ନୂଆଦିଲ୍ଲୀ,୧୭/୧୧: ଭାରତରେ ବିବାହକୁ ଉତ୍ସବ ଭଳି ପାଳନ କରାଯାଏ । ବାରାତ ଶୋଭାଯାତ୍ରାରେ ବର ରାଜକୁମାର ଭଳି ଘୋଡ଼ାରେ ବସି କନ୍ୟା ଘରେ ପହଞ୍ଚିଥାଏ । ବିବାହରେ ଏହି ଦୃଶ୍ୟ ଭାରତର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ । ରାଜସ୍ଥାନରେ ସମାନ ଘଟଣା ଦେଖିବାକୁ ମିଳିଛି । କିନ୍ତୁ ଏଥିରେ ଟିକିଏ ଟ୍ୱିଷ୍ଟ୍ ରହିଛି । ଏ ଥର ବର ନୁହେଁ, କନ୍ୟା ଘୋଡ଼ାରେ ବସି ବିବାହ ଉତ୍ସବରେ ଏଣ୍ଟ୍ରି କରିଥିଲା । ରାଜସ୍ଥାନରେ ବିବାହରେ ଘୋଡ଼ାରେ ବରର ଏଣ୍ଟ୍ରି ‘ବିନ୍ଦୋରୀ’ ନାମରେ ପରିଚିତ । କିନ୍ତୁ ଚୁରୁ ସହରରେ ରହୁଥିବା ଏକ ପରିବାର ବର ପରିବର୍ତ୍ତେ କନ୍ୟାକୁ ଘୋଡ଼ାରେ ବସାଇ ବିବାହ ମଣ୍ଡପକୁ ଆଣିଛନ୍ତି ।
କନ୍ୟା ମୋନିକା ସୈନୀଙ୍କ ବାପା ମନୋଜ କୁମାର ଏହି ପଦକ୍ଷେପ ଜରିଆରେ ସମାଜକୁ ପୁଅ ଓ ଝିଅ ମଧ୍ୟରେ ସମାନତାର ବାର୍ତ୍ତା ଦେଇଛନ୍ତି । ବ୍ୟକ୍ତିଙ୍କ ଲିଙ୍ଗ ଆଧାରରେ ଭେଦଭାବ କରିବା ଅନୁଚିତ୍ ବୋଲି ସେ କହିଛନ୍ତି । କନ୍ୟାର ଭାଇ ୟଶ କହିଛନ୍ତି, ତାଙ୍କର ୪ ଭାଇ-ଭଉଣୀଙ୍କ ମଧ୍ୟରେ ମୋନିକା ୨ୟ ସନ୍ତାନ । ଗତ ୧୬ ତାରିଖ ଅର୍ଥାତ୍ ଶନିବାର ରତ୍ନାଗଡ଼ର ହେମନ୍ତ ସୈନୀଙ୍କ ସହ ତାଙ୍କର ବିବାହ ଅନୁଷ୍ଠିତ ହୋଇଥିଲା । ବର ପରିବର୍ତ୍ତେ କନ୍ୟା ସହିତ ବିନ୍ଦୋରୀ ପ୍ରଥା ପାଳନ କରିବାକୁ ତାଙ୍କ ପରିବାର ନିଷ୍ପତ୍ତି ନେଇଥିଲା । ସମାଜରେ ପ୍ରଚଳିତ ଲିଙ୍ଗଗତ ଭେଦଭାବରେ ପରିବର୍ତ୍ତନ ଆଣିବା ଏହି ପ୍ରୟାସର ଏକମାତ୍ର ଉଦ୍ଦେଶ୍ୟ ଥିଲା । ଘୋଡ଼ାରେ କନ୍ୟାକୁ ବସାଇ ଏକ ଶୋଭାଯାତ୍ରା ବାହାରିଥିଲା, ଯାହା ବିଭିନ୍ନ ସ୍ଥାନକୁ ଯାଇଥିଲା । ଲୋକେ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ ।