ନୂଆଦିଲ୍ଲୀ : ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟରେ ଅର୍ପଣ ଓ ଦାନରେ ଅନିୟମିତତା  ଓ ଠକେଇର ରିପୋର୍ଟ ଏବଂ SIT ତଦନ୍ତ ଚାଲି ଥିବା ମଧ୍ୟରେ , ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବତନ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ର ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ସଦ୍ୟ ଘଟଣାକ୍ରମରେ ଦୁଃଖିତ ମିଶ୍ର ବୁଧବାର ପରାମର୍ଶ ଦେଇଛନ୍ତି ଯେ, ରାମ ମନ୍ଦିର ଟ୍ରଷ୍ଟର ପରିଚାଳନାକୁ ସମ୍ଭାଳିବା ପାଇଁ ଏକ ସ୍ୱାଧୀନ ସିଇଓଙ୍କ ନିଯୁକ୍ତ କରାଯିବା ଉଚିତ। ସେ ଏହା ମଧ୍ୟ ପରାମର୍ଶ ଦେଇଛନ୍ତି ଯେ, ଏହି ପଦରେ କୌଣସି ପୂର୍ବତନ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବା ଆବଶ୍ୟକ। ଯାହାକି ମନ୍ଦିରର ପରିଚାଳନା ଅନ୍ତର୍ଜାତୀୟ ମାନକର ଅନୁରୂପ ହୋଇପାରବ। ସେ କହିଛନ୍ତି ଯେ, ଏଥିରେ ରାମ ମନ୍ଦିରର ପ୍ରବନ୍ଧନକୁ ଅଧିକ ପେଶାଦାର ଓ ସ୍ୱଚ୍ଛ କରାଯାଇ ପାରିବ।

CNBC AWAAZକୁ ଏକ ସାକ୍ଷାତକାରରେ ନୃପେନ୍ଦ୍ର ମିଶ୍ର କହିଛନ୍ତି , ରାମ ମନ୍ଦିରରେ ପାରଦର୍ଶିତା ଓ ଶ୍ରଦ୍ଧାଳୁଙ୍କ ଭରସା ସର୍ବୋପରି। ସେ ମନ୍ଦିରର ଅର୍ପଣ ଓ ଦାନ ସହ ଜଡିତ କଥିତ ବିବାଦ ଉପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଜୋର ଦେଇ କହିଛନ୍ତି , ରାମ ମନ୍ଦିର ସନାତନ ଧର୍ମର ଏକ ଅନ୍ତର୍ଜାତୀୟ ପ୍ରତୀକ ଏବଂ ଏହାର ପ୍ରବନ୍ଧନ ଦୁନିଆର କୌଣସି ବି ଅନ୍ୟ ମନ୍ଦିର ଠାରୁ ଉତ୍ତମ ଓ ଉତ୍କୃଷ୍ଟ ହେବା ଉଚିତ୍। ତାଙ୍କ ଅନୁସାରେ , ସବୁଠୁ ବଡ଼ ଚ୍ୟାଲେଞ୍ଜ ଶ୍ରଦ୍ଧାଳୁଙ୍କ ସୁବିଧା ସୁନିଶ୍ଚିତ କରିବା ଏବଂ ତାଙ୍କର ଏହି ବିଶ୍ୱାସ ବଜାୟ ରଖିବା ଯେ, ମନ୍ଦିରର ପ୍ରବନ୍ଧନ ସୁସ୍ଥ ପରମ୍ପରା ଅନୁସାରେ କରାଯାଉଛି।

ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପ୍ରଧାନ ସଚିବ ମିଶ୍ର ରାମ ମନ୍ଦିର ପ୍ରବନ୍ଧନର ଜଟିଳତାକୁ ଫୋକସ କରି କହିଛନ୍ତି ଯେ, ୭୧ ଏକରରେ ବ୍ୟାପି ଥିବା ମନ୍ଦିର ପରିସରର କାର୍ଯ୍ୟକଳାପ କୌଣସି ଛୋଟ ଜିଲ୍ଲାର ସହ ସମାନ, ଯେଉଁଠି ପ୍ରତିଦିନ ପାଖାପାଖି ଏକ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସନ୍ତି। ସେ କହିଛନ୍ତି ଯେ, ଏତେ ବଡ଼ ସଂଖ୍ୟାରେ ଲୋକଙ୍କ ଆବଶ୍ୟକତା ଓ ବ୍ୟବସ୍ଥା ଗୁଡ଼ିକୁ ସମ୍ଭାଳିବା କୌଣସି ସହଜ କଥା ନୁହେଁ। ସେ ସ୍ପଷ୍ଟ କରିଛନ୍ତି ଯେ, ଟ୍ରଷ୍ଟର Bylawsରେ ପୂର୍ବରୁ ଏକ ପ୍ରବନ୍ଧନ ସମିତିର ପ୍ରାବଧାନ ଅଛି, ଯାହାର ଅଧ୍ୟକ୍ଷ ମହସଚିବ ଚମ୍ପତ ରାୟ ଅଛନ୍ତି। ଏହି କ୍ରମରେ ଏହି ସମିତିରେ ଏକ ସ୍ୱାଧୀନ ସିଇଓଙ୍କୁ ସାମିଲ କରିବାରେ ନିୟମର କୌଣସି ଉଲ୍ଲଂଘନ ହେବ ନାହିଁ।

ଗତ କିଛି ଦିନରୁ ଭୂମି କ୍ରୟ ଓ ଦାନ ସହ ଜଡ଼ିତ ଅଭିଯୋଗ ଗୁଡ଼ିକ ଉପରେ ପ୍ରତିକ୍ରିୟା ଦେଇ ମିଶ୍ର କହିଛନ୍ତି ଯେ, ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ବର୍ତ୍ତମାନ ମାମଲାର ତଦନ୍ତ କରୁଛି ଏବଂ ୧୫ ଦିନ ମଧ୍ୟରେ ନିଜର ରିପୋର୍ଟ ପ୍ରଦାନ କରିବ। ସେ କହିଛନ୍ତି ଯେ, ଦୁଇ ବର୍ଷ ପୂର୍ବେ , ଭୂମି କ୍ରୟକୁ ନେଇ ଉଠିଥିବା ବିବାଦ ପରେ ସ୍ୱଚ୍ଛତା ଅବଲମ୍ୱନ କରିବାକୁ ଚେତାବନୀ ଦିଆଯାଇ ଥିଲା, କିନ୍ତୁ ଏବେ ସାମ୍ନାକୁ ଆସିଥିବା ପ୍ରସଙ୍ଗ ଅଧିକ ଗୁରୁତୁର। ହେଲେ ସେ ସ୍ପଷ୍ଟ କରିଛନ୍ତି ଯେ, ସେ ଏସଆଇଟିର ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଚାହାନ୍ତି ନାହିଁ, ଏଥିପାଇଁ ବର୍ତ୍ତମାନ ଏହି ବିଷୟରେ ଉପରେ ସିଧାସଳଖ ପରାମର୍ଶ ଦେବେ ନାହିଁ।

ଆହୁରି ମଧ୍ୟ ପଢନ୍ତୁ : ଟ୍ୟାକ୍ସପେୟର୍ସଙ୍କ ପାଇଁ ବଡ଼ ଖବର ! ସମସ୍ତଙ୍କ ପାଇଁ ଅଲଗା ଆଇଟିଆର୍ ଡେଡଲାଇନ୍; ମିସ୍ କଲେ ଗଣିବେ ମୋଟା ଅଙ୍କର ତଣ୍ଡ