନ୍ତି । ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସମାଜକୁ ବଳି ଦେଉଛନ୍ତି । ବିଶାଖାପଟନମ୍ରେ ଅବସ୍ଥିତ ଏଭଳି ଏକ ଏଆଇ ସେଣ୍ଟର୍ ପ୍ରୋଜେକ୍ଟରେ ପ୍ରୋଜେକ୍ଟ ମ୍ୟାନେଜରମାନେ ସମୃଦ୍ଧ ଜଙ୍ଗଲ କାଟୁଛନ୍ତି ଏବଂ ଏକ ସବୁଜିମାଭରା କ୍ଷେତ୍ରରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଛନ୍ତି । ସହର ବାସିନ୍ଦାଙ୍କୁ ପାନୀୟ ଜଳ ପ୍ରଦାନ କରୁଥିବା ଜଳ ଭଣ୍ଡାରରେ ଜଳ ପ୍ରବାହକୁ ବନ୍ଦ କରିଛନ୍ତି । ଡାଟା ସେଣ୍ଟର୍ ଥରେ ଆରମ୍ଭ ହେଲେ, ଭୂତଳ ଜଳାଶୟକୁ ନିଶ୍ଚିତ ରୂପେ ପ୍ରଦୂଷିତ କରିବ ।
ଅନ୍ୟପକ୍ଷେ, ଏହି ଡାଟା ସେଣ୍ଟର୍ ପ୍ରଚୁର ପରିମାଣର ଜଳ ଉପଯୋଗ କରିବ, ଯାହା ସ୍ଥାନୀୟ ସମୁଦାୟରେ ଜଳ ସଙ୍କଟକୁ ଆହୁରି ଉତ୍କଟ କରିବ । ଆମେରିକାରେ କିଛି ଆଇଟି କମ୍ପାନି କର୍ମଚାରୀଙ୍କ ପ୍ରତିବାଦ ସତ୍ତ୍ବେ ପେଣ୍ଟାଗନ୍ ସହିତ ନିକଟରେ ଚୁକ୍ତି କରିଛନ୍ତି । ଆମେରିକା ବାହାରେ, ଏହା ତଥ୍ୟ ସାର୍ବଭୌମତ୍ୱକୁ ନେଇ ଚିନ୍ତା ପ୍ରକଟ କରିଛି, ଆମେରିକାର କ୍ଲାଉଡ୍ ଅଧିନିୟମ, ୨୦୧୮ ଓ ଅନ୍ୟ ତଥ୍ୟ ଆଇନ ନିଜର ଆଇନ ଲାଗୁ କରୁଥିବା ଏଜେନ୍ସିଗୁଡ଼ିକୁ ସର୍ଭର୍ରେ ଗଚ୍ଛିତ ଇମେଲ, ଫାଇଲ, ଯୋଗାଯୋଗ ଭଳି ତଥ୍ୟଗୁଡ଼ିକର ଅନାବରଣ ଲାଗି ଆମେରିକାରେ କିମ୍ବା ବାହାରେ ଆଇଟି କମ୍ପାନିମାନଙ୍କୁ ବାଧ୍ୟ କରିବାକୁ ଅଧିକାର ପ୍ରଦାନ କରିଛି । ସୁରକ୍ଷା ମାମଲାରେ ଏହାର ବିପଦ ସମ୍ପର୍କରେ ଭାରତ ସରକାର ଆଦୌ ଚିନ୍ତିତ ନୁହନ୍ତି । ଏହି ସ୍ଥିତିରେ ଭାରତକୁ ସାମାଜିକ ମୂଲ୍ୟ ଓ ସାମାଜିକ ଲାଭର ଉଚିତ୍ ମୂଲ୍ୟାଙ୍କନ ଆଧାରରେ ଏଭଳି ଏଆଇ ଡାଟା ସେଣ୍ଟର୍ ଉପରେ ଆବଶ୍ୟକ ନିଷ୍ପତ୍ତି ନେବା ଆବଶ୍ୟକ ।
ଅଧିକ ପଢନ୍ତୁ- Nuclear Weapon: ସୀମାରେ ପ୍ରଥମ ଥର ଆଣବିକ ଅସ୍ତ୍ର ମୁତୟନ କଲା ଭାରତ, ଛାନିଆ ପଡ଼ୋଶୀ ଚୀନ ଏବଂ ପାକିସ୍ତାନ