ଭୁବନେଶ୍ବର, ୨୦।୧୧ : ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଭାରତର ଘରୋଇ ଇସ୍ପାତ ଶିଳ୍ପ ଦୃଢ଼ତା ଏବଂ ବିକାଶ ମାର୍ଗରେ ଅଗ୍ରସର ହେଉଛି।  ପ୍ରତିଦ୍ୱନ୍ଦ୍ୱୀ କ୍ଷମତା ବୃଦ୍ଧି କରିବା ଏବଂ ପରିଚାଳନାଗତ ଉତ୍କର୍ଷତା ହାସଲ ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ ଲର୍ଣ୍ଣିଂ ଏବଂ ଡିଜିଟାଲକରଣ ଭଳି ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ. ଡି କୁମାର ସ୍ୱାମୀ । ଭାରତର ଇସ୍ପାତ କ୍ଷେତ୍ରର ଭବିଷ୍ୟତ ପ୍ରଗତି ନିମନ୍ତେ  ବିଚାରବିମର୍ଶ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରଠାରେ ଦୁଇ ଦିନିଆ ଚିନ୍ତନ ଶିବିରକୁ    କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ. ଡି କୁମାର ସ୍ୱାମୀ ଉଦଘାଟନ କରି ଏହା କହିଛନ୍ତି।

ଗବେଷଣା ଏବଂ ବିକାଶରେ ନିରନ୍ତର ନିବେଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ସମସ୍ତ ଅଂଶୀଦାରଙ୍କ ସାମୂହିକ ପ୍ରୟାସ ଭାରତର ଇସ୍ପାତ ଶିଳ୍ପର ସାମଗ୍ରିକ ଅଭିବୃଦ୍ଧି ଏବଂ ପ୍ରତିଦ୍ୱନ୍ଦ୍ୱୀ କ୍ଷମତା ସୁନିଶ୍ଚିତ କରିବ। ଯାହା ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।

କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଭୂପତିରାଜୁ ଶ୍ରୀନିବାସ ବର୍ମା ଭିତ୍ତିଭୂମି ବିକାଶକୁ ଆଗେଇ ନେବାରେ ଇସ୍ପାତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଚିନ୍ତନ ଶିବିରରେ ଆଲୋଚିତ ସମସ୍ତ ବିଷୟବସ୍ତୁ ଶିଳ୍ପ ପ୍ରଗତି ଏବଂ ଜାତୀୟ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।

ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା କହିଥିଲେ, ଓଡିଶା ପାଖରେ ଏକ ଖଣିଜ ସମୃଦ୍ଧ ଏବଂ ଉପକୂଳବର୍ତ୍ତୀ ରାଜ୍ୟ ହେବାର ଅନନ୍ୟ ସୁବିଧା ରହିଛି। ଯାହା ରାଜ୍ୟକୁ ଇସ୍ପାତ ସମେତ ବିଭିନ୍ନ ଶିଳ୍ପ ସ୍ଥାପନ ଏବଂ ବିକାଶ ପାଇଁ ଅନୁକୂଳ କରିଥାଏ।କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟର ସଚିବ ସନ୍ଦୀପ ପୌଣ୍ଡ୍ରିକ୍ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ ଏହି କ୍ଷେତ୍ରର ବିକାଶ, ଆହ୍ୱାନ ଏବଂ ଭବିଷ୍ୟତ ଉପରେ ବିଚାରବିମର୍ଶ କରିବା ପାଇଁ ଏହି ଚିନ୍ତନ ଶିବିର ଭଳି ମଞ୍ଚର ଆୟୋଜନ କରାଯାଉଥିବା କହିଥିଲେ। ସେ କହିଥିଲେ, କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସହ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ବାଣ୍ଟିବାରେ ସାହାଯ୍ୟ କରିବ। ଅନ୍ୟପଟେ ଭିତ୍ତିଭୂମି ଖର୍ଚ୍ଚ କାରଣରୁ ଭାରତର ଇସ୍ପାତ ଉପଯୋଗରେ ଅଭୂତପୂର୍ବ ବୃଦ୍ଧି ଉପରେ ସେ ଆଲୋକପାତ କରିଥିଲେ। ସେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକରେ ନୂତନ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ଶିବିରର ପ୍ରଥମ ଦିନରେ ପ୍ରଯୁକ୍ତିବିଦ୍ୟା-ଚାଳିତ ନବସୃଜନ, ପରିଚାଳନାଗତ ଉତ୍କର୍ଷତା, ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଏବଂ ଆଧୁନିକ ଖଣି ପଦ୍ଧତି ଉପରେ ଆଲୋଚନା ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଭିତ୍ତିଭୂମିର ଉନ୍ନତିକରଣ, କ୍ଷମତା ବିସ୍ତାର ଏବଂ ସମଗ୍ର କ୍ଷେତ୍ରରେ ଦକ୍ଷତା ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା। ଶିଳ୍ପ ପାଇଁ ଏକ ରଣନୀତିକ ରୂପରେଖ ପ୍ରସ୍ତୁତ କରିବା ପାଇଁ ନୀତି ନିର୍ଦ୍ଧାରକ, ଶିଳ୍ପପତି ଏବଂ ବୈଷୟିକ ବିଶେଷଜ୍ଞଙ୍କ ବିଚାରକୁ ଏହି ଆଲୋଚନାରେ ସଂଗ୍ରହ କରାଯାଇଥିଲା।

ଏଥିରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଗଣ, ସେଲ୍, ଏନଏମଡିସି, ଏମଓଆଇଏଲ, ମେକନ, ଏମଏସଟିସି ଆଦି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ମୁଖ୍ୟ, ଆଇଏନଏସଡିଏଜି, ଆଇଏସସିଏ, ବିଆଇଏସଏଜି ଆଦିର ବିଶେଷଜ୍ଞଙ୍କ ସମେତ ଟାଟା ଷ୍ଟିଲ୍, ଜେଏସଡବ୍ଲୁ ଭଳି ଘରୋଇ ଶିଳ୍ପସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଛନ୍ତି ।