ଭୁବନେଶ୍ଵର : ଜାମୁକୋଳି କେବଳ ଗ୍ରୀଷ୍ମଋତୁରେ ଉତ୍ପାଦିତ ହୋଇଥାଏ । କିନ୍ତୁ ଏହା ଅଧିକ ଦିନ ସାଇତି ରଖାଯାଇ ପାରୁନଥିବାରୁ ଉତ୍ପାଦିତ ଅଂଶର ଅଧିକାଂଶ ଭାଗ ଉପଯୁକ୍ତ ପ୍ରକ୍ରିୟାକରଣ ଅଭାବରୁ ନଷ୍ଟ ହୋଇ ଯାଇଥାଏ । ଜାମୁକୋଳିକୁ ତୋଳି ସାରିବା ପରେ ସତେଜ ଅବସ୍ଥାରେ ଉପଯୁକ୍ତ ପ୍ୟାକିଂ ବ୍ୟବସ୍ଥା କରି ଏହାକୁ ବହୁଦିନ ପର୍ଯ୍ୟନ୍ତ ସାଇତି ରଖାଯାଇପାରିବ । 

ସତେଜ ଜାମୁକୋଳି ପ୍ୟାକିଂ 

ତୋଳିସାରିବା ପରେ ପ୍ରଥମେ କ୍ଲୋରିନ୍‌ ଯୁକ୍ତ ପାଣିରେ (୧୦୦ ପି.ପି.ଏମ୍‌) ସଫା କର। ପତଳା ପରସ୍ତରେ ବିଛେଇ ସାଧାରଣ ଅବସ୍ଥାରେ ଶୁଖାଇ ଦିଅ । ୩-୪ ଘଣ୍ଟା ପରେ ଜାମୁକୋଳିକୁଡ଼ିକରୁ ସମ୍ପୂର୍ଣ୍ଣ ପାଣି ଛାଡି ଯିବା ପରେ ଏହାକୁ ଛିଦ୍ରଯୁକ୍ତ ପଲିଥିନ୍‌ କିମ୍ବା ପନେଟ୍‌ ଟ୍ରେରେ ୨୦୦-୨୫୦ ଗ୍ରାମ ଓଜନର ଭର୍ତ୍ତି କରାଯାଇଥାଏ । ଏହାପରେ ଭଲଭାବରେ ପଲିଥିନ୍‌ ବା ପନେଟ୍‌ ଟ୍ରେକୁ ସିଲିଂ କରିଦିଆଯାଏ । ଏହିପରି ଭାବେ ପ୍ୟାକିଂ କରାଯାଇଥିବା ଜାମୁକୋଳି ୮-୧୦ଡିଗ୍ରୀ ସେଣ୍ଟିଗ୍ରେଡ୍‌ ତାପମାତ୍ରାରେ ୨୦-୨୫ ଦିନ ପର୍ଯ୍ୟନ୍ତ ସତେଜ ରଖାଯାଇପାରିବ । 

ଜାମୁକୋଳିର ମଣ୍ଡ 

୧୦ କେଜି ପାଚିଲା ଜାମୁକୋଳି ନେଇ ତାହାକୁ ଭଲଭାବରେ ଧୋଇ ଶୁଖାଇବା ପରେ ପଲପର୍‌ ମେସିନ୍‌ ଦେଇ ପାସ୍‌ କରାଯାଇଥାଏ । ଏଥିରୁ ୭-୭.୫ କି.ଗ୍ରା ରସ ନିର୍ଗତ ହୋଇଥାଏ । ଏହାପରେ ସଂଗୃହୀତ ମଣ୍ଡକୁ ଏକ ଷ୍ଟେନଲେସ୍‌ ଷ୍ଟିଲ୍‌ ବାସନରେ ରଖି ୯୦-୯୬ଡିଗ୍ରୀ ସେଣ୍ଟିଗ୍ରେଡ୍‌ ତାପମାତ୍ରାରେ ୫ ମିନିଟ୍‌ ଫୁଟାଯାଇଥାଏ । ଏଥିରେ ସାଇଟ୍ରିକ୍‌ ଅମ୍ଲ(୦.୧%) ଏବଂ ସୋଡିୟମ୍‌ ବେନଜୋଏଟ୍‌(୧୫୦ ପିପିଏମ୍‌) ମିଶାଯାଇଥାଏ । ଏହାପରେ ଗରମ ଅବସ୍ଥାରେ ମୋଟାଲାଇଜଡ୍‌ ପାଉଜ୍‌ରେ ଭର୍ତ୍ତି କରିଦିଆଯାଏ ଏବଂ ସିଲିଂ କରାଯାଏ । ଏହିପରି ପ୍ରସ୍ତୁତ ଜାମୁକୋଳି ମଣ୍ଡକୁ ୪-୬ ମାସ ଠିପି ନଖୋଲି ଫ୍ରିଜ୍‌ରେ ଜୀବାଣୁମୁକ୍ତ ଅବସ୍ଥାରେ ସଂରକ୍ଷିତ କରି ରଖିହେବ । 

ଜାମୁକୋଳି ପାଉଡର

ଜାମୁକୋଳିରୁ ମଣ୍ଡ/ରସ ନିର୍ଗତ କରିବା ପରେ ଏହାକୁ ଫୋମ୍‌-ମାଟ୍‌ ଶୁଖାଇବା ପଦ୍ଧତିରେ ଶୁଖିଲା କରି ଗୁଣ୍ଡ ପ୍ରସ୍ତୁତ କରାଯାଇପାରିବ । ଜାମୁକୋଳିର ମଣ୍ଡରେ ୧:୧ ମଣ୍ଡ ଓ ପାନୀୟ ଜଳ ମିଶାଯାଇଥାଏ । ଏହାପରେ ଏଥିରେ ୬% ମାଲ୍‌ଟୋଡ୍ରେକ୍ସଟ୍ରିନ୍‌, ୧୦% ସୋୟାପ୍ରୋଟିନ୍‌ ଆଇସୋଲେଟ୍‌, ୦.୫% ମିଥାଇଲ୍‌ ସେଲୁଲୋଜ୍‌ ଇତ୍ୟାଦି ମିଶାଇ ହ୍ୟାଣ୍ଡ ବ୍ଲେଣ୍ଡର ମେସିନ୍‌ ସାହାଯ୍ୟରେ ଫେଣଯୁକ୍ତ ରସ ପ୍ରସ୍ତୁତ କରାଯାଏ । ଏହି ଫେଣକୁ ଷ୍ଟିଲ୍‌ ପ୍ଲେଟ୍‌ରେ ପତଳା ପରସ୍ତରେ ୩-୪ମି.ମି) ବିଛାଇ ଶୁଖାଇବା ଯନ୍ତ୍ରରେ ୬୦ଡିଗ୍ରୀ ତାପାମାତ୍ରାରେ ୩-୪ ଘଣ୍ଟା ଶୁଖାଯାଇଥାଏ । ଥଣ୍ଡା ହେଲା ପରେ ଏଥିରୁ ପତଳା ଶୁଖିଲା ଖଣ୍ଡ ଅଲଗା କରିଦେଇ ପୁଣିଥରେ ହାଲୁକା ଗରମ କରି ଗୁଣ୍ଡ କରିଦିଆଯାଏ । ଏହିପରି ପ୍ରସ୍ତୁତ ଜାମୁକୋଳି ପାଉଡରକୁ ଏମ୍‌ପିପି, ପିଇଟିର ଛୋଟ ଛୋଟ ପ୍ୟାକ୍‌ ଏବଂ ଗ୍ଲାସ୍‌ ଜାର୍‌ରେ ଅଧିକ ଦିନ ସଂଗ୍ରହ କରି ରଖିହେବ । 

ଜାମୁକୋଳି ମୃଦୁପାନୀୟ 

ଜାମୁକୋଳି ରସ ନିର୍ଗତ କରି ପାନୀୟ ଜଳ, ଚିନି ଏବଂ ପ୍ରିଜରଭେଟିଭ୍‌ ମିଶାଇ ମୃଦୁପାନୀୟ ପ୍ରସ୍ତୁତ କରାଯାଇପାରିବ । ଯାହାକି ବିନା ପାଣି ମିଶାଇ କେବଳ ପାନୀୟ ରୂପେ ଯେତେବେଳେ ଇଛା ବ୍ୟବହାର କରାଯାଇପାରିବ ।  ଏହିଭଳି ରେଡି ଟୁ ସର୍ଭ (ଆର୍‌ଟିଏସ୍‌) ପଦାର୍ଥର ଚାହିଦା ବଜାରରେ ଅଧିକ । 

ମିନତୀ ମହାପାତ୍ର, ସହାୟକ ପ୍ରଫେସର, ପ୍ରକ୍ରିୟା ଏବଂ ଖାଦ୍ୟ ଇଞ୍ଜିନିୟରିଂ, ଓୟୁଏଟି