ତିହିଡ଼ି,୦୯/୦୪: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ କୃଷି  କ୍ଷେତ୍ରରେ ପ୍ରତିଫଳିତ ହୋଇଛି । ୟୁରିଆ ଉତ୍ପାଦନ  ଏବଂ ଯୋଗାଣ ପ୍ରଭାବିତ ହେବା ପରେ ଖରିଫ୍‌  ଚାଷ କେମିତି ଉଠିବ ତା’କୁ ନେଇ ଚିନ୍ତା ବଢ଼ିଛି ।  ଏଭଳି ସଙ୍କଟଜନକ ସମୟରେ ଭଦ୍ରକ ଜିଲ୍ଲାରେ  ପୂର୍ବବର୍ଷ ତୁଳନାରେ ୟୁରିଆ ଟାର୍ଗେଟ୍‌କୁ ପ୍ରାୟ ୨  ହଜାର ମେଟ୍ରିକ୍‌ ଟନ୍‌ ପର୍ଯ୍ୟନ୍ତ କମାଇ ଦିଆଯାଇଛି ।  ଅର୍ଥାତ୍‌ ସର୍ବାଧିକ ୧୨ ହଜାର ମେଟ୍ରିକ୍‌ ଟନ୍‌ ଯୋଗାଣ  କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି ।

 ଗତବର୍ଷ ୧୪  ହଜାର ମେଟ୍ରିକ୍‌ ଟନ୍‌ ୟୁରିଆ ଯୋଗାଣ ସତ୍ତେ୍ୱ ଚାଷୀଙ୍କୁ  ସାର ଅଭାବ ହୋଇଥିଲା । ଚାଷୀ ଆନ୍ଦୋଳନକୁ  ଓହ୍ଲାଇଥିଲେ । ଏଥର ସମସ୍ୟା ଆହୁରି ଗମ୍ଭୀର  ହେବା ଆଶଙ୍କା ଏବେଠୁ ଜଳଜଳ ହୋଇ ଦିଶିଲାଣି ।  ଅନ୍ୟ ପଟେ କୃଷି ବିଭାଗ ପକ୍ଷରୁ ସାର ପରିଚାଳନା  ନେଇ ଯୋଜନା ପ୍ରସ୍ତୁତ ହୋଇଛି । ପ୍ରାଥମିକ ଭାବେ  ତରଳ (ନାନୋ) ସାର ବ୍ୟବହାରକୁ ଗୁରୁତ୍ୱ  ଦିଆଯାଇଛି । କଳାବଜାର ରୋକିବା ନିମନ୍ତେ ଅସାଧୁ  ବ୍ୟବସାୟୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।   ଭଦ୍ରକ ଜିଲ୍ଲାରେ ୨୦୨୬-୨୭ ଖରିଫ୍‌ ଚାଷ ପାଇଁ ୪୪  ହଜାର ମେଟ୍ରିକ୍‌ ଟନ୍‌ ସାର ବ୍ୟବହାର ଲକ୍ଷ୍ୟ ଧାର୍ଯ୍ୟ  ହୋଇଥିଲା । ନାନୋ ୟୁରିଆ ଏବଂ ନାନୋ ଡିଏପି  ପାଖାପାଖି ୨୮ ହଜାର ପେଟି ଚିଠା ହୋଇଥିବାବେଳେ  ଏହାକୁ ୪୦ ହଜାର ପେଟିକୁ ବୃଦ୍ଧି କରାଯାଇଛି ।   

