ଭୁବନେଶ୍ୱର,୨୧: ଏୟାରଫିଲ୍ଡ ଥାନା ପୋଖରୀପୁଟ ଅଞ୍ଚଳରେ ଏକ ଓୟୋ ରୁମ୍ରୁ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣା । ମୃତ ଯୁବକ ପୁରୁଣା ଭୁବନେଶ୍ୱରରେ ରହୁଥିବା ବାବୁନା ପ୍ରଧାନ(୨୭) । ମୃତ୍ୟୁ ପଛରେ ବାବୁନାର ପ୍ରେମିକାଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏନେଇ ବାବୁନାଙ୍କ ବାପା ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ବାବୁନାଙ୍କ ଘର ନୟାଗଡ଼ ଜିଲ୍ଲା ଫତେଗଡ଼ ଝଗଡ଼ପଡ଼ା ଗାଁରେ । ଦଶପଲ୍ଲା ଅଞ୍ଚଳର ରାଣୀ(ଛଦ୍ମାନମ) ସହ ୫ ବର୍ଷ ପୂର୍ବେ ବାବୁନାର ସୋସିଆଲ ମିଡିଆରେ ପରିଚୟ ହୋଇଥିଲା । ତା’ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଦୁଇ ଜଣଙ୍କ ପ୍ରେମ ବିଷୟରେ ଉଭୟଙ୍କ ପରିବାର ଲୋକ ଜାଣିଥିଲେ । ୨୦୨୬ ଅଗଷ୍ଟରେ ବାହାଘର ହେବ ବୋଲି ସ୍ଥିର ହୋଇଥିଲା । ବାବୁନା ବେଙ୍ଗାଲୁରୁରେ ଏକ ଆଇଟି କମ୍ପାନୀରେ କାମ କରୁଥିଲେ । କିଛିମାସ ପୂର୍ବେ ସେ ଚାକିରିରୁ ଛଟେଇ ହୋଇଥିଲେ । ନୂଆ ଚାକିରି ସନ୍ଧାନରେ ଥିଲେ । ଚାକିରି ନ ଥିବା ଖବର ଜାଣିବାକୁ ପାଇଥିଲେ ପ୍ରେମିକା ରାଣୀ । ଏହାକୁ ନେଇ ବାବୁନା ଓ ରାଣୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗୁଥିଲା ।
କିଛିଦିନ ତଳେ ବାବୁନା ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସିଥିଲେ । ଗତକାଲି ବାବୁନା ବେଙ୍ଗାଲୁରୁ ଯାଉଥିବା ଘର ଲୋକଙ୍କୁ ଜଣାଇଥିଲେ । ହେଲେ ବେଙ୍ଗାଲୁରୁ ନ ଯାଇ ସେ ରାଣୀଙ୍କୁ ଯୋଗାଯୋଗ କରିଥିଲେ । ଦିନରେ ଉଭୟେ ବୁଲାବୁଲି କରିଥିଲେ । ରାତି ୧୦ଟାରେ ପହଞ୍ଚିଥିଲେ ପୋଖରୀପୁଟରେ ଥିବା ଭିଲ୍ଲା ଜିଜିଓ ଓୟୋ ହାଟେଲ୍ରେ । ୨୦୬ ନମ୍ବର ରୁମ୍ ବୁକ୍ କରିଥିଲେ । ରାତିରେ ବିରିୟାନୀ ଖାଇଥିଲେ । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ହୋଟେଲ୍ କର୍ମଚାରୀ ଜାଣିବାକୁ ପାଇଥିଲା । ରାତି ପ୍ରାୟ ୩ଟା ବେଳେ ରାଣୀଙ୍କ ନିଦ ଭାଙ୍ଗିଥିଲା । ବାବୁନା ଖଟରେ ନ ଥିବା ଦେଖିଥିଲେ । ଲାଇଟ୍ ଅନ୍ କରିବା ପରେ ଉକ୍ତ ରୁମ୍କୁ ଲାଗିଥିବା ରୋଷେଇ ଘର ଝରକା ଗ୍ରୀଲ୍ରେ ବାବୁନା ବେକରେ ବେଡ୍ସିଟ୍ ବାନ୍ଧି ଝୁଲି ପଡ଼ିଥିବା ଦେଖିଥିଲେ । ଏ ବିଷୟରେ ରାଣୀ ପ୍ରଥମେ ତାଙ୍କର କିଛି ପୁରୁଷ ବନ୍ଧୁଙ୍କୁ ଜଣାଇଥିଲେ । ପରେ ବାବୁନାଙ୍କ ପରିବାର ଲୋକଙ୍କୁ ଫୋନ୍ କରି ତା’ର ଦେହ ଖରାପ ଅଛି ବୋଲି କହି ହୋଟେଲକୁ ଡାକିଥିଲେ । ପରିବାର ଲୋକ ଆସିବା ପୂର୍ବରୁ ହୋଟେଲ୍ କର୍ମଚାରୀ ଘଟଣା ବିଷୟରେ ପୁଲିସ୍କୁ ଜଣାଇଥିଲେ । ପୁଲିସ ବାବୁନାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାବୁନାର ମୃତ୍ୟୁ ପରେ ପରିବାର ଲୋକ ଅଭିଯୋଗ କରିଥିଲେ, ରାଣୀ ଓ ତା ପୁରୁଷ ବନ୍ଧୁ ମିଶି ତାକୁ ହତ୍ୟା କରିଛନ୍ତି । ରାଣୀ ବିରୋଧରେ ଏତଲା ଦେଇଥିଲେ । ଏତଲା ଖବର ଜାଣିବା ପରେ ରାଣୀ କ୍ୟାପିଟାଲ ହସ୍ପିଟାଲ୍ରୁ ଫେରାର ହୋଇଯାଇଥିଲେ ।
ତେବେ ପୂରା ଘଟଣା ନେଇ ଅନେକ ପ୍ରଶ୍ନ ଉଠିଛି । ଓୟୋ ହୋଟେଲରେ ଏମିତି କଣ ଘଟିଲା ଯେଉଁଥିପାଇଁ ଏଭଳି ଚରମ ନିଷ୍ପତ୍ତି ନେଲେ ବାବୁନା ? ଗୋଟିଏ ରୁମରେ ବାନ୍ଧବୀଙ୍କ ସହ ଥିବା ବେଳେ ସେ କେମିତି ଆତ୍ମହତ୍ୟା କଲେ ? ତାଙ୍କୁ ବଞ୍ଚାଇବାକୁ ଯୁବତୀ ଉଦ୍ୟମ କରିଥିଲେ କି ? ବାନ୍ଧବୀ କରୁଥିଲେ କଣ? ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିଲେ କି ? ଏମିତି ତମାମ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ।
ବାବୁନାଙ୍କ ବାପା କହିଛନ୍ତି, ନୂଆ ଚାକିରି ସନ୍ଧାନରେ ଥିଲା । ଦୁଇ ମାସ ଭିତରେ ଚାକିରି ହୋଇଥାନ୍ତା । ପୁଅ ଯାହାକୁ ପ୍ରେମ କରୁଥିଲା, ସେ ଅନ୍ୟ ଜଣଙ୍କୁ ଭଲ ପାଉଥିଲା । ଦୁଇ ଜଣ ମିଶି ମୋ ପୁଅକୁ ହତ୍ୟା କରିଛନ୍ତି । ବାବୁନାର ମୃତ୍ୟୁକୁ ନେଇ ସସପେନ୍ସ ଜାରି ରହିଛି । ପ୍ରଶ୍ନ ଉଠୁଛି, ବାବୁନା ଆତ୍ମହତ୍ୟା କରିଛନ୍ତି ନା ତାକୁ ହତ୍ୟା କରାଯାଇଛି । ଯଦି ଆତ୍ମହତ୍ୟା ତେବେ କାହିଁକି ଆତ୍ମହତ୍ୟା କଲେ? ତ୍ରିକୋଣୀୟ ପ୍ରେମକୁ ନେଇ ପ୍ରେମିକା ସହ କିଛି ଝଗଡ଼ା ହୋଇଥିଲା କି? ନା ପ୍ରେମିକାର ଅନ୍ୟତ୍ର ବିବାହକୁ ସହି ନ ପାରି ସେ ଆତ୍ମହତ୍ୟା କଲେ ।
ତେବେ ଏନେଇ ପୁଲିସ୍ କହିଛି, ରୁମ୍ରୁ ମୃତଦେହ ମିଳିବା ପରେ ଏକ ମାମଲା ରୁଜୁ ହୋଇଛି । ଏହା ଆତ୍ମହତ୍ୟା କି ହତ୍ୟା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ। ମୃତ ବାବୁନାର ବାନ୍ଧବୀଙ୍କୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ଆଡ଼େ ଚଢ଼ଉ ଜାରି ରଖିଛି ।
ଆହୁରି ପଢ଼ନ୍ତୁ :- ରାତିରେ ହୋଟେଲରେ ରହଣୀ, ସକାଳେ ମୃତଦେହ ଠାବ: ପ୍ରେମିକର ଘର ଲୋକଙ୍କୁ ଖବର ଦେଇ ପ୍ରେମିକା ଫେରାର