ନୂଆଦିଲ୍ଲୀ, ୬/୧୦: 'ଆଇ ଲଭ୍ ମହମ୍ମଦ'କୁ ନେଇ ବାବା ବାଗେଶ୍ଵରଙ୍କ ବଡ଼ ବୟାନ। 'ଆଇ ଲଭ୍ ମହମ୍ମଦ'ରେ କିଛି ଖରାପ ନାହିଁ, 'ଆଇ ଲଭ୍ ମହାଦେବ'ରେ ବି କିଛି ଅସୁବିଧା ହେବା କଥା ନୁହେଁ। ହେଲେ ଯଦି ଆପଣ 'ସର ତନ ସେ ଜୁଦା' ନାରା ଦେବେ ତାହେଲେ ଆଇନ ଛାଡ଼ିବନି କି ଏ ଦେଶର ହିନ୍ଦୁ ଛାଡ଼ିବେନି। କଥା ବାଚକ ଆଚାର୍ଯ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଛତିଶଗଡ଼ର ରାଜଧାନୀ ରାୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି।
ବାବା ବାଗେଶ୍ଵର ପୁଣି କହିଛନ୍ତି ଯେ, ବିଦେଶୀ ଶକ୍ତିଙ୍କ ଦ୍ଵାରା ଭାରତରେ ହିନ୍ଦୁଙ୍କୁ ଡରାଇବାକୁ ପ୍ରୋପାଗଣ୍ଡା କରାଯାଉଛି। ହୋଲି, ଦୁର୍ଗାପୂଜା ଓ ଧାର୍ମିକ ଶୋଭାଯାତ୍ରା ବେଳେ ପଥରମାଡ଼ କରି ହିନ୍ଦୁଙ୍କୁ ଡରାଇବାକୁ ଚେଷ୍ଟା କରାଯାଉଛି। ଏହା ଏବେ ସବୁଠୁ ବଡ଼ ଟ୍ରେଣ୍ଡ୍ ପାଲଟିଛି। ଏଥିପାଇଁ ହିନ୍ଦୁଙ୍କୁ ଡର ଦୂର କରି ଜାଗ୍ରତ ହେବାକୁ ପଡ଼ିବ। ଏବେ ହିନ୍ଦୁମାନେ ମାଲା ସହ ଭାଲା ନିଜ ସହ ରଖିବାକୁ ପଡ଼ିବ।
ବାବା ବାଗେଶ୍ଵର ପୁଣି କହିଛନ୍ତି ଯେ, ଛତିଶଗଡ଼ ହେଉଛି ବିଜୟ, ମାତୃଭୂମି ପ୍ରତି ସମର୍ପଣ, ହିନ୍ଦୁତ୍ୱ ଏବଂ ରାମଙ୍କ ଭୂମି। ଛତିଶଗଡ଼ର ପରିସ୍ଥିତି ବଦଳୁଛି। ହିନ୍ଦୁତ୍ୱ ଚିନ୍ତାଧାରାର ପ୍ରସାର ଯୋଗୁଁ, ଧର୍ମାନ୍ତରୀକରଣ ଉପରେ ରୋକ ଲଗାଯାଉଛି। ଆଗାମୀ ଦିନରେ, ଛତିଶଗଡ଼ ପ୍ରଥମ ରାଜ୍ୟ ହୋଇପାରେ ଯେଉଁଠାରେ ପ୍ରତ୍ୟେକ ଗାଁରେ ଧର୍ମାନ୍ତରୀକରଣ ବିରୁଦ୍ଧରେ ସ୍ୱର ଉଠିବ ଏବଂ ଧର୍ମାନ୍ତରୀକରଣ ବନ୍ଦ ହେବ। ନକ୍ସଲବାଦ ହେଉଛି ଛତିଶଗଡ଼ର ଭାବମୂର୍ତ୍ତି ଉପରେ ସବୁଠାରୁ ବଡ଼ ଦାଗ, ଯାହା ଖୁବ୍ ଶୀଘ୍ର ଧୋଇଯିବ। ନିର୍ଭୀକ ଭାବରେ ନିଜ ଜୀବନକୁ ବାଜି ଲଗାଇ ସମ୍ପୂର୍ଣ୍ଣ ଦୃଢ଼ତାର ସହିତ ନକ୍ସଲବାଦୀଙ୍କ ସାମ୍ନା କରୁଥିବା ସମସ୍ତ ସୈନିକଙ୍କୁ ଅନେକ ଅନେକ ଅଭିନନ୍ଦନ।