ଗୌହାଟୀ: ରଣନୈତିକ ଦୃଷ୍ଟିରୁ ସିଲିଗୁଡ଼ି କରିଡ଼ର ଭାରତ ପାଇଁ ବହୁ ଗୁରୁତ୍ତ୍ୱପୂର୍ଣ୍ଣ। ଏହି କରିଡର ଏକ ଭୂ-ଲମ୍ୱ ସଂକିର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଏହା ‘ଚିକେନ୍ ନେକ୍’ ଭାବେ ଜଣାଶୁଣା। ତେବେ ଏହି ଅଞ୍ଚଳ ଉପରେ ନଜର ରଖିବା ପାଇଁ ବାଂଲାଦେଶକୁ କଡ଼ା ଚେତାବନୀ ଦେଇଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଏହି କରିଡ଼ର ଭାରତର ଉତ୍ତର-ପୂର୍ବାଞ୍ଚଳକୁ ଭାରତର ମୁଖ୍ୟ ଭୂମି ସହ ସଂଯୋଗ କରୁଛି। ଶର୍ମା କହିଛନ୍ତି ଯେ ଯଦି ବାଂଲାଦେଶ ଭାରତର ‘ଚିକେନ୍ ନେକ୍’କୁ ଟାର୍ଗେଟ୍ କରେ, ତେବେ ଭାରତ ବାଂଲାଦେଶର ଦୁଇଟି ସଂକୀର୍ଣ୍ଣ କରିଡ଼ର, ଯାହା ଚଟଗାଁ ଓ ରଙ୍ଗପୁରକୁ ସଂଯୋଗ କରୁଛି, ତାହା ଉପରେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ଏହି ବିବାଦ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଏକ ବୟାନକୁ ନେଇ ଆରମ୍ଭ ହୋଇଛି। ୟୁନୁସ ଚୀନ୍ ଗସ୍ତ ସମୟରେ ଭାରତର ଉତ୍ତର-ପୂର୍ବାଞ୍ଚଳର ସାତୋଟି ରାଜ୍ୟକୁ ‘ଭୂମିବେଷ୍ଟିତ’ ବୋଲି ବର୍ଣ୍ଣନା କରି ବାଂଲାଦେଶକୁ ଏହି ଅଞ୍ଚଳ ପାଇଁ ‘ସମୁଦ୍ରର ରକ୍ଷକ’ ଭାବେ ଉପସ୍ଥାପନ କରିଥିଲେ। ଯାହାକୁ ଶର୍ମା ‘ଆପତ୍ତିଜନକ ଓ ନିନ୍ଦନୀୟ’ ବୋଲି କହିବା ସହ ଏହାର କଡା ବିରୋଧ କରିଥିଲେ।
ଶର୍ମା ଆହୁରି କହିଛନ୍ତି ଯେ ବାଂଲାଦେଶର ଚଟଗାଁ ବନ୍ଦରକୁ ସଂଯୋଗ କରୁଥିବା ଏକ ସଂକୀର୍ଣ୍ଣ କରିଡ଼ର ତ୍ରିପୁରା ନିକଟରେ ଅବସ୍ଥିତ ଏବଂ ଏହା ଭାରତର ଚିକେନ୍ ନେକ୍ଠାରୁ ମଧ୍ୟ ଛୋଟ। ଏହାକୁ ଅତି ସହଜରେ ବନ୍ଦ କରାଯାଇପାରିବ। ସେହିଭଳି ଅନ୍ୟ ଏକ କରିଡ଼ର ରଙ୍ଗପୁର ଡିଭିଜନକୁ ସଂଯୋଗ କରୁଛି। ଯାହା ମେଘାଳୟ ଓ ପଶ୍ଚିମବଙ୍ଗ ନିକଟରେ ଅବସ୍ଥିତ। ସେ କହିଛନ୍ତି, “ଭାରତରେ ଗୋଟିଏ ଚିକେନ୍ ନେକ୍ ଅଛି, କିନ୍ତୁ ବାଂଲାଦେଶରେ ଦୁଇଟି ଚିକେନ ନେକ ରହିଛି। ଯଦି ସେମାନେ ଆମର ଗୋଟିଏ ଚିକେନ୍ ନେକ୍ ଉପରେ ଆକ୍ରମଣ କରନ୍ତି, ତେବେ ଆମେ ଏହାର ଜବାବରେ ସେମାନଙ୍କ ଦୁଇଟି ଚିକେନ୍ ନେକ୍ ଉପରେ ଆକ୍ରମଣ କରିବା।”
ଏହି ପ୍ରସଙ୍ଗରେ ତ୍ରିପୁରାର ରାଜନୈତିକ ଦଳ ଟିପ୍ରା ମୋଥା ନେତା ପ୍ରଦ୍ୟୋତ ମାଣିକ୍ୟ ମଧ୍ୟ କହିଛନ୍ତି ଯେ ୧୯୪୭ ମସିହାରେ ଚଟଗାଁ ବନ୍ଦର ଛାଡ଼ିବା ଭାରତର ଏକ ବଡ଼ ଭୁଲ ଥିଲା। ସେ ପ୍ରସ୍ତାବ ଦେଇଛନ୍ତି ଯେ ବାଂଲାଦେଶ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଭାରତ ଚଟଗାଁରେ ଥିବା ଆଦିବାସୀ ଜନଜାତିଙ୍କୁ ସମର୍ଥନ କରି ସମୁଦ୍ର ପଥକୁ ନିଜ ଅଧିନକୁ ଆଣିବାର ଆବଶ୍ୟକତା ରହିଛି।
ଏହା ବ୍ୟତୀତ, ବାଂଲାଦେଶର ଲାଲମୋନିରହାଟ ଜିଲ୍ଲାରେ ଚୀନ ସହାୟତାରେ ଏକ ବିମାନଘାଟୀ ନିର୍ମାଣ ଯୋଜନା ମଧ୍ୟ ଭାରତର ଚିନ୍ତା ବଢ଼ାଇଛି। ଏହା ସିଲିଗୁଡ଼ି କରିଡ଼ର ନିକଟବର୍ତ୍ତୀ ହୋଇଥିବାରୁ ଭାରତର ସୁରକ୍ଷା ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ।
ଶର୍ମା ଏନେଇ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ‘ଅପରେସନ୍ ସିନ୍ଦୁର’ ମାଧ୍ୟମରେ ଭାରତ ନିଜର ସାମରିକ ଶକ୍ତି ପ୍ରମାଣ କରିଛି ଏବଂ ବାଂଲାଦେଶ ଭାରତ ସହ ମୁକାବିଲା କରିବା ପାଇଁ ‘୧୪ ଥର ଜନ୍ମ ନେବାକୁ ପଡ଼ିବ’। ସେ ଏହା ମଧ୍ୟ କହିଛନ୍ତି ଯେ ବାଂଲାଦେଶରେ କେତେକ ବ୍ୟକ୍ତିଙ୍କ ଦ୍ୱାରା ପ୍ରକାଶିତ ‘ଗ୍ରେଟର ବାଂଲାଦେଶ’ ମାନଚିତ୍ର, ଯେଉଁଥିରେ ଭାରତର କିଛି ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଛି, ଏହାକୁ ଗୁରୁତ୍ୱ ଦେବାର ଆବଶ୍ୟକତା ନାହିଁ। ସେ କହିଛନ୍ତି, “ମାନଚିତ୍ର ଆଙ୍କିବା ସହଜ, କିନ୍ତୁ ଏହା ବାସ୍ତବରେ ଘଟିବ ନାହିଁ।”