ଭୁବନେଶ୍ୱର ୧୯/୧୨: ଅନ୍ୟକୁ କଟାକ୍ଷ କରିବା କିମ୍ବା ଅପମାନିତ କରିବାକୁ  କିଛି ଲୋକ ଖୁବ୍‌ ପସନ୍ଦ କରିଥାନ୍ତି । ଆମ ସମସ୍ତଙ୍କ କ୍ଷେତ୍ରରେ ଏମିତି ଥରେ ଅଧେ ନିଶ୍ଚୟ ହୋଇଥିବ । ଏ  କ୍ଷେତ୍ରରେ ମହିଳାମାନେ ଟିକେ ଆଗୁଆ । କିଛି ଲୋକ ସମ୍ପର୍କକୁ  ଭଲ ରଖିବା ପାଇଁ ଅପମାନିତ ହେବା ସମୟରେ ଚୁପ୍‌  ରହିଥାନ୍ତି । କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇ  ନଥାଏ । ଏ ସମୟରେ ଝଗଡା କରିବା ପରିବର୍ତ୍ତେ ଏମିତି  ଉତ୍ତର ଦିଅନ୍ତୁ, ଯାହା ଆପଣଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ  କରିପାରିବ । ଏପରିକି ସାମ୍‌ନାରେ ଥିବା ଲୋକ ମଧ୍ୟ କିଛି ଶିଖିପାରିବେ । ଯଦି ଆପଣ କେବେ ଏମିତି ପରିସ୍ଥିତିର ଶିକାର  ହୁଅନ୍ତି, ତେବେ ଏହାକୁ ଏମିତି ଡିଲ୍‌ କରନ୍ତୁ । ଯେପରି ସମ୍ପର୍କ  ଭଲ ରହିବା ସହ ସେହି ବ୍ୟକ୍ତି ଆଗାମୀ ଦିନରେ କଟାକ୍ଷ  କରିବାଠାରୁ ଦୂରେଇ ରହିପାରିବ ।  

ନିଜକୁ ଶାନ୍ତ ରଖନ୍ତୁ 

ଯଦି କେହି ଆପଣଙ୍କୁ କଟାକ୍ଷ କରୁଥାନ୍ତି କିମ୍ବା ବ୍ୟକ୍ତିଗତ  ଭାବେ କମେଟ୍‌ କରୁଥାନ୍ତି । ତେବେ ଏହି ସମୟରେ ନିଜକୁ  ଶାନ୍ତ ରଖନ୍ତୁ । ତରତର ହୋଇ କୌଣସି ଜବାବ ଦେବାକୁ  ପ୍ରୟାସ କରନ୍ତୁନି । ବରଂ ପ୍ରଥମେ ପୁରା କଥା ଶୁଣିବା ସହ  କଥାକୁ ବୁଝନ୍ତୁ । ଉପଯୁକ୍ତ ସମୟ ଆସିଲେ ଏହି କଟାକ୍ଷର  ଉତ୍ତର ଶାଳୀନତାର ସହ ଦିଅନ୍ତୁ । 

କଥାକୁ ଅଣଦେଖା କରିବା ଶିଖନ୍ତୁ

ଯେତେବେଳେ କେହି ଆପଣଙ୍କର ନିନ୍ଦା କିମ୍ବା କଟାକ୍ଷ  କରୁଥାନ୍ତି କିମ୍ବା ଅନ୍ୟ ଆଗରେ ନିଚ୍ଚା ଦେଖାଇବାକୁ ପ୍ରୟାସ  କରୁଥାନ୍ତି, ପ୍ରତ୍ୟେକ ଥର ଏହାର ଉତ୍ତର ଦେବା ଜରୁରି  ନୁହେଁ । ଅନେକ ସମୟରେ ଶାନ୍ତ ରହିବା ଦ୍ୱାରା ମଧ୍ୟ ସ୍ଥିତି  ନିୟନ୍ତ୍ରିତ ହୋଇଯାଇଥାଏ । ଜବାବ୍‌ ଦେବା ଦ୍ୱାରା ନିଜର ମୁଡ୍‌  ଖରାପ ହୋଇପାରେ । ତେଣୁ ଏହି ସ୍ଥିତିରେ ସେହି ବ୍ୟକ୍ତିଙ୍କ  କଥାକୁ ଅଣଦେଖା କରିଦେବା ଉଚିତ୍‌ ।  

ସାମାନ୍ୟ ହସି ଜବାବ୍‌ ଦେଇପାରିବେ 

କେହି ଅପମାନିତ କରୁଥିବା ସମୟରେ ସେହି ବ୍ୟକ୍ତିକୁ  ରାଗରେ ଉତ୍ତର ଦେବା ଠାରୁ ଦୂରେଇ ରୁହନ୍ତୁ । ବରଂ  ସାମାନ୍ୟ ହସି ଦେଇ ସେହି ବ୍ୟକ୍ତିକୁ ଜବାବ୍‌ ଦ୍ୱାରା  ମାହୋଲ୍‌ ବିଗିଡିବା ପରିବର୍ତ୍ତେ ଶାନ୍ତ ରହିଥାଏ ।  

ଠିକ୍‌ ଶବ୍ଦର ଚୟନ କରନ୍ତୁ 

ଯଦି କେହି ଆପଣଙ୍କୁ ନିଚ୍ଚା ଦେଖାଇବାକୁ ପ୍ରୟାସ କରୁଥାଏ, ତେବେ ଏହି ସମୟରେ ଶାନ୍ତ ରହି  ସଠିକ୍‌ ଶବ୍ଦର ଚୟନ କରିବା ପରେ ହିଁ ପ୍ରତିକ୍ରିୟା ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଜବାବ୍‌  ପ୍ରଭାବଶାଳୀ ହୋଇଥାଏ । 

ଆତ୍ମବିଶ୍ୱାସ ବଜାୟ ରଖନ୍ତୁ 

ଯଦି କେହି ଆପଣଙ୍କୁ ଅପମାନିତ କରୁଛି,  ତେବେ ଏହା ଆପଣଙ୍କର ନୁହେଁ ଅପମାନିତ  କରୁଥିବା ବ୍ୟକ୍ତିର ଭୁଲ୍‌ । ତେଣୁ ଆପଣ ନିଜର  ଆତ୍ମବିଶ୍ୱାସ ବଜାୟ ରଖିବା ସହ ଆଗେଇ  ଚାଲିବା ଆବଶ୍ୟକ । ଏହି ବ୍ୟକ୍ତିର କଥାକୁ  ଅଣଦେଖା କରିବା ସହ ନିଜ ଗନ୍ତବ୍ୟ  ପଥରେ ଆଗେଇ ଯିବାକୁ ଚେଷ୍ଟା କରନ୍ତୁ।