ଝାରସୁଗୁଡ଼ା/ବ୍ରଜରାଜନଗର, ୨୧।୨: ବନ୍ଦ ଘରେ ସ୍ତ୍ରୀଙ୍କ ମୃତଦେହ ସହ ଚାରିଦିନ । କବାଟ ଖୋଲିବା ପରେ ଦେଖିବାକୁ ମିଳିଲା ଅଭାବନୀୟ ଦୃଶ୍ୟ । ମରି ପଡ଼ିଥିଲେ ମହିଳା । ମୃତଦେହ ପଚିବା ଆରମ୍ଭ କରିଥିଲା । ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଥିଲା । ସଙ୍କଟାପନ୍ନ ସ୍ୱାମୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ବାଟରେ ସେ ବି ଆଖି ବୁଜିଲେ । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ଶୁକ୍ରବାର ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମୃତ ଦମ୍ପତି ହେଲେ ୫୫ ବର୍ଷୀୟ ରୁକ୍ମିଣୀ ଭୋଇ ଏବଂ ୬୧ ବର୍ଷୀୟ ଗୋବିନ୍ଦ ଭୋଇ । ମାତ୍ରାଧିକ ନିଶାସେବନରୁ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ଏହାର ରହସ୍ୟ ଭେଦିବାକୁ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି । ରୁକ୍ମିଣୀଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ କୁଡ଼ାଲୋଇରେ ରହୁଥିବା ତାଙ୍କ ଭଉଣୀ ସୁରଭି ପାଣ୍ଡିଆ ପୂର୍ବାହ୍ନ ୧୧ଟାରେ ପହଞ୍ଚିଥିଲେ । ଦୀର୍ଘ ସମୟ ଧରି କବାଟ ପିଟିବା ପରେ ଭିଣୋଇ ଗୋବିନ୍ଦ କବାଟ ଖୋଲିଥିଲେ । ଘର ଭିତରେ ସୁରଭି ପଶି ଦେଖିଲା ବେଳକୁ ଏକ କୋଠରୀରେ ରୁକ୍ମିଣୀଙ୍କ ଗଳିତ ମୃତଦେହ ପଡ଼ିଥିଲା । ଗୋବିନ୍ଦ କଥାବାର୍ତ୍ତା କରୁଥିଲେ । 

ଏହା ବି ପଢ଼ନ୍ତୁ... ଟ୍ରକ୍ ପଛରେ ପିଟିହେଲା କାର, ଚାଲିଗଲା ଦୁଇ ଜୀବନ

ସୂଚନା ପାଇ ବ୍ରଜରାଜନଗର ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନ ସଦଳବଳେ ପହଞ୍ଚିଥିଲେ । ଗୋବିନ୍ଦଙ୍କୁ ପଚରାଉଚରା କରିବା ସମୟରେ ସେ ହଠାତ୍ ତଳେ ପଡ଼ିଯାଇ ଛଟପଟ ହୋଇଥିଲେ । ତାଙ୍କୁ ତୁରନ୍ତ ମଣ୍ଡଳୀୟାସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ସୁରଭି କହିଛନ୍ତି, ସେ ନିୟମିତ ଭଉଣୀଙ୍କ ସହ ଫୋନ୍‌ରେ କଥାବାର୍ତ୍ତା ହେଉଥିଲେ । କିନ୍ତୁ ଗତ ୪ ଦିନ ହେଲା ତାଙ୍କ ସହ ଯୋଗାଯୋଗ ହୋଇପାରୁ ନ ଥିଲା । କେହି ଫୋନ୍ ଉଠାଉ ନ ଥିଲେ । ସନ୍ଦେହ ହେବାରୁ ସେ ଆସି ପହଞ୍ଚିଥିଲେ । ଏଭଳି ଘଟଣା ତାଙ୍କୁ ଚକିତ କରିଛି । 

ଏସ୍‌ଡିପିଓ ଶ୍ରୀ ପ୍ରଧାନ କହିଛନ୍ତି, ସାହିପଡ଼ିଶାଙ୍କ କହିବା କଥା ଦମ୍ପତି ଅଧିକାଂଶ ସମୟ ନିଶାସକ୍ତ ରହୁଥିଲେ । ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କରାଯାଇଛି । ଅନ୍ୟପଟେ ରୁକ୍ମିଣୀଙ୍କ ମୃତଦେହ ଫୁଲିଯାଇଛି । ତାଙ୍କ ଶରୀରର କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ । ସ୍ତ୍ରୀଙ୍କ ମୃତଦେହ ସହ ଜଣେ ଚାରିଦିନ ବିତାଇବା ଆଶ୍ଚର୍ଯ୍ୟ ଚକିତ କରିଛି । ପ୍ରବଳ ନିଶା ସେବନ ଯୋଗୁ ପତ୍ନୀଙ୍କ ମୃତ୍ୟୁ ଏବଂ ସ୍ୱାମୀ ଅଚେତ ଅବସ୍ଥାରେ ରହିଥିବା ସନ୍ଦେହ ହେଉଛି । ସେମାନେ ପିଇଥିବା ମଦ ବିଷାକ୍ତ ହୋଇଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଗୋବିନ୍ଦ ଜଣେ ଅବସରପ୍ରାପ୍ତ ଏମସିଏଲ୍ କର୍ମଚାରୀ । ପେନସନ୍ ଟଙ୍କା ସହ ନିକଟରେ ପୈତୃକ ଜମି ବିକ୍ରି କରି ଟଙ୍କା ପାଇଥିଲେ । ସର୍ବଦା ବାହାର ଲୋକ ତାଙ୍କ ଘରକୁ ଯିବାଆସିବା କରୁଥିଲେ । ଏହା ମଧ୍ୟ ସନ୍ଦେହ ପରିସରକୁ ଆସିଛି । ପୁଲିସ୍ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ।