ସମ୍ବଲପୁର, ୦୧/୦୫ : ମାଛ ଖାଉଥିବା ଲୋକଙ୍କ ପାଇଁ ଖୁସିର ଖବର । ଖୁବ ଶୀଘ୍ର ହୀରାକୁଦ ଫ୍ରେସ୍ ମାଧ୍ୟମରେ ତଟକା ମାଛ ମିଳିବ । ଏଥି ପାଇଁ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ନିକଟରେ ଜମି ଚିହ୍ନଟ କାର୍ଯ୍ୟ ଶେଷ ହୋଇଛି । ହୀରାକୁଦ ଫ୍ରେସ ନିର୍ମାଣ ପାଇଁ ଡିପିଆର୍ ମଧ୍ୟ ପ୍ରସ୍ତୁତି ଚାଲିଛି । ଡିପିଆର୍ ପ୍ରସ୍ତୁତ ହେବାପରେ ଏଥି ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ । କିଛି ବର୍ଷ ପୂର୍ବରୁ କମଲିବଜାର ଠାରେ ହୀରାକୁଦ ଫ୍ରେସ୍ ପ୍ରତିଷ୍ଠା ହୋଇଥିଲା । ତେବେ ମସଲେଇ ପ୍ରକଳ୍ପ ପାଇଁ ଏହା ଉଚ୍ଛେଦ ହୋଇଥିଲା । ବର୍ତ୍ତମାନ ପୁଣିଥରେ ହୀରାକୁଦ ଫ୍ରେସ୍ କାର୍ଯ୍ୟକାରୀ ହେବାକୁ ଯାଉଛି । ହୀରାକୁଦ ଫ୍ରେସ୍ ମାଧ୍ୟମରେ ଲୋକେ ଜୀବନ୍ତ ମାଛ କିଣିବାର ମଧ୍ୟ ସୁବିଧା ପାଇବେ । କେବଳ ଏତିକି ନୁହେଁ ମାଛ ବିକ୍ରି କରୁଥିବା ବ୍ୟବସାୟୀଙ୍କ ପାଇଁ ସେଠାରେ ସ୍ୱତନ୍ତ୍ର ପିଣ୍ଡି ମଧ୍ୟ ନିର୍ମାଣ କରାଯିବ ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ ତୁଷାର ରଞ୍ଜନ ଦୀପ ସୂଚନା ଦେଇଛନ୍ତି ।
ମାଛ, ଖାଦ୍ୟ ତାଲିକାରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ମାଛ ଧରିବା କାର୍ଯ୍ୟକୁ ଅନେକ ଜୀବୀକା ଭାବେ ଗ୍ରହଣ କରିଛନ୍ତି । ମାଛ ଉତ୍ପାଦନ ପାଇଁ ସରକାରୀ ଫାର୍ମ ରହିଥିବା ବେଳେ ମାଛ ଚାଷ ବ୍ୟବସାୟରେ ମଧ୍ୟ ପରିଣତ ହେଲାଣି । ମାଛ ବିକ୍ରି ଓ ରପ୍ତାନୀ ମଧ୍ୟ ଏକ ଭଲ ବ୍ୟବସାୟରେ ପରିଣତ ହୋଇଛି । ମହାନଦୀ କୂଳରେ ଅବସ୍ଥିତ ସମ୍ବଲପୁର ସହର ବର୍ତ୍ତମାନ ମାଛ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ସ୍ଥିତିରେ ପହଞ୍ଚିଛି । ମହାନଦୀ, ହୀରାକୁଦ ବନ୍ଧର ବିସ୍ତିର୍ଣ୍ଣ ଜଳ ଏବଂ ପୋଖରୀ ମାଧ୍ୟମରେ ବର୍ତ୍ତମାନ ପ୍ରଚୁର ପରିମାଣରେ ମାଛ ଉତ୍ପାଦନ ହେଉଛି । ଜିଲ୍ଲା ମତ୍ସ୍ୟ ବିଭାଗ ସୂଚନା ଅନୁଯାୟୀ ଜିଲ୍ଲାରେ ବାର୍ଷିକ ପ୍ରାୟ ୫୫ ହଜାର ମେଟ୍ରିକ୍ ଟନ୍ ମାଛର ଆବଶ୍ୟକତା ହୋଇଥାଏ । ଗତ ୨୦୨୪- ୨୫ ଆର୍ଥକ ବର୍ଷରେ ଜିଲ୍ଲାରେ ୪୮ ହଜାର ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ ହୋଇଥିଲା । ଚଳିତ ବର୍ଷ ୨୦୨୫-୨୬ ଆର୍ଥିକ ବର୍ଷର ମାର୍ଚ୍ଚ ସୁଦ୍ଧା ଜିଲ୍ଲାରେ ୫୩.୩୯୭ ହଜାର ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ ହୋଇଛି । ଗତ କିଛି ବର୍ଷ ହେଲା ମାଛ ଉତ୍ପାଦନ ବୃଦ୍ଧି କରିବାକୁ ହୀରାକୁଦ ବନ୍ଧର ବିଭିନ୍ନ ସ୍ଥାନରେ କେଜ୍ ଫିସିଂ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ବର୍ତ୍ତମାନ ୨୧୪ଟି କେଜ୍ ପ୍ରତିଷ୍ଠା ହୋଇ ମାଛ ଚାଷ କରାଯାଉଛି । ହୀରାକୁଦ ବନ୍ଧ ଓ କେଜ୍ ଫିସିଂ ମାଧ୍ୟମରେ ବର୍ଷକୁ ୨୮ ହଜାର ମେଟ୍ରକ୍ ଟନ୍ ମାଛ ଉତ୍ପାଦନ ହେଉଛି ।
