ନୂଆଦିଲ୍ଳୀ,୧୭।୧୧: ଆମେରିକା ସହ ଭାରତର ଐତିହାସିକ ଚୁକ୍ତି। ଏହା ଅନୁସାରେ, ଭାରତର ତୈଳ କମ୍ପାନୀ ଆମେରିକାରୁ ଅତି କମରେ ୧୦ ପ୍ରତିଶତ ଏଲପିଜି ଆମଦାନୀ କରିବ। ଏହି ଚୁକ୍ତି ପରେ ଦେଶରେ ରୋଷେଇ ଗ୍ୟାସର ଉପଲବ୍ଧତା ସହଜ ହୋଇଯିବ। ଭବିଷ୍ୟତରେ କୌଣସି ସପ୍ଲାଇରେ ଅଭାବ ରହିବନି। ବହୁ ମାସ ହେବ ଏହି ଡିଲ୍‌କୁ ନେଇ ଚର୍ଚ୍ଚା ଚାଲିଥିଲା,ଯାହାକୁ ଏବେ ଔପଚାରିକ ରୂପରେ ପୁରା କରି ଦିଆଯାଇଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋମବାର ଏହାର ଘୋଷଣା କରିଛନ୍ତି। ସେ କହିଛନ୍ତି, ଭାରତର ସରକାରୀ ତୈଳ କମ୍ପାନୀ ପ୍ରଥମ ଥର ମିଳିତ ଭାବରେ ଆମେରିକା ସହ ଦୀର୍ଘ ସମୟ ଧରି ଏଲପିଜି ଆମଦାନୀ ନେଇ ଏକ ବର୍ଷ ପାଇଁ ଚୁକ୍ତି କରିଛି।

ମନ୍ତ୍ରୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି, ଏହା ଭାରତର ଏଲପିଜି ବଜାର ପାଇଁ ଖୁବ୍ ଗୁରୁ୍ତ୍ବପୂର୍ଣ୍ଣ ପଦକ୍ଷେପ। ଭାରତ ଦୁନିଆର ସବୁଠାରୁ ବଡ଼ ଓ ଦ୍ରୁତ ଭାବରେ ବଢୁଥିବା ଏଲପିଜି ଉପଭୋକ୍ତା ଦେଶ ମଧ୍ୟରୁ ଅନ୍ୟତମ। ଏଭଳି ସ୍ଥତିରେ ଆମେରିକାରୁ ସପ୍ଲାଇ କରିବା ଏଲପିଜି ସୋର୍ସିଂର ବିବିଧକରଣ ଦିଗରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଭାରତର ସରକାରୀ ତୈଳ କମ୍ପାନୀ ବର୍ଷକ ପାଇଁ ପ୍ରାୟ ୨.୨ ମିଲିୟନ ଟନ୍ ପ୍ରତି ବର୍ଷ ଏଲପିଜି ଉତ୍ପାଦନ କରିବାର ଡିଲ୍ କରିଛି। ଏହା ଭାରତର ମୋଟ ବାର୍ଷିକ ଏଲପିଜି ଉତ୍ପାଦନର ପ୍ରାୟ ୧୦ ପ୍ରତିଶତ ହେବ। ଏହି ସପ୍ଲାଇ ଆମେରିକାର ଉପସାଗରୀୟ ଅଞ୍ଚଳରୁ କରାଯିବ। ଏହା ଭାରତୀୟ ବଜାର ପାଇଁ ଆମେରିକାର ଦୀର୍ଘକାଳୀନ ଏଲପିଜି ଚୁକ୍ତି ବୋଲି କହିଛନ୍ତି ପୁରୀ।

ହରଦୀପ ସିଂହ ପୁରୀ କହିଛନ୍ତି, ଏଲପିଜି ଉତ୍ପାଦନ ପାଇଁ ବିପିସିଏଲ୍,ଆଇଓସି ଓ ଏଚପିସିଏଲର ଶୀର୍ଷ ଅଧିକାରୀଙ୍କ ଏକ ଟିମ୍ ଆମେରିକା ଯାଇଥିଲେ। ଡିଲ୍ ପୂର୍ବରୁ ଅଧିକାରୀମାନେ ସେଠାରେ ତୈଳ ଉତ୍ପାଦନ କରୁଥିବା କମ୍ପାନୀ ସହ ଆଲୋଚନା କରିଛନ୍ତି। ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ବଢିବା ପରେ ବି ଭାରତର କମ୍ପାନୀ ଲୋକଙ୍କୁ କମ୍ ଦାମ୍‌ରେ ଏଲ୍‌ପିଜି ଉପଲବ୍ଧ କରିବାକୁ ପ୍ରତିଶ୍ରୁତିବଦ୍ଧ।