ଉଲ୍ଲେଖଯୋଗ୍ୟ, ୨୦୨୫-୨୬ ବର୍ଷରେ ଜିଲ୍ଲାର ୭ଟି  ବ୍ଲକ ପାଇଁ ୧୪ ହଜାର ମେଟ୍ରିକ୍‌ ଟନ୍‌ ୟୁରିଆ, ୧୦  ହଜାର ମେଟ୍ରିକ୍‌ ଟନ୍‌ ଡିଏପି, ୨୬୦୦ ମେଟ୍ରିକ୍‌ ଟନ୍‌  ଏମ୍‌ଓପି, ୫୦୦ ମେଟ୍ରିକ୍‌ ଟନ୍‌ ଏସ୍‌ଏସ୍‌ପି ୫୦୦ ସାର  ଆସିଥିଲା । ସେହିପରି ୨୦-୨୦-୦-୧୩ ନାମକ ସାର  ୩୯୪୦ ମେଟ୍ରିକ ଟନ୍‌, ୨୮-୨୮-୦ ନାମକ ସାର  ୮୬୨୫ ମେଟ୍ରିକ୍‌ ଟନ୍‌ ଟନ୍‌, ୧୦-୨୬-୨୬ ନାମକ  ସାର ୪୦ ମେଟ୍ରିକ୍‌ ଟନ୍‌, ୧୬-୧୬-୧୬ ନାମକ ସାର  ୯୦ ମେଟ୍ରିକ୍‌ ଟନ୍‌, ୧୪-୩୫-୧୪ ନାମକ ସାର ୫  ମେଟ୍ରିକ୍‌ ଟନ୍‌କୁ ମିଶାଇ ମୋଟ୍‌ ୩୯.୮୦୦ ମେଟ୍ରିକ୍‌  ଟନ୍‌ ସାର ଯୋଗାଣ ହୋଇଥିଲା । ୟୁରିଆ ଅଭାବକୁ  ନେଇ ଗତବର୍ଷ ଚାଷୀ ଅସନ୍ତୋଷ ତୀବ୍ର ହୋଇଥିଲା ।   ଏବେ ୭ଟି ବ୍ଲକର ଚାଷୀ ପାଖାପାଖି ୧୮  ହଜାର ମେଟ୍ରିକ୍‌ ଟନ୍‌ ୟୁରିଆ ସାର ଆବଶ୍ୟକ  କରୁଛନ୍ତି । ହେଲେ ଯୁଦ୍ଧ ସ୍ଥିତିରେ ୟୁରିଆ ଟାର୍ଗେଟ  ୧୦ରୁ ୧୨ ହଜାର ମେଟ୍ରିକ୍‌ ଟନ୍‌ ମଧ୍ୟରେ ସୀମିତ  ରଖାଯାଇଛି । 

ଆହୁରି ପଢନ୍ତୁ-ସାଇବର ଅପରାଧୀଙ୍କ ନୂଆ ଫଣ୍ଡା ‘ସେକ୍ସଷ୍ଟ୍ରକ୍ସନ’: ଜେଲ ଭୟ ଦେଖାଇ ଟଙ୍କା ଅସୁଲ, ଟାଗେର୍ଟରେ ଟିନ୍‌-ଏଜର ଏବଂ ବୟସ୍କ ଗୋଷ୍ଠୀ​​​​​​​

ଅନ୍ୟପଟେ ୨୦୨୫-୨୬ ବର୍ଷର  ଟାର୍ଗେଟଠାରୁ ୨୦୨୬-୨୭ ବର୍ଷର ଟାର୍ଗେଟରେ  ନାନୋ ୟୁରିଆ ପରିମାଣକୁ ବଢ଼ାଯାଇଛି ।  ୟୁରିଆ ଉପରୁ ନିର୍ଭରଶୀଳତା କମାଇବାକୁ  ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।   ଉଲ୍ଲେଖଯୋଗ୍ୟ, ୨୦୨୫-୨୬ ବର୍ଷରେ ତିହିଡ଼ି  ବ୍ଲକରେ ନାନୋ ୟୁରିଆ ଟାର୍ଗେଟ ଥିଲା ୨୧୨୦ ଲିଟର ।  ଏଥର ହୋଇଛି ୩୦୦୦ ଲିଟର । ଏହିକ୍ରମରେ ଭଦ୍ରକ  ବ୍ଲକରେ ୨୫୧୦ରୁ ୩୧୩୫, ବାସୁଦେବପୁର ବ୍ଲକରେ  ୩୧୦୫ରୁ ୪୦୦୫, ଚାନ୍ଦବାଲି ବ୍ଲକରେ ୩୧୪୭ରୁ  ୪୨୦୦, ଧାମନଗର ବ୍ଲକରେ ୧୮୧୦ରୁ ୨୬୦୦,  ଭଣ୍ଡାରିପୋଖରୀ ବ୍ଲକରେ ୧୮୭୦ରୁ ୨୨୦୦, ବନ୍ତ  ବ୍ଲକରେ ୨୦୨୮ରୁ ୨୮୬୦ ଲିଟର ନାନୋ ୟୁରିଆ ବୃଦ୍ଧି  କରାଯାଇଛି । ଅପରପକ୍ଷେ ସାର ସଙ୍କଟର ସମ୍ମୁଖୀନ  ହେବାକୁ କୃଷି ବିଭାଗ ଅଧ୍ୟାଦେଶ ଭଳି ଚିଠି ଜାରି  କରିଛି । ଚାଷୀମାନେ ଅଧିକୃତ ବିକ୍ରେତାଙ୍କଠାରୁ  ଆଧାର ମାଧ୍ୟମରେ ଓଟିପି ଦେଇ ସାର କିଣୁଥିବା  ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛି ।  ଅସାଧୁ ସାର କାରବାର ରୋକିବାକୁ ପିଇଓଏସ୍‌  ମେସିନ୍‌ରୁ ବାହାରୁ ଥିବା ସ୍ଲିପ୍‌ ମାଗିବାକୁ କହିଛି ।