ସେହିପରି ପୋଖରୀ ଖନନ କରି ମାଛ ଚାଷ ପାଇଁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି । ବର୍ତ୍ତମାନ ବିଭିନ୍ନ ଏସ୍ଏଚ୍ଜି ସଦସ୍ୟାମାନେ ଗାଁରେ ଥିବା ପୋଖରୀ ଗୁଡ଼ିକରେ ମାଛ ଚାଷ କରୁଛନ୍ତି । ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ମାଛ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ସ୍ଥିତିରେ ରହିଛି । ଆଉ ବର୍ଷେ ଦୁଇ ବର୍ଷ ମଧ୍ୟରେ ଜିଲ୍ଲାରେ ବଳକା ସ୍ଥିତି ଉତ୍ପନ୍ନ ହୋଇ ଅଧିକ ପରିମାଣରେ ମାଛ ଅନ୍ୟ ରାଜ୍ୟକୁ ରପ୍ତାନୀ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାରେ ମାଛ ଉତ୍ପାଦନ ବୃଦ୍ଧି ପାଇବା ସହ ରୋଜଗାର ପାଇଁ ଏକ ଉତ୍ତମ ମାଧ୍ୟମ ପାଲଟିଛି । ବର୍ତ୍ତମାନ ଜିଲ୍ଲାରେ ୫୩୧୫ ଜଣ ପଞ୍ଜିକୃତ ମତ୍ସ୍ୟଜୀବୀ ରହିଛି । ଏହା ବାଦ ଆହୁରି ମଧ୍ୟ କିଛି ଲୋକ ମାଛ ଧରି ଜୀବିକା ନିର୍ବାହ କରୁଛନ୍ତି । ପୂର୍ବରୁ ଜିଲ୍ଲାରେ ଯେତିକି ମାଛ ଉତ୍ପାଦନ ହେଉଥିଲା ତାହା ଜିଲ୍ଲାର ଆବଶ୍ୟକତା ପୂରଣ କରୁନଥିଲା । ହୀରାକୁଦ ବନ୍ଧରୁ ଧରା ହେଉଥିବା ବଡ଼ ବଡ଼ ମାଛ ରାଜ୍ୟ ବାହାରକୁ ରତ୍ପାନୀ ହେଉଥିବାରୁ ନିଅଣ୍ଟିଆ ସ୍ଥିତି ଉତ୍ପନ୍ନ ହେଉଥିଲା । ଏଭଳି ସ୍ଥିତିରେ ଜିଲ୍ଲାରେ ମାଛର ଚାହିଦା ପୂରଣ ପାଇଁ ବିଶେଷ କରି ଆନ୍ଧ୍ରପ୍ରଦେଶରୁ ଟ୍ରକ୍ ଯୋଗେ ଟନ୍ ଟନ୍ ମାଛ ଏଠାକୁ ଆସୁଥିଲା । ବର୍ତ୍ତମାନ ଆନ୍ଧ୍ରରୁ ଆସୁଥିବା ମାଛର ଆମଦାନୀ କମିବାରେ ଲାଗିଛି । ଲୋକେ ସ୍ଥାନୀୟ ନଦୀ ଓ ପୋଖରୀର ମାଛ ପାଇପାରୁଛନ୍ତି । ଆଉ କିଛି ବର୍ଷ ମଧ୍ୟରେ ଆନ୍ଧ୍ରରୁ ମାଛ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ହୀରାକୁଦ ଫ୍ରେସ କାର୍ଯ୍ୟକାରୀ ହେଲେ ଲେକେ ସୁବିଧାରେ ଗୋଟିଏ ସ୍ଥାନରୁ ବିଭିନ୍ନ ପ୍ରକାର ତଟକା ମାଛ ପାଇବାର ସୁଯୋଗ ପାଇବେ ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଦୀପ ପ୍ରକାଶ କରିଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ଆମେ ଆଜି ବି ଗୋତି ଶ୍ରମିକ ,ଏମ୍ସ ଠିକା କର୍ମଚାରୀଙ୍କ ଦୁଃଖ