କଟକ, ୦୩/୦୨: ଯୁବ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ମୃତ୍ୟୁ ରହସ୍ୟ ଫିଟାଇବା ପାଇଁ ମର୍କତନଗର ଥାନାରେ ରୁଜୁ ହୋଇଥିବା ମାମଲାର ତଦନ୍ତ କ୍ରମରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ନୋଟିସ୍ ଦେଇଛି । ମାମଲା ନେଇ ପଚରାଉଚରା କରିବାକୁ ପୁଲିସ ପକ୍ଷରୁ ଏହି ନୋଟିସ୍ ଜାରି ହୋଇଛି । ପୂର୍ବରୁ ଏହି ମାମଲାରେ କଣ୍ଠଶିଳ୍ପୀ ଅର୍ପିତା ଓ ସଂଗୀତ ନିର୍ଦ୍ଦେଶକ ସୋମେଶଙ୍କୁ ପୁଲିସ ପ୍ରାଥମିକ ପଚରାଉଚରା କରିଛି । ତେବେ କେଉଁ ୩ ଅଭିଯୁକ୍ତଙ୍କୁ ଏହି ନୋଟିସ୍ ହୋଇଛି ତାହା ପୁଲିସ ସ୍ପଷ୍ଟ କରିନି । ମାତ୍ର ଆର୍ଥିକ କାରବାର ସମ୍ପର୍କିତ ତଦନ୍ତ କ୍ରମରେ ଏହି ନୋଟିସ୍ ଜାରି ହୋଇଥିବା ସୂଚନା ଦିଆଯାଇଛି ।
ଗତ ନଭେମ୍ବର ମାସ ୧୭ ତାରିଖ ରାତିରେ ହ୍ୟୁମାନ ସାଗରଙ୍କର ଭୁବନେଶ୍ୱର ଏମ୍ସ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହାର ପ୍ରାୟ ୧ ମାସ ପରେ ଅର୍ଥାତ୍ ଡିସେମ୍ବର ୨୧ ତାରିଖରେ ମର୍କତନଗର ଥାନାରେ ତାଙ୍କ ମା’ ଶେଫାଳି ସୁନା ଲିଖିତ ଅଭିଯୋଗ କରିଥିଲେ । ହ୍ୟୁମାନଙ୍କ ମୃତ୍ୟୁ ରହସ୍ୟ ଖୋଲିବାକୁ ସେ ଏତଲାରେ ଅନୁରୋଧ କରିଥିଲେ । ତଦନ୍ତ ବେଳେ ବୋହୂ ଅର୍ଥାତ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର, ଚିକିତ୍ସା କରୁଥିବା ଡାକ୍ତର ଶୁଭେନ୍ଦୁ ମିଶ୍ର, ସହକଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର, ସଂଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀ, ମ୍ୟାନେଜର୍ ଦିନେଶ ବେହେରା, ମ୍ୟାନେଜର ଏମ୍ଡି ଆବିଦ (ବବ୍ଲୁ), ମ୍ୟାନେଜର୍ ପ୍ରଶାନ୍ତ ବେହେରା, ସହଯୋଗୀ ଲୁଲୁ ମହାନ୍ତି ଓ ଜଗଦୀଶ ମହାନ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଶେଫାଳି ଏତଲାରେ ଦର୍ଶାଇଥିଲେ ।
ଅଧିକ ପଢ଼ନ୍ତୁ :- ଫିଟିବ ହ୍ୟୁମାନ୍ ସାଗରଙ୍କ ଅକାଳ ବିୟୋଗ ଉପରୁ ରହସ୍ୟ: କଣ୍ଠଶିଳ୍ପୀ ଅର୍ପିତା, ନିର୍ଦ୍ଦେଶକ ସୋମେଶଙ୍କୁ ପଚରାଉଚରା