ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ବ୍ୟାଟ୍ ନୀରବ । ଇଂଲଣ୍ଡ ଗସ୍ତରୁ ଆରମ୍ଭ କରି ଅଭ୍ୟାସ ମ୍ୟାଚ୍ ପ୍ରତ୍ୟେକ ରନ୍ ପାଇଁ ସଂଘର୍ଷ ଜାରି ରଖିଛନ୍ତି ସ୍ମୃତି । ଟି-୨୦ ବିଶ୍ବକପ ପୂର୍ବରୁ ଏହି ଷ୍ଟାର ଖେଳାଳିଙ୍କ ଫର୍ମ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ମନ୍ଧାନାଙ୍କ ବ୍ୟାଟ୍ ନୀରବ ରହିବା ଫ୍ୟାନ୍ସ ଏବଂ ଟିମ ପାଇଁ ବଡ଼ ଚିନ୍ତାର କାରଣ । ଭାରତ ନିଜର ପ୍ରଥମ ମୁକାବିଲା ପାକିସ୍ତାନ ସହ ଖେଳିବ । ଟି-୨୦ ବିଶ୍ବକପରେ ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବାକୁ ଥିବାବେଳେ ଦଳ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିବାର ଯୋଜନା ରଖିଛି ।
ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ଏବଂ ପରିସ୍ଥିତି ସହ ଖାପ ଖୁଆଇବା ପାଇଁ ଭାରତୀୟ ଦଳ ବହୁ ପୂର୍ବରୁ ଇଂଲଣ୍ଡରେ ପହଞ୍ଚିଥିଲା । ଇସିବି ଡେଭଲପମେଣ୍ଟ ମହିଳା ଏକାଦଶ ବିପକ୍ଷରେ ସ୍ମୃତି ୧୦ ବଲରୁ ୨୧ ରନ୍ କରିପାରିଥିଲେ । କିନ୍ତୁ ଏହା ପରଠାରୁ ତାଙ୍କର ଫର୍ମ ହ୍ରାସ ପାଇବାକୁ ଲାଗିଲା ।
ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମୁକାବିଲାରେ ଖାତା ଖୋଲିବାରେ ବିଫଳ ହୋଇଥିଲେ । ମାତ୍ର ଦ୍ବିତୀୟ ମ୍ୟାଚରେ ୩୨ ରନ କରିଥିବାବେଳେ ପୁଣି ଆଶା ଉଜ୍ଜିବୀତ କରିଥିଲେ । ମାତ୍ର ଅନ୍ତିମ ମୁକାବିଲାରେ ୮ ରନ କରିଥିଲେ । ଯେଉଁଥିରୁ ଲାଗୁଥିଲା କି, ସେ ଫର୍ମ ପାଇଁ ସଂଘର୍ଷ କରୁଛନ୍ତି । ମାତ୍ର ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଅଭ୍ୟାସ ମ୍ୟାଚରେ ୩୯ ରନ୍ କରିଥିଲେ । ଯାହାକି ଏହି ଟୁରରେ ତାଙ୍କର ସର୍ବୋତ୍ତମ ସ୍କୋର । ଲାଗୁଥିଲା କି, ପୁଣି ଫର୍ମକୁ ଫେରିଲେ । ତଥାପି ଇଂଲଣ୍ଡ ବିପ୪ ଅଭ୍ୟାସ ମ୍ୟାଚରେ ମାତ୍ର ୧ ରନ କରିଥିଲେ ।
ତେବେ ନିଜର ଫର୍ମ ପାଇଁ ଏଭଳି ସଂଘର୍ଷ କରୁଥିବା ସ୍ମୃତି ବିଶ୍ବକପରେ କିଭଳି ପ୍ରଦର୍ଶନ କରିବେ ଏହା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ସେ ଭାରତୀୟ ମହିଳା ଦଳର ବ୍ୟାଟିଂରେ ମେରୁଦଣ୍ଡ ବୋଲି କୁହାଯାଏ । ପାଓ୍ବାର ପ୍ଲେ’ରେ ଆକ୍ରମଣାତ୍ମକ ବ୍ୟାଟିଂ ଏବଂ ଦଳୀୟ ସ୍କୋରକୁ ପ୍ରଥମରୁ ଆଗକୁ ବଢ଼ାଇବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ । ସେ କ୍ରିଜରେ ରହିଲେ ଭାରତୀୟ ସ୍କୋର ଦ୍ରୁତ ଗତିରେ ଆଗକୁ ବଢ଼େ । ଏବେ ତାଙ୍କ ଫର୍ମ ପାଇଁ ଚିନ୍ତା ବଢ଼ିଥିବାବେଳେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖାଯାଇଛି ।
ଏହାସହ ପଢ଼ନ୍ତୁ : Viral Video: ବୁଲଡୋଜରରେ ଗଲେ, ସିଗାରେଟ୍ ଟାଣିଲେ: ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ନେବ ପୁଲିସ