ପ୍ରମୂଖ ଖବର
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ପ୍ରାଣୀ ସମ୍ପଦ ବିଭାଗରେ ମାନବ ସମ୍ବଳ ସଂକଟ, କେମିତି ହେବ ପ୍ରାଣୀଧନ ଗଣନା ?

କଟକ,୨୮/୧୧: ରାଜ୍ୟରେ ପ୍ରାଣୀଧନ  ଗଣନା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ  କଟକ, ଖୋର୍ଦ୍ଧା, ସୋନପୁର ଆଦି କେତେକ ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ଗଣନା ଆରମ୍ଭ  ହୋଇଛି । ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ  ଦେଶବ୍ୟାପୀ ଆରମ୍ଭ ହୋଇଥିବା ଏହି ପ୍ରାଣୀଧନ  ଗଣନା କାର୍ଯ୍ୟ ପାଇଁ ପ୍ରାଣୀ ସମ୍ପଦ ବିଭାଗକୁ ଏବେ  ଚିନ୍ତା ଘାରିଛି । କାରଣ ଗାଁଠୁ ସହର ଯାଏ ଘରକୁ  ଘର ବୁଲି ଏହି ସର୍ଭେ କାର୍ଯ୍ୟ ପାଇଁ ପ୍ରାଣୀ ସମ୍ପଦ  ବିଭାଗରେ ବ୍ଲକ୍‌ସ୍ତରରେ କର୍ମଚାରୀଙ୍କ ଘୋର  ଅଭାବ ପଡ଼ିଛି । ବ୍ଲକ୍‌ ସ୍ତରରେ ଥିବା ପ୍ରାଣୀ  ଚିକିତ୍ସାଳୟ (ଭେଟେରିନାରୀ ହସ୍ପିଟାଲ୍‌)ରେ  ଡାକ୍ତର ଅଭାବ ସାଙ୍ଗକୁ ପଞ୍ଚାୟତ ସ୍ତରରେ ଥିବା  ଏଲ୍‌ଆଇ ସେଣ୍ଟର୍‌ରେ ଲାଇଭ୍‌ଷ୍ଟକ୍‌ ଇନ୍ସପେକ୍ଟର  (ଏଲ୍‌ଆଇ) ମରୁଡ଼ି ପଡ଼ିଛି । 

ପ୍ରାଣୀଧନ ଗଣନା  (ସର୍ଭେ) କାର୍ଯ୍ୟ ଏଲ୍‌ଆଇଙ୍କ ଉପରେ ଗୁରୁ ଦାୟିତ୍ୱ  ରହିଥିଲେ ରାଜ୍ୟରେ ସମ୍ପୃକ୍ତ କର୍ମଚାରୀଙ୍କର  ଘୋର ସଂକଟ ଥିବାରୁ ଅଧିକାରୀଙ୍କ ଚିନ୍ତା ବଢ଼ିଛି ।  ଏପରିସ୍ଥଳେ ସର୍ଭେ କାର୍ଯ୍ୟ ପାଇଁ ରାଜ୍ୟବ୍ୟାପୀ  ବିଭିନ୍ନ ବ୍ଲକ୍‌ ଓ ପୌରାଞ୍ଚଳରେ ଠିକାରେ  ନିୟୋଜିତ ଥିବା ପ୍ରାଣୀ ମିତ୍ର ଓ ଗୋମିତ୍ରଙ୍କ  ଦ୍ୱାରା ପ୍ରାଣୀଧନ ଗଣନା ଆରମ୍ଭ କରାଯାଇଛି । ପ୍ରାଣୀଧନ ଗଣନା ଜାତୀୟ କାର୍ଯ୍ୟକ୍ରମ ।  ଗାଈ, ବଳଦ, ମଇଁଷି, ଷଣ୍ଢ, ଛେଳି, ମେଣ୍ଢା,  ଘୁଷୁରି, କୁକୁର, ବିଲେଇ, କୁକୁଡ଼ା, ବତକ ଆଦି  ବିଭିନ୍ନ ଗୃହପାଳିତ ତଥା ପ୍ରାଣୀଧନ ସର୍ଭେ ପ୍ରତି  ୫ ବର୍ଷରେ ଥରେ ହୋଇଥାଏ । 

ରାଜ୍ୟସ୍ତରରେ  ହେଉଥିବା ପ୍ରାଣୀ ସମ୍ପଦର ଗଣନା ଅନୁସାରେ  ସରକାର ତଥା ପାଣୀ ସମ୍ପଦର ସୁରକ୍ଷା, ପ୍ରାଣୀ  ପାଳନ ଓ ପ୍ରାଣୀ ଚିକିତ୍ସା ପାଇଁ ବିଭିନ୍ନ ଯୋଜନାଠାରୁ  ଆରମ୍ଭ କରି ନୀତିନିୟମ ପ୍ରଣୟନ କରିଥାନ୍ତି ।  ସେ ଦୃଷ୍ଟିରୁ ବିଭାଗ ପାଇଁ ପ୍ରାଣୀଧନ ସର୍ଭେ ଏକ  ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଏହି କାର୍ଯ୍ୟ ପାଇଁ ପ୍ରାଣୀ  ସମ୍ପଦ ବିଭାଗରେ ମାନବ ସମ୍ବଳର ଅଭାବ  ପଡ଼ିଛି । ରାଜ୍ୟରେ ୫୧୬ଟି ପ୍ରାଣୀ ଚିକିତ୍ସାଳୟରେ  ମଞ୍ଜୁରୀପ୍ରାପ୍ତ ୧୯୧୦ ପ୍ରାଣୀ ଚିକିତ୍ସକ ପଦବି  ଥିବାବେଳେ ୬୦୦ରୁ ଅଧିକ ପଦବି ଖାଲି ପଡ଼ିଛି ।  ସେହିପରି ରାଜ୍ୟରେ ୩ ହଜାର ୨୩୯ଟି ଏଲ୍‌ଆଇ  ସେଣ୍ଟରରୁ ଅଧା ପଦବି ଖାଲି ପଡ଼ିଛି । ଆବଶ୍ୟକ  ସଂଖ୍ୟକ ଏଲ୍‌ଆଇ ନଥିବାରୁ ସର୍ଭେ କାର୍ଯ୍ୟ  ବାଟବଣା ହେବ ବୋଲି ବିଭାଗୀୟ କର୍ମଚାରୀମାନେ  ଆକଳନ କରିଛନ୍ତି । ଏପରିସ୍ଥଳେ ଘରକୁ ଘର  ବୁଲି ଅନ୍‌ଲାଇନ୍‌ ପ୍ରକ୍ରିୟାରେ ହେଉଥିବା ସର୍ଭେ  କାର୍ଯ୍ୟ ପାଇଁ ବିଭାଗୀୟ ସ୍ତରରେ ଗୋ ମିତ୍ର ଓ ପ୍ରାଣୀ  ମିତ୍ରମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଉକ୍ତ କାର୍ଯ୍ୟକୁ  ସରକାରୀ ଚାକିରିରେ ଥିବା ଏଲ୍‌ଆଇମାନେ  ସର୍ଭେ କରିବାର ନିୟମ ରହିଛି । ଏହି କାର୍ଯ୍ୟ  ଠିକ୍‌ ଭାବେ ହେଉଛି କି ନାହିଁ ତାହାକୁ ବ୍ଲକ୍‌  ସ୍ତରରେ ତଦାରଖ କରିବା ଦାୟିତ୍ୱ ପ୍ରାଣୀ ଚିକିତ୍ସା  ଅଧିକାରୀମାନଙ୍କ ଉପରେ ନ୍ୟସ୍ତ ରହିଛି । ମାତ୍ର  ପ୍ରାଣୀ ଚିକିତ୍ସକଙ୍କଠାରୁ ଆରମ୍ଭ କରି ଏଲ୍‌ଆଇଙ୍କ  ଅଭାବ ଥିବାରୁ ସଠିକ୍‌ ପ୍ରାଣୀଧନ ଗଣନା  ହେବା ନେଇ ଏବେ ଆଶଙ୍କା ପ୍ରକାଶ ପାଇଛି ।  

୨୦୧୯ରେ ହୋଇଥିବା ଏହି ଗଣନା  କାର୍ଯ୍ୟ ତୁଳନାରେ ୨୦୨୪ରେ ହେଉଥିବା  ସର୍ଭେରେ ଅଧିକ ସୂଚନା ଓ ତଥ୍ୟ ସଂଗ୍ରହ  ପାଇଁ ବ୍ୟବସ୍ଥା ରହିଛି । ଏଥିରେ ପାଖାପାଖି  ୪୦ରୁ ୫୦ଟି ସ୍ତମ୍ଭ ବା କଲମ୍‌ ପୂରଣ ପାଇଁ  ବ୍ୟବସ୍ଥା ରହିଛି । ସର୍ଭେରେ ନିୟୋଜିତ  କର୍ମଚାରୀମାନଙ୍କ ମୋବାଇଲ୍‌ରେ ସ୍ୱତନ୍ତ୍ର ଭାବେ  ଆପ୍‌ ଡାଉନ୍‌ଲୋଡ୍‌ କରାଯାଇଛି । କଟକ ଜିଲ୍ଲାରେ  ଏବେ ସର୍ଭେ କାର୍ଯ୍ୟ ମହାନଗର ନିଗମର ୫୦  ଓ ୫୨ ନଂ ୱାର୍ଡରୁ ଆରମ୍ଭ ହୋଇଥିବା ସୂଚନା  ମିଳିଛି । ମାତ୍ର ଘରକୁ ଘର ବୁଲି ପ୍ରାଣୀଧନ  ଗଣନା କରିବାରେ ବହୁ ବିଭ୍ରାଟ ହେଉଥିବା  କିଛି ଗୋପାଳକ ଅଭିଯୋଗ କରିଛନ୍ତି । କଟକ  ଜିଲ୍ଲାରେ ୨୦୧୯ରେ ହୋଇଥିବା ଗଣନାରେ ୮  ଲକ୍ଷ ୩୯ ହଜାର ୬୬୦ ପ୍ରାଣୀଧନ ରହିଥିଲେ ।  ଏଥିରେ ସର୍ବାଧିକ ପ୍ରାୟ ୫ ଲକ୍ଷ ୫୦ ହଜାର  ଗାଈ ରହିଥିବା ବେଳେ ଛେଳି ମେଣ୍ଢା ମିଶି ୨ ଲକ୍ଷ  ୯୦ ହଜାର ଥିଲେ । ସେହିପରି ଘୁଷୁରି ୯୧୮  ଓ କୁକୁଡ଼ା ୨୭ ଲକ୍ଷ ଥିବା ଗଣତି ହୋଇଥିଲା ।  ଚଳିତ ସର୍ଭେ ଗୃହପାଳିତ ପଶୁଙ୍କଠାରୁ ଆରମ୍ଭ  କରି କୁକୁଡ଼ା, ବତକ ଆଦି ସଂଖ୍ୟା ବଢ଼ିଛି  ବୋଲି ପ୍ରାଣୀ ସମ୍ପଦ ବିଭାଗ ଆକଳନ କରିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.