ନିଶ୍ଚିନ୍ତକୋଇଲି, ୧୧/୦୬: ପତ୍ନୀଙ୍କ ସହ ବିବାଦ ଥିଲା । ଦୁହେଁ ଅଲଗା ରହୁଥିଲେ । କିନ୍ତୁ ସବୁବେଳେ ପ୍ରତିଶୋଧ ନେବାକୁ ସୁଯୋଗ ଅପେକ୍ଷାରେ ଥିଲେ ସ୍ୱାମୀ । ଶେଷରେ ମହିଳା ବେଶରେ ଆସି ପତ୍ନୀଙ୍କ ଉପରକୁ ଏସିଡ୍ ମାଡ଼ କଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ନିଶ୍ଚିନ୍ତକୋଇଲିରେ । ଏସିଡ୍ ମାଡ଼ରେ ପତ୍ନୀଙ୍କର ବିଶେଷ କ୍ଷତି ହୋଇନଥିବାବେଳେ ଲୋକେ ସ୍ୱାମୀଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି । ଅଭିଯୁକ୍ତ ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ନତକାଇ ଗ୍ରାମର ରାକେଶ ରାଉତ । ପତ୍ନୀଙ୍କ ଏତଲା ଆଧାରରେ ରାକେଶଙ୍କୁ ଅଟକ ରଖିଛି ପୁଲିସ୍ ।

ଘଟଣାରୁ ପ୍ରକାଶ ଯେ, ନିଶ୍ଚିନ୍ତକୋଇଲି ବ୍ଲକ୍ର ୨୪ ନମ୍ବର ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ମଳା ଲେଙ୍କା ଓ ତାଙ୍କ ସ୍ୱାମୀ ରାକେଶଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏଥିପାଇଁ ନିର୍ମଳା ଦୀର୍ଘଦିନ ହେଲା ଶାଶୂଘର ଛାଡ଼ି ଜିଗ୍ନିପୁର ପଞ୍ଚାୟତ ଛୁଆଳିଆ ଗ୍ରାମସ୍ଥିତ ବାପଘରେ ରହିଆସୁଛନ୍ତି । ଉଭୟଙ୍କ ଦୁଇଟି ପୁଅ । ନିର୍ମଳା ସୁଭଦ୍ରା ଯୋଜନା କାର୍ଯ୍ୟରେ ନିୟୋଜିତ ଥିବାରୁ ବୁଧବାର ସକାଳେ ସ୍କୁଟି ଯୋଗେ ବ୍ଲକ୍ କାର୍ଯ୍ୟାଳୟକୁ ଆସୁଥିଲେ । ପ୍ରତିଶୋଧ ନେବାକୁ ସ୍ୱାମୀ ରାକେଶ ଏସିଡ୍ ମାଡ଼ କରିବାକୁ ଛକି ରହିଥିଲେ । ନିଜ ପରିଚୟ ଲୁଚାଇବା ତଥା ମାମଲାକୁ ବାଟବଣା କରିବା ପାଇଁ ରାକେଶ ମହିଳାଙ୍କ ଭଳି ସାଲୱାର୍ ପିନ୍ଧି ମୁହଁରେ ମାସ୍କ୍ ବାନ୍ଧିଥିଲେ । ମୁଣ୍ଡରେ ହେଲ୍‌ମେଟ୍ ଓ ମୁହଁରେ ମାସ୍କ୍ ବାନ୍ଧିଥିବାରୁ ତାଙ୍କୁ କେହି ଚିହ୍ନିପାରି ନ ଥିଲେ । ଉକ୍ତ ସ୍ଥାନରେ ନିର୍ମଳା ପହଞ୍ଚିବା କ୍ଷଣି ରାକେଶ ପତ୍ନୀଙ୍କ ଗାଡ଼ି ସାମ୍ନାରେ ଗାଡ଼ିକୁ ରଖିଦେଇଥିଲେ । ପରେ ନିଜ ପାଖରେ ରଖିଥିବା ଏସିଡ୍‌କୁ ନିର୍ମଳାଙ୍କ ଉପରକୁ ମାଡ଼ କରିଥିଲେ ।

ଅଧିକ ପଢ଼ନ୍ତୁ :-  Crime Case: ଦୁର୍ଘଟଣାରେ ଛାତ୍ରୀ ମୃତ୍ୟୁ ଘଟଣାରେ ଟ୍ବିଷ୍ଟ୍; ବାଇକରୁ ଠେଲି ପ୍ରେମିକାକୁ ମାରିଥିଲା ପ୍ରେମିକ, ଗିରଫ କଲା ଦିଗପହଣ୍ଡି ପୁଲିସ

ତଳେ ପଡ଼ି ନିର୍ମଳା ଚିତ୍କାର କରୁଥବା ବେଳେ ରାକେଶ ତାଙ୍କ ସ୍କୁଟି ଓ ମୋବାଇଲ୍ ଛଡ଼ାଇ ଦ୍ରୁତ ବେଗରେ ଅସୁରେଶ୍ୱର ଆଡ଼କୁ ପଳାଇଥିଲେ । ତରବରିଆ ଢଙ୍ଗରେ ଗାଡ଼ି ଚଳାଇବା ଯୋଗୁଁ ରାକେଶ ଏକାଧିକ ସ୍ଥାନରେ ଦୁର୍ଘଟଣା ଘଟାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିନେଇଥିଲେ । ତାଙ୍କ ମୁହଁରୁ ମାସ୍କ୍ କଢାଯିବା ପରେ ସେ ଜଣେ ପୁରୁଷ ଜାଣି ଲୋକେ ପୁଲିସକୁ ଖବର ଦେଇଥିଲେ । ନିଶ୍ଚିନ୍ତକୋଇଲି ଥାନା ପୁଲିସ ଘଟଣାସ୍ଥଳରୁ ରାକେଶଙ୍କୁ ଉଠାଇ ଥାନାକୁ ନେଇଥିଲା । ନିର୍ମଳାଙ୍କ ବିଶେଷ କ୍ଷତି ହୋଇନାହିଁ । ନିର୍ମଳା ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି । ଏସିଡ୍ ମାଡ଼ ବାବଦରେ ପତ୍ନୀ ନିର୍ମଳା ନିଶ୍ଚିନ୍ତକୋଇଲି ଥାନାରେ ଏତଲା ଦେଇଛନ୍ତି। ପୁଲିସ ରାକେଶଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଗାଡ଼ି ଜବତ କରିଛି